ହୀରାକୁଦରୁ ଛଡ଼ାଗଲା ପ୍ରଥମ ବନ୍ୟାଜଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡାଯାଇଛି । ପାରାମ୍ପରିକ ପୂଜାର୍ଚ୍ଚନା ପରେ ଆଜି ଦିନ ପ୍ରାୟ ୧୧ଟା ପରେ ପ୍ରଥମ କରି ବାମ ପଟ ୭ନଂ ସୁଇସ୍ ଗେଟକୁ ଖୋଲା ଯାଇଥିଲା । ଏହାର କିଛି ସମୟ ପରେ ୮ନଂ ସୁଇସ୍ ଗେଟକୁ ଖୋଲା ଯାଇ ବନ୍ୟାଜଳ ନିଷ୍କାସନ କରାଯାଇଥିଲା । ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣା କ୍ଷମତା ୬୩୦ ଫୁଟ ଥିବାବେଳେ ଏବେ ଜଳପତ୍ତନ ୬୦୯.୩୯ ଫୁଟ୍ ରହିଛି । ସେହିପରି ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ୬୩ ହଜାର ୬୧୨ ଘନଫୁଟ୍ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨୨ ହଜାର ୭୮୩ ଘନଫୁଟ୍ ଜଳ ନିଷ୍କାସିତ ହେଉଛି । ଉପର ମୁଣ୍ଡରେ ବର୍ଷା କି ବନ୍ୟା ପରିସ୍ଥିତି ନଥିବାରୁ ଏବେ ଆଉ ଅଧିକ ଗେଟ୍ ଖୋଲାଯିବ ନାହିଁ ବୋଲି ଜଣାପଡ଼ିଛି । ଏହା ସହିତ ଏହି ବନ୍ୟାଜଳ ନିଷ୍କାସନ ଯୋଗୁ ତଳ ମୁଣ୍ଡରେ ତଥା ମହାନଦୀର ଶାଖା ନଦୀ ଗୁଡ଼ିକରେ ବନ୍ୟା ସ୍ଥିତି ଉପୁଜିବାର କୌଣସି ସମ୍ଭାବନା ନାହିଁ ବୋଲି ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ କହିଛନ୍ତି ।

Comments (0)
Add Comment