ନୀଳଗିରି: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ସଜନାଗଡ଼ରେ ରହିଛି ଆସିବାସୀ ତନ୍ତୁବାୟ ସହଯୋଗ ସମିତି । ୧୯୮୦ରେ ଏହି ସମିତି ସ୍ଥାପିତ ହୋଇଥିବା ବେଳେ ସେତେବେଳେ ୧୦୧ ଜଣ ବୁଣାକାର ଏଠାରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ୧୯୯୭ରେ କୌଣସି କାରଣ ପାଇଁ ଏହି ସମିତ ବନ୍ଦ ହୋଇପଡିଲା । ଉକ୍ତ ସମିତିରେ ବୁଣାକାରଭାବେ କର୍ଯ୍ୟ କରୁଥିବା ସଜାନଗଡ ନିକଟସ୍ଥ ପାଣବନ୍ଧ ଗାଁର କନ୍ଦା ମାଝୀ (୮୯) କଷ୍ଟେମଷ୍ଟେ ସମିତିକୁ ବଂଚାଇବା ପାଇଁ ଅଂଟା ଭିଡିଲେ । ସମ୍ପ୍ରତି ଉକ୍ତ ସମିତିରେ ୫ ମହିଳା ଓ ୪୪ ପୁରୁଷ ବୁଣାକାର ଭାବେ କାର୍ଯ୍ୟ କରୁଛନ୍ତି । କନ୍ଦା ମାଝୀଙ୍କ ସ୍ତ୍ରୀ ବୁଦିନି ମଧ୍ୟ ସ୍ୱାମୀଙ୍କ ଏହି ଉଦ୍ୟମରେ ସହଯୋଗ ଦେଇଥିବା ଦେଖିବାକୁ ମିଳିଛି । ଯେଉଁମାନେ ଏଠାରେ ବୁଣାକାରଭାବେ କାର୍ଯ୍ୟ କରୁଛନ୍ତି ସେମାନେ ଆଦିବାସୀ ଶ୍ରେଣୀର । ସେମାନଙ୍କର ଏହା କୌଳିକବୃତି ହୋଇ ନଥିଲେ ବି ନିଜ ବୃତିଠାରୁ ଅଧିକ ମନଦେଇ କାମ କରନ୍ତି । କନ୍ଦା ମାଝୀ ନିଜ ମନରେ ଡିଜାଇନ ଜୁଟାଇ ରଙ୍ଗବେରଙ୍ଗର ଗାମୁଛା, ଲୁଙ୍ଗି, ବେଡସିଟ, ତକିଆ କଭର ପ୍ରଭୃତି ଲୁଗା ତିଆରି କରୁଛନ୍ତି । ଶତ ପ୍ରତିଶତ ସୂତାରେ ଏମାନେ ସମ୍ବଲପୁରୀ ଓ ଆଦିବାସୀଙ୍କ ପରମ୍ପରିକ ବସ୍ତ୍ର ତିଆରି କରି ବେଶ ଚର୍ଚ୍ଚିତ ହୋଇଛନ୍ତି । ୪୦ ବର୍ଷ ପୂର୍ବରୁ ଯେଉଁ ସମିତି ଗୃହ ରହିଥିଲା । ସେହି ଗୃହରେ ବୁଣାକାରମାନେ ନିଜ କିର୍ତବ୍ୟ ସମ୍ପାାଦନ କରି ଚାଲିଛନ୍ତି । ରାଇବଣିଆ, କପ୍ତିପଦା ଅଂଚଳରୁ ସୂତା କ୍ରୟ କରି ବୁଣାକାରମାନେ ବସ୍ତ୍ର ତିଆରି କରୁଛନ୍ତି । ସଜନାଗଡ ଓ ତରତରୀ ନିକଟସ୍ଥ ଟୁଲୁଙ୍କଡ଼ାବ ଅଂଚଳରେ ଏହି ହାତବୁଣା ଲୁଗାକୁ କନ୍ଦା ମାଝା, ବୁଦିନି ମାଝୀ, ଦୁଖିରାମ ମାଝୀ, ଲକ୍ଷ୍ମୀଧର ଗିରି, କାର୍ତିକ ଗିରି, ଗିରିଧାରୀ ମଢେ଼ଇ, ଜୟନ୍ତୀ ମାଝୀ, ସାଲଗେରାମ ବାସ୍କେ ପ୍ରମୁଖ ବୁଣାକାରମାନେ ପରିବାର ପ୍ରତିପୋଷଣ ଉଦେଶ୍ୟରେ ଚଳାଇ ଆସୁଛନ୍ତି ।