ସ୍ୱାମୀ-ସ୍ତ୍ରୀ ଗୋଟିଏ ରଶିରେ ଝୁଲି ପଡ଼ିଲେ

କଟକ: କଟକ ସଦର ବ୍ଲକ୍ ୪୨ ମୌଜା ଝିଙ୍କିରିଆ ସୁବୁଦ୍ଧିସାହିରେ ଏକ ବୃଦ୍ଧ ଦମ୍ପତିଙ୍କ ଝୁଳନ୍ତା ଶବ ଗୁହାଳ ଘରୁ ଉଦ୍ଧାର କରାଯାଇଛି । ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ମୃତ ଦମ୍ପତି ସୁଇସାଇଡ୍ ନୋଟ୍ରେ ଲେଖିଥିଲେ ବି ଦୁହେଁ ଏକ ସମୟରେ ଗୋଟିଏ ଦଉଡ଼ିରେ ଆତ୍ମହତ୍ୟା କରିଥିବାରୁ ସନ୍ଦେହ ପ୍ରକାଶ ପାଇଛି । ଝିଙ୍କିରିଆ ୨ ନମ୍ବର ୱାର୍ଡ୍ ସୁବୁଦ୍ଧିସାହି ବାସିନ୍ଦା ସାଗର ଦେବାତା (୬୩) ଜଣେ ଇଲେକଟ୍ରିକାଲ୍ ମେକାନିକ୍ । କଟକ ସହର ଓ ଆଖପାଖ ଅଂଚଳରେ ଇଲେକଟ୍ରିକ୍ କାମ କରି ସେ ପରିବାର ଚଳାଉଥିଲୋ । ପୋଲିସ କହିବା ମୁତାବକ, ଗତକାଲି ସାଗର ଓ ପତ୍ନୀ ଜ୍ୟୋସ୍ନାରାଣୀ (୫୮) ଖାଇ ଶୋଇବାକୁ ଯିବାପରେ ପୁଅ ସତ୍ୟଜିତ୍ ଓ ପରିବାରର ଅନ୍ୟମାନେ ଶୋଇବାକୁ ଯାଇଥିଲେ । ସକାଳେ ସାଗର ଓ ଜ୍ୟୋତ୍ସ୍ନାରାଣୀ ଘରେ ନଥିବାବେଳେ ସେମାନଙ୍କ ବିଛଣା ଉପରେ ସୁଇସାଇଡ ନୋଟ୍ ଟିଏ ପଡ଼ିଥିବା ମିଳିଥିଲା । ଏହାକୁ ପଢ଼ି ପରିବାର ଲୋକେ ଖୋଜାଖୋଜି କରିବାରୁ ଘର ପାଖ ଗୁହାଳେ ଉଭୟ ମୃତଦେହ ଗୋଟିଏ ରଶିରେ ଓହଳିଥିବା ଅବସ୍ଥାରେ ମିଳିଥିଲା । ଅପରପକ୍ଷରେ ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଗୁହାଳ ଘରେ ସାଗର ଓ ତାଙ୍କ ପତ୍ନା ଜ୍ୟୋତ୍ସ୍ନାରାଣୀଙ୍କ ଶବ ଓହଳିଥିବା ପ୍ରଥମେ ଜଣେ ପଡେ଼ାଶୀ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ପରେ ସୁଇସାଇଡ଼୍ ନୋଟ୍ ଦେଖିଥିଲେ, ଯେଉଁଥିରେ ଭଗବାନଙ୍କ ଡାକାରା ଆସିବାରୁ ଆମେ ଯାଉଛୁ, ଆମ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ଲେଖାଥିବା ଜଣାପଡ଼ିଥିଲା । ଏହାପରେ ପୋଲିସ ଖବର ଦିଆଯାଇଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।

Comments (0)
Add Comment