ସ୍ୱାସ୍ଥ୍ୟକର୍ମୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିରେ ଯୁବ କଂଗ୍ରେସର ଆନ୍ଦୋଳନ ଧମକ

ଭୁବନେଶ୍ୱର: ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଂଜନ ଲେଙ୍କାଙ୍କ ନେତୃତ୍ୱରେ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ଲୋୟର ପିଏମ୍ଜି ଠାରେ ଦୀର୍ଘ ୫ ଦିନ ଧରି ଶୀତ କାକର ସହି ଧାରଣାରେ ବସିଥିବା ଏ.ଏନ୍.ଏମ୍. ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଭେଟି ସେମାନଙ୍କର ସ୍ଥାୟୀ ନିଯୁକ୍ତି ଦାବିକୁ ସମର୍ଥନ ଜଣାଇଲା । ବର୍ତମାନ ସମଗ୍ର ବିଶ୍ୱ କରୋନା ମହାମାରୀ ସହିତ ଲଢେ଼ଇ କରିବା ସହ ଜୀବନ ଜୀବିକା ସହ ସଂଘର୍ଷ ଜାରି ରହିଛି । ଏହି ପରିସ୍ଥିତିରେ ପ୍ରକୃତ କରୋନା ଯୋଦ୍ଧା ଯେଉଁ ସ୍ୱାସ୍ଥ୍ୟ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ମହାମାରୀକୁ ନଡରି ଜନସାଧାରଣଙ୍କ ସେବା କରି ଆସୁଥିଲେ ସେମାନଙ୍କୁ ଛଟେଇ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା କହିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ଭାବେ ଏହି କରୋନା ଯୋଦ୍ଧାମାନଙ୍କ ସହ ଅନ୍ୟାୟ କରୁଛନ୍ତି ବୋଲି ଯୁବ କଂଗ୍ରେସ ଅଭିଯୋଗ କରିଛି । ପ୍ରଥମେ ଏମାନଙ୍କୁ ଚୁକ୍ତିଭିତିକ ଚାକିରି ଦେଇ ଏବେ ପ୍ରତାରଣା କରିବା କେତେଦୂର ଯଥାର୍ଥ ବୋଲି ଯୁବ କଂଗ୍ରେସ ସଭାପତି ଡ. ଲେଙ୍କା ପ୍ରଶ୍ନ କରିଛନ୍ତି । ୪୮ ଘଂଟା ମଧ୍ୟରେ ଏହି ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ଯୁବ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଡ. ଲେଙ୍କା ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି । ଏହି ପ୍ରତିନିଧି ଦଳରେ ଯୁବ କଂଗ୍ରେସ ମୁଖପାତ୍ର ଅଜୟ ସାହୁ, ସଂକୁନା କହଁର, ରଂଜିତ ପାତ୍ର, ନଳିନୀକାନ୍ତ ନାୟକ, ବିଶ୍ୱରଂଜନ ଦାସ, ଆଦିତ୍ୟ ପରିଡା, ଆଶୁତୋଷ ଲେଙ୍କା, କାର୍ତିକେଶ୍ୱର କାଣ୍ଡି ପ୍ରମୁଖ ସାମିଲ ହୋଇଥିଲେ ।

Comments (0)
Add Comment