ହାତୀ ମୀନାର ପରିଦର୍ଶନ କଲେ ଜାତୀୟ ବନ୍ୟପ୍ରାଣୀ ଟ୍ରଷ୍ଟର ଅଧିକାରୀ

ଚମ୍ପୁଆ: ଚମ୍ପୁଆ ବ୍ଲକ ଅନ୍ତର୍ଗତ ଜାଲି ପଞ୍ଚାୟତରେ ବେସରକାରୀ ଉଦ୍ୟମରେ ନିର୍ମାଣ କରାଯାଇଥିବା ହାତୀ ମୀନାର ପରିଦର୍ଶନ କରିି ଫେରିଛନ୍ତି ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ଟ୍ରଷ୍ଟର ଅଧିକାରୀ । ଏହି ଟିମରେ ଜାତୀୟ ବନ୍ୟପ୍ରାଣୀ ସୁରକ୍ଷା ଟ୍ରଷ୍ଟର ମୁଖ୍ୟ ଆଞ୍ଚଳିକ ନିର୍ଦେଶକ ରୁଦ୍ର ମହାପାତ୍ର କେନ୍ଦୁଝର ପଶୁ ସଂପଦ ଅଧିକାରୀ ଡଃ ବନ୍ଦିତା ମିଶ୍ର, ଡଃ ବିଶାଖା, ଉଖୁଣ୍ଡା ବନପାଳ ଭାଗୀରଥି ମିଶ୍ର , ବନରକ୍ଷୀ ସାଗରିକା ବେଜ, ଜାଲି ସରପଞ୍ଚଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ । ବନ୍ୟ ପ୍ରାଣୀଙ୍କର ସୁରକ୍ଷା ପାଇଁ ନିର୍ମିତ ଏ ହାତୀ ମୀନାର ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ଏବଂ ଉଦ୍ୟକ୍ତାର ଏଭଳି ଚିନ୍ତାଧାରାକୁ ନିର୍ଦେଶକ ଶ୍ରୀ ମହାପାତ୍ର ଭୂୟସୀ ପ୍ରଶଂସା କରିଥିଲେ । ଏଠାରେ ସ୍ମରଣ ଯୋଗ୍ୟ କି ଜାଳି ଗ୍ରାମରେ ଅଧ୍ୟାପକ ଡଃ କୃଷ୍ଣଚନ୍ଦ୍ର ନାୟକଙ୍କ ଜମିରେ ବିଦ୍ୟୁତ ଆଘାତରେ ଏକ ଜଙ୍ଗଲୀ ହାତୀର ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ଡଃ ନାୟକଙ୍କ ମା ପଦ୍ମିନୀ ନାୟକଙ୍କ ମନରେ ଗଭୀର ଆଘାତ ଲାଗିଥିଲା । ଦୁଃଖରେ ମି୍ରୟମାଣ ପ୍ରକୃତିପ୍ରେମୀ ପଦ୍ମିନୀଙ୍କର ୭.୯.୨୦୦୯ରେ ମୃତ୍ୟୁ ହୋଇଗଲା । ତାଙ୍କ ମା’ଙ୍କର ଶେଷ ଅଭିଳାଷକୁ ପୂରଣ କରିବାକୁ ଯାଇ ବଡପୁଅ ଡଃ ନାୟକ ନିଜର ୫ଏକର ଜମିରେ ମୃତ ହାତୀ ଉଦ୍ଦେଶ୍ୟରେ ନିର୍ମାଣ କରିଥିଲେ ୩୫ଫୁଟ ଉଚ୍ଚର ଏକ ମୀନାର । ଏହି ହାତୀ ସ୍ମୃତି ସ୍ତମ୍ଭଟି ନିର୍ମାଣ ହୋଇ ଉଦଘାଟନ ହୋଇଥିଲା ୨୦.୧.୨୦୧୯ରେ । ଜୀବଜନ୍ତୁଙ୍କ ପ୍ରତି ଅନାବିଳ ସ୍ନେହ ଓ ଭଲପାଇବାର ଏକ ନିଆରା ନିଦର୍ଶନ ସ୍ୱରୁପ ଏ ଅଞ୍ଚଳରେ ସଗର୍ବରେ ଠିଆ ହୋଇଛି ଏ ସ୍ମୃତି ସ୍ତମ୍ଭ-ହାତୀ ମୀନାର । ଏହି ସ୍ଥାନ ଏବେ ବିଭିନ୍ନ ବୃକ୍ଷରାଜିରେ ପରିଣତ ହେବା ସହ ପର୍ଯ୍ୟଟକଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିସାରିିଛି । ସ୍ଥାନୀୟ ଉପଖଣ୍ଡ ପ୍ରଶାସନ ତରଫରୁ ମଧ୍ୟ ଏହାର ଶ୍ରୀ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯାଇଛି । ବିଭିନ୍ନ ସମୟରେ ବିଭିନ୍ନ ଅଞ୍ଚଳରୁ ଅନେକ ପର୍ଯ୍ୟଟକ ଏଠାକୁ ଆସି ଅଭିଭୂତ ହେଉଥିବା ଜଣାପଡିଛି ।

Comments (0)
Add Comment