ହାଇକୋର୍ଟ ଟେଲିଗ୍ରାମ୍ ଚାନେଲ ଆରମ୍ଭ

କଟକ: ଓଡ଼ିଶା ହାଇକୋର୍ଟ ପକ୍ଷରୁ ଟେଲିଗ୍ରାମ ଚାନେଲ ପ୍ରତିଷ୍ଠା କରାଯାଇଛି । ସୂଚନା ଓ ଯୋଗାଯୋଗ ଜ୍ଞାନ କୌଶଳ ପ୍ରୟୋଗ ମାଧ୍ୟମରେ ଆଇନଜୀବୀ ଓ ଆଇନ ସହାୟତା ଅପେକ୍ଷାରେ ଥିବା ଲୋକମାନଙ୍କ ପାଇଁ ନ୍ୟାୟାଳୟ ସଂପର୍କିତ ସୂଚନା ଆହରଣକୁ ସହଜ ଓ ସୁବିଧାଜନକ କରିବା ଉଦେଶ୍ୟରେ ତତକ୍ଷଣତା ସୂଚନା ଆଦାନପ୍ରଦାନ ନିମନ୍ତେ ଏକ ଅତିରିକ୍ତ ବ୍ୟବସ୍ଥା ସ୍ୱରୂପ ହାଇକୋର୍ଟ ଟେଲିଗ୍ରାମ୍ ଚାନେଲ ପ୍ରତିଷ୍ଠା କରାଯାଇଛି । ଅଦାଲତଙ୍କ ବିଭିନ୍ନ କାର୍ଯ୍ୟକ୍ରମ, ସର୍କୁଲାର, ବିଜ୍ଞପ୍ତି, ପ୍ରେସ୍ ବିଜ୍ଞପ୍ତି, କଜ୍ ଲିଷ୍ଟ ସଂପର୍କିତ ସୂଚନା ଠିକ ସମୟରେ ଆଇନଜୀବୀ, ମହକିଲ ଓ ଜନସାଧାରଣଙ୍କୁ ପ୍ରଦାନ କରିବା ଏହି ଟେଲିଗ୍ରାମ ଚାନେଲର ଉଦେଶ୍ୟ । ଏହି ଚାନେଲର ଉପଯୋଗ କରି ଆଇନଜୀବୀ ଓ ଜନସାଧାରଣ ଅଦାଲତ ସଂପର୍କିତ ସୂଚନା ପାଇପାରିବେ । ଗୁଗୁଲ ପ୍ଲେ ଷ୍ଟୋର/ଆପ୍ଲ ଷ୍ଟୋରରୁ ଏହି ଟେଲିଗ୍ରାମ୍ ମୋବାଇଲ୍ ଆପ୍ ଡାଉନ୍ଲୋଡ୍, ଇନ୍ଷ୍ଟଲ କରିବାକୁ ପଡିବ ଏବଂ ହାଇକୋର୍ଟଙ୍କ ଟେଲିଗ୍ରାମ୍ ଚାନେଲକୁ ସବ୍ସ୍କ୍ରାଇବ୍ କରିବାକୁ ପଡିବ । ଏହି ଚାନେଲ ବ୍ୟବହାରକାରୀଙ୍କୁ ବାରମ୍ବାର କୋର୍ଟଙ୍କ ୱେବସାଇଟକୁ ଯିବାକୁ ପଡିବ ନାହିଁ । ଏଥିସହିତ କୋର୍ଟ ୱେବସାଇଟ କୌଣସି କାରଣରୁ ଅପହଞ୍ଚ ହେଉଥିବା ସମୟରେ ସମସ୍ତ ସୂଚନା ଏହି ଟେଲିଗ୍ରାମ ଚାନେଲ ମାଧ୍ୟମରେ ମିଳି ପାରିବ । ଏହି ଚାନେଲରେ ସୂଚନା ପ୍ରଦାନ ଜୁଲାଇ ୧୯ରୁ ଆରମ୍ଭ ହେବ ।

Comments (0)
Add Comment