ପାଟ ମହୁରୀ ବିନା ଶୁଭ କାର୍ଯ୍ୟ ହୁଏନା
ଚନ୍ଦାହାଣ୍ଡି : କୋଉ ଏକ ପୁରୁଣା କାଳରୁ ବିଭିନ୍ନ ଶୁଭ କାମରେ ମହୁରୀ ବାଜି ଆସୁଛି । ବିବାହ, ବ୍ରତ, ପୂଜା ପାର୍ବଣ, ଯୁଦ୍ଧ, ଜନ୍ମ ମୃତ୍ୟୁ , ଅନ୍ତେଷ୍ଟି, ଆଦି କାର୍ଯ୍ୟରେ ମହୁରୀ ବାଜିବାର ଦେଖି ଆସୁଛେ। ମହୁରୀ ନବାଜିଲେ ସାମାଜିକ କାମ ଅଧୁରା ରହିଯିବ। ବର୍ଷର ବିଭିନ୍ନ ସମୟରେ ଏ ସଂସ୍କୃତିରେ ଖୋଜା ପଡେ ମହୁରୀ। ଆଜି ମହୁରୀ ହଜି ଯାଉଥିବା ବେଳେ କିଛି ସାଧକ ବଞ୍ଚେଇ ରଖିଛନ୍ତି ସେଇ ମଧ୍ୟରୁ ପାଟ ମହୁରିଆ ନନ୍ଦ ଲାଲ ଅନ୍ୟତମ । ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଦଣ୍ଡାମୁଣ୍ଡାର ଏକ ଛୋଟ ବସ୍ତି ଠେଲକୋ ବାହିଲୀ ପଡ଼ା । ସେଇଠି ରୁହନ୍ତି ଜଣେ ଅନନ୍ୟ ମହୁରୀଆ ନନ୍ଦଲାଲ ଡଙ୍ଗରୀ । କେବଳ ମହୁରୀକୁ ନେଇ ପରିଚିତ। ଆଜକୁ ୪୦ ବର୍ଷ ତଳେ ଉମରକୋଟ ସ୍ଥିତ ମା ପେଣ୍ଡ୍ରିଣୀ , ମଙ୍ଗଳା, ଜଗନ୍ନାଥ ମନ୍ଦିର ରେ ମହୁରୀ ବଜାଉଥିଲେ । ସେତେବେଳେ ପାରିଶ୍ରମିକ ମିଳୁଥିଲା ତିନି ଟଙ୍କା। ଏଯାବତ୍ ବିଭିନ୍ନ ପୂଜା ପାର୍ବଣରେ ସେ ମହୁରୀ ବଜାଇ ଆସୁଛନ୍ତି। ନିଜର ବିରଳ ପ୍ରତିଭା ପାଇଁ ଶ୍ରୀ ନନ୍ଦ ପଡୋଶୀ ରାଜ୍ୟ ଛତିଶଗଡ଼ର ରାଜୀମ, ଜଗଦଲପୁର, ବସ୍ତର, କୋଣ୍ଡାଗା ଆଦି ସ୍ଥାନରେ ପୂଜା ସମୟରେ ଡାକରା ହୁଅନ୍ତି। ଏପଟେ କଳାହାଣ୍ଡି , ନୂଆପଡ଼ାର ବିଭିନ୍ନ ଗ୍ରାମରେ ପ୍ରତିବର୍ଷ ନିମନ୍ତ୍ରିତ ହୁଅନ୍ତି। ସଂପ୍ରତ୍ତି ନିଜ ଗ୍ରାମ ଦଣ୍ଡାମୁଣ୍ଡା ସ୍ଥିତ ଜଗନ୍ନାଥ ମନ୍ଦିର ଏବଂ ଗ୍ରାମ୍ୟ ଦେବୀ ଦେବତାଙ୍କ ପୂଜା ଆରାଧନାରେ ସେବା କରି ଆସୁଛନ୍ତି। ୧୨ ବର୍ଷ ବୟସରୁ ଏହି କଳାକୁ ଜୀବନର ବ୍ରତ ବୋଲି ମାନି ଆସୁଥିବା ନନ୍ଦ ନିଜ ଜେଜେ ବାପା ପାଟ ମହୁରିଆ କହ୍ନେଇଙ୍କ ଠାରୁ ଶିଖିଥିଲେ । ସେଇ ସମୟରେ କହ୍ନେଇ ମହୁରିଆ ଏକ ସ୍ୱତନ୍ତ୍ର ପରିଚୟ ପାଇଥିଲେ। କୌଳିକ ବୃତ୍ତି ଭାବେ ଗ୍ରହଣ କରିଥିବା ମହୂରିଆ ଏକା ଧାରରେ ବହୁ ମୁଖି ପ୍ରତିଭାର ଅଧିକାରୀ। ମହୁରୀ ସହିତ ବଂଶୀ, ତୂରୀ, କର୍ଣ୍ଣାଟ ବଜେଇବାରେ ବେଶ୍ ଓସ୍ତାଦ। ଦିନେ ଏହି ତାନ ବାଜିଲେ ଶରୀରରେ ଶିହରଣ ଖେଳୁଥିଲା। ଏବେବି ବାଜିଲେ କିଛି ଲୋକ ମୋହିତ ହୋଇ ଯାଆନ୍ତି। ଅନୁଭବ କରନ୍ତି ଏହାର ଅସଲ ଶବ୍ଦକୁ। ତେବେ ଛୋଟ ବଡ଼ ଦୁଇଟି ମହୁରୀ ବଜାଇଥାନ୍ତି ଆବଶ୍ୟକ ବେଳେ। କୌଣସି ଶୁଭା ଶୁଭ କାମରେ ପ୍ରଥମେ ମାଙ୍ଗଳିକ, ମାଟି ଦେବତା, ଲୁହା ଗଡେନ, ଭଣ୍ଡାରୁଣୀ , ଠାକୁରାଣୀ, ପେଣ୍ଡ୍ରାଣୀ, ଚାର ଚୌରାଶୀ ଆଦି ତାନ ପର୍ଯ୍ୟାୟ କ୍ରମେ ବଜାଇଥାନ୍ତି। କିଛି ନିୟମରେ ବନ୍ଧା ଏହି ସାଧକମାନେ। ନିତ୍ୟ ସକାଳୁ ଗାଧୋଇବା ସହ ମହୁରୀ ପୂଜା କରି ସିନ୍ଦୂର ଲଗାନ୍ତି । କୌଣସି ଏକ ନିର୍ଦ୍ଧିଷ୍ଟ ବାରରେ ଉପବାସ ରହିବାକୁ ପଡେ। ବିଭିନ୍ନ ଛନ୍ଦରେ ବାଜିଲେ ଦେବୀ ବି କେମିତି ତାଳ ଦେଇ ନାଚନ୍ତି ଯାହା ଏବେବି ବୈଶାଖ ପୂଜାରେ ଗାଆଁ ଗଣ୍ଡାରେ ଦେଖିବାକୁ ମିଳେ । ଅତୀତରେ ରାଜା ରାଜୁଡ଼ା ସମୟରେ ଯୁଦ୍ଧର ଡାକରା ଆସିଲେ ଦୁନ୍ଦୁଭି ସହ ବାଜିଲେ ଶତ ସିଂହର ବଳ ଜାଗ୍ରତ ହେଉଥିଲା। ଦୁଃଖର ବିଷୟରେ ଆଜି ମନ୍ଦିରରେ ଭକ୍ତଙ୍କ ସଂଖ୍ୟା କିଛି କମ୍ ନଥିବା ବେଳେ ବି ମହୁରୀ ଘଣ୍ଟି ପିଟୁଛି ଯନ୍ତ୍ର । ଏଯାଏ କଳାକାର ଭତ୍ତାରୁ ବଞ୍ଚିତ ହୋଇଥିବା ନନ୍ଦ କେତେ ଶିଷ୍ୟ ତିଆରି କଲେଣି। ସଂପ୍ରତି ଆଦିମ ସଂସ୍କୃତି ଲୁଚି ଯାଉଥିବାବେଳେ ଏହି ବିରଳ ବାଦ୍ୟକୁ ବଞ୍ଚାଇ ରଖିବା ପାଇଁ ମହୁରିଆ ମାନେ ନିବେଦନ କରୁଛନ୍ତି। ସଂସ୍କୃତି ବିଭାଗରେ ଶହ ଶହ ଛାତ୍ର ଗବେଷଣା କରୁଥିବା ବେଳେ ମହୁରୀର ମୌଳିକ ସୁରକ୍ଷା ଦିଗରେ କେହି ଯତ୍ନବାନ ହେଉ ନାହାନ୍ତି ।