ସ୍ୱଳ୍ପ ବୃଷ୍ଟିପାତ : ଚାଷ ପ୍ରଭାବିତ

ଚମ୍ପୁଆ- ଚମ୍ପୁଆ କୃଷି ଜିଲାରେ ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟ ବ୍ୟାଘାତ ଘଟିଥିବା ଦେଖିବାକୁ ମିଳିଛି । ଚମ୍ପୁଆ, ଯୋଡା ଓ ଝୁମ୍ପୁରାକୁ ନେଇ ଗଠିତ ଏହି କୃଷି ଜିଲାରେ ଚଳିତ ବର୍ଷ ରହିଥିବା ଲକ୍ଷ୍ୟ ଅନୁଯାୟୀ ମାତ୍ର ୪୪ ଭାଗ ଚାଷ ହୋଇଥିବା ଜଣାଯାଇଛି । ବୃଷ୍ଟିପାତର ଅନିୟମିତତା ପାଇଁ ଚଳିତ ବର୍ଷ ବୁଣା ଅପେକ୍ଷା ତଳି ଲଗା ଚାଷକୁ ଚାଷି ଗୁରୁତ୍ୱ ଦେଇଛି । ମାତ୍ର ବର୍ଷା ଅଭାବ କାରଣରୁ ତଳି ଲାଗିଥିବା ଜମି ଗୁଡିକ ଫାଟିବା ଆରମ୍ଭ କଲାଣି ।

୨୧ା୦୭ା୨୦୨୦ ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ କୃଷି ବିଭାଗ ପକ୍ଷରୁ ଚମ୍ପୁଆ ବ୍ଲକରେ ୧୪୨୦୦ ଏକର, ଝୁମ୍ପୁରାରେ ୧୮୫୫୫ ହେକ୍ଟର ଓ ଯୋଡରେ ୮୨୬୦ ହେକ୍ଟରକୁ ମିଶାଇ ୪୧୦୧୫ ହେକ୍ଟର ଧାନ ଚାଷ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ବର୍ତ୍ତମାନ ସୁଦ୍ଧା ଏହା ୨୦୨୫୬ ହେକ୍ଟର ଜମିରେ ଚାଷ କରାଯାଇଥିବା ଜଣାଯାଇଛି । ସେହିପରି ଅନ୍ୟ ଚାଷ ଗୁଡିକ ମଧ୍ୟ ଏଥିରେ ପ୍ରଭାବିତ ହୋଇଛି । ମିଳିଥିବା ସୂଚନା ଅନୁସାରେ ଧାନ ଚାଷ ଓ ଅନ୍ୟ ଚାଷକୁ ମିଶାଇ ଚମ୍ପୁଆ ବ୍ଲକରେ ୨୨୩୪୦ ହେକ୍ଟର, ଝୁମ୍ପୁରାରେ ୨୪୬୨୫ ହେକ୍ଟର ଓ ଯୋଡାରେ ୧୪୨୮୫ ହେକ୍ଟର ଚାଷ ଲକ୍ଷ୍ୟ ରଖା ଯାଇଥିବା ବେଳେ ଚମ୍ପୁଆରେ ୧୮୭୩ ହେକ୍ଟର, ଝୁମ୍ପୁରାରେ ୧୫୮୫୯ ହେକ୍ଟର ଓ ଯୋଡାରେ ୮୩୬୪ ହେକ୍ଟର ଚାଷ କରାଯାଇଛି । ଏହି ସୂଚନା ମୁତାବକ ଚମ୍ପୁଆରେ ୫୩%, ଝୁମ୍ପୁରାରେ ୫୬% ଓ ଯୋଡାରେ ୫୮% ଚାଷ କରାଯାଇଛି । ସ୍ୱଳ୍ପ ବୃଷ୍ଟିପାତ ଏହି ଚାଷ ପ୍ରଭାବିତ ହେବାର ମୁଖ୍ୟ କାରଣ ସାଜିଥିବା ବେଳେ ଆଗାମୀ ଦିନରେ ବର୍ଷା ନ ହେଲେ ରୁଆ ହୋଇଥିବା ତଳି ଗୁଡିକ ନଷ୍ଟ ହୋଇଯିବ ବୋଲି ଚାଷିମାନେ ସୂଚନା ଦେଇଛନ୍ତି । ଏ ନେଇ ବିଭାଗୀୟ ଅଧିକାରୀ ଗଜେନ୍ଦ୍ର ନାଥ ଗୋଚ୍ଛାୟତଙ୍କୁ ପଚାରିବାରୁ କହିଛନ୍ତି ଯେ ସ୍ୱଳ୍ପ ବୃଷ୍ଟିପାତ ହିଁ ଚାଷ ପ୍ରଭାବର ଏକ ମାତ୍ର କାରଣ ସାଜିଛି । ଚାଷ ସମ୍ବନ୍ଧୀୟ ସମସ୍ତ ସୂଚନା ଆମେ ଉପରିସ୍ଥ ବିଭାଗକୁ ଜଣାଇଛୁ ।

Comments (0)
Add Comment