ଅନୁଗୁଳ: ପଦ୍ମ ଘୁଂଚିଲା ଭଳି ଘୁଂଚିଘଂଚି ଯାଉଛି ତାଳଚେର- ବିମଳାଗଡ଼ ରେଳପଥ ନିର୍ମାଣ କାର୍ଯ୍ୟା ୨୦୨୨ ଡିସେମ୍ବରରେର ଏହି ପ୍ରକଳ୍ପ ଶେଷ କରିବାକୁ ଯୋଜନା ରହିଥିଲାବେଳେ ଏବେ ଘୁଂଚିଯାଇଛି ଆଉ ତିନି ବର୍ଷ । ୫ ଦଶନ୍ଧିର ବହୁ ପ୍ରତୀକ୍ଷିତ ଏହି ପ୍ରକଳ୍ପ ବାଟରେ ଜମି ବଡ଼ ସମସ୍ୟା ଭାବେ ଉଭା ହୋଇଛି । ସରକାରୀ ହେଉ ଅବା ବେସରକାରୀ ଜମି ଅଧିଗ୍ରହଣକୁ ରାଜ୍ୟ ସରକାର ଏତେ ଧିମା କରିଦେଇଛି ଯେ ରାଜ୍ୟର ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ ନିର୍ମାଣର ସମୟ ସୀମାକୁ ଚଳିତ ସେପ୍ଟେମ୍ବର ପହିଲାରେ କେନ୍ଦ୍ର ସରକାର ଆହୁରି ତିନି ବର୍ଷ ଘୁଂଚାଇ ଦେଇଛନ୍ତି । ଫଳରେ ୨୦୨୫ ମାର୍ଚ୍ଚ ପୂର୍ବରୁ ତାଳଚେରରୁ ବିମଳାଗଡ଼କୁ ରେଳ ଚଳାଚଳର ସ୍ୱପ୍ନ ଚୂରମାର ହୋଇଯାଇଛି । ପ୍ରକଳ୍ପର ଡେପୁଟି ଚିଫ୍ ଇଞ୍ଜିନିୟର ପି.କେ ପଣ୍ଡା ଇଷ୍ଟକୋଷ୍ଟ ରେଳୱେକୁ ଲେଖିଥିବା ଚିଠିରୁ ଏକଥା ପଦାକୁ ଆସିଛି । ତାଳଚେରରୁ ବିମଳାଗଡ଼ ଯାଏ ରେଳପଥ ନିର୍ମାଣ ପାଇଁ ୫ ଦଶନ୍ଧି ତଳୁ ଦାବି ହୋଇ ଆସୁଛି । ୨୦୦୩-୦୪ ଆର୍ଥିକ ବର୍ଷରେ ରେଳ ମନ୍ତ୍ରାଳୟ ଏହି ପ୍ରକଳ୍ପକୁ ଅନୁମୋଦନ କରିଥିଲା ୨୦୦୭-୦୮ ଆର୍ଥିକ ବର୍ଷରେ ପ୍ରକଳ୍ପର ପ୍ରଥମ ବ୍ୟୟ ଅଟକଳ ଥିଲା ୮୧୦.୭୮ କୋଟି । କିନ୍ତୁ ନିର୍ମାଣକାର୍ଯ୍ୟରେ ବିଳମ୍ବ ଯୋଗୁଁ ଦୀର୍ଘ ୮ ବର୍ଷ ପରେ ୨୦୧୬ ନଭେମ୍ବେର ମାସରେ ପ୍ରକଳ୍ପର ନୂଆ ବ୍ୟୟ ଅଟକଳ ଅଢେ଼ଇ ଗୁଣକୁ ବୃଦ୍ଧି ପାଇ ୧୯୨୮.୦୭ କୋଟି ଟଙ୍କାକୁ ପରିବର୍ଦ୍ଧିତ ହେଲା ପ୍ରକଳ୍ପ ପାଇଁ ଅନୁଦାନର ଅଭାବ ନଥିଲା ବେଳେ କେବଳ ରାଜ୍ୟ ସରକାରଙ୍କ ଧିମା ଜମି ଅଧିଗ୍ରହଣ ପ୍ରକ୍ରିୟା ହିଁ କେନ୍ଦ୍ର ସରକାରଙ୍କର ଏହି ପ୍ରକଳ୍ପକୁ ବର୍ଷ ପରେ ବର୍ଷ ଗଡ଼ାଇ ଚାଲିଛି । ଡେପୁଟି ଚିଫ୍ ଇଞ୍ଜିନିୟର ଶ୍ରୀ ପଣ୍ଡାଙ୍କ ଚିଠି ମୁ୍ତାବକା ୧୪୯.୭୮ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ପ୍ରକଳ୍ପ ପାଇଁ ମୋଟ୍ ଦୁଇ ହଜାର ୭୭ ଏକର ଜମି ଆବଶ୍ୟକ ଥିବା ଳେବେ ଅଦ୍ୟାବଧି ଆହୁରି ୯୫୩ ଏକର ଜମି ଅଧିଗ୍ରହଣ ହୋଇ ପାରିନାହାହିଁ । ଜଙ୍ଗଲ ଜମିରେ ସବୁ ପ୍ରକାର ମଞ୍ଜୁରି କେନ୍ଦ୍ର ସରକାର ଦେଇ ମୋଟ୍ ୯୯୧ ଏକର ବେସରକାରୀ ଜମି ଲୋଡ଼ା ସେଥିରୁ ରାଜ୍ୟ ସରକାର ମାତ୍ର ୩୦ ପ୍ରତିଶତ ଜମି ଅଧିଗ୍ରହଣ କରିଥିବା ବେଳେ ଆହୁରି ୭୦ ପ୍ରତିଶତତ (୬୯୩ ଏକର) ଜମି ରେଳ ବିଭାଗକୁ ହସ୍ତାନ୍ତରିତ ହୋଇ ପାରିନାହିଁ । ସେହିପରି ଏହି ପ୍ରକଳ୍ପ ପାଇଁ ୪୨୨ ଏକର ସରକାରୀ ଜମି ଲୋଡ଼ା । କିନ୍ତୁ ରାଜ୍ୟ ସରକାର ମାତ୍ର ଦେଇଛନ୍ତି ୧୬୨ ଏକାର । ଯାହା ମାତ୍ର ୩୮ ପ୍ରତିଶତ । ଆହୁରି ୬୨ ପ୍ରତିଶତ (୨୬୦ ଏକର) ଜମି ଯୋଗାଇବାରେ ରାଜ୍ୟ ସରକାରଙ୍କ ବିଳମ୍ବ ହିଁ ତାଳଚେର- ବିମଳାଗଡ଼ ରେଳପଥକୁ ଆହୁରି ଗଡ଼ାଇଦେବାକୁ ବାଧ୍ୟ କରିଛି । ଏହି ପ୍ରକଳ୍ପ ଅନୁଗୁଳ ଦେବଗଡ଼ ଏବଂ ସୁନ୍ଦରଗଡ଼ ଆଦି ତିନୋଟି ଜିଲ୍ଲାକୁ ନେଇ ଗଠିତ । ଦେବଗଡ଼ ଜିଲ୍ଲାର ତଥ୍ୟକୁ ଦେଖିଲେ, ସରକାରୀ ଜମି ଅଧିଗ୍ରହଣରେ ଚରମ ଅବହେଳା କଥା ଜଳଜଳ ଦିଶୁଛି । ଏହି ପ୍ରକଳ୍ପ ପାଇଁ ଦେବଗଡ଼ ଜିଲ୍ଲାରୁ ମାତ୍ର ୮୧ ଏକର ଜମି ଆବଶ୍ୟକ । ମାତ୍ର ଏଯାବତ୍ ସରକାର ଗୋଟିଏ ଇେଂଚ ବି ଜମି ଦେଇ ନାହାନ୍ତି । ୪୮ ଏକାର ଅଧିକୃତ ହେବାକୁ ବାକି ରହିଛି । ସରକାରୀ ଜମି ଅପେକ୍ଷା ବେସରକାରୀ ଜମି ଅଧିଗ୍ରହଣର ସ୍ଥିତି ଅଧିକ ଦୟନୀୟ । ରେଳପଥ ପାଇଁ ଦେବଗଡ଼ ଜିଲ୍ଲାରୁ ୧୯୨ ଏକର ବେସରକାରୀ ଜମି ଦରକାର ଥିବାବେଳେ ଗୋଟିଏ ଇେଂଚ ବି ଜମି ଅଧିଗ୍ରହଣ ହୋଇନାହିଁ । ସେହିପରି ସୁନ୍ଦରଗଡ଼ ଜିଲ୍ଲାରୁ ମୋଟ୍ ୨୪୮ ଏକରର ବେସରକାରୀ ଜମି ଅଧିଗୃହୀତ ହେବାକୁ ଥିବା ବେଳେ ସେଥିରୁ ମଧ୍ୟ କିଛି ବି ଅଧିଗ୍ରହଣ କରି ନାହାନ୍ତି । ପୂରା ଜମି ପାଇଁ ରାଜ୍ୟ ସରକାରଙ୍କ ପାଖରେ ମନ୍ତ୍ରାଳୟ ପୂରା ଟଙ୍କା ପୈଠ କରି ସାରିଥିବା ବେଳେ ଜମି ଅଧିଗ୍ରହଣ ବେଳେ ଜମି ଅଧିଗ୍ରହଣରେ କାହିଁକି ବିଳମ୍ବ ହେଉଛି ତାହାକୁ ନେଇ ପ୍ରଶ୍ନ ଉଠିଛି ।