୨୫ତମ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୩ ଜାନୁୟାରୀ ୧୪ରୁ

ଭବାନୀପାଟଣା : ଦୀର୍ଘ ୨୩ ବର୍ଷ ଧରି ନିରବଚ୍ଛିନ୍ନ ଭାବେ କଳାହାଣ୍ଡିର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ନେଇ ଚାଲିଆସିଥିବା କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୦ ଏବଂ ୨୦୨୧ ଦୁଇ ବର୍ଷ ଧରି କୋରନା ମହାମାରୀ ଓ ସରକାରୀ କଟକଣା ଯୋଗୁଁ କଳାହାଣ୍ଡି ଉତ୍ସବ ଘୁମୁରା ହୋଇ ପାରିନଥିଲା । କୋରନା ମହାମାରୀର କଟକଣା ଉଠିଯିବା ପରେ ୨୦୨୨ ପୂର୍ବ ବର୍ଷ ପରି କଳାହାଣ୍ଡି ଉତ୍ସବ ଘୁମୁରା ଅନୁଷ୍ଠିତ ହୋଇଥିଲା ।ଚଳିତ ବର୍ଷ ଆସନ୍ତା ଜାନୁୟାରୀ ୧୪ରୁ ୧୭ ତାରିଖ ୨୦୨୩ ପର୍ଯ୍ୟନ୍ତ ସ୍ଥାନୀୟ ଲାଲବାହାଦୂର ଶାସ୍ତ୍ରୀ ଷ୍ଟାଡିୟମଠାରେ ୨୫ତମ କଳାହାଣ୍ଡି ଉତ୍ସବ ଘୁମୁରା- ୨୦୨୩ ଅନୁଷ୍ଠିତ ହେବା ସହିତ ଧର୍ମଗଡ ପଞ୍ଚାୟତ ପଡିଆରେ ଉପଖଣ୍ଡସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଜାନୁୟାରୀ ୧୫ ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କଳାହାଣ୍ଡି ଉତ୍ସବ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଛି । କଳାହାଣ୍ଡି ଜିଲ୍ଲାପାଳ ତଥା ଜଲ୍ଲା ସଂସ୍କୃତି ପରିଷଦର ଅଧ୍ୟକ୍ଷା ପି . ଅନ୍ୱେଷା ରେଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୨୫ ତମ କଳାହାଣ୍ଡି ଉତ୍ସବ ଘୁମୁରା -୨୦୨୩ ପାଇଁ ପ୍ରସ୍ତୁତି ବୈଠକ ୧ ତାରିଖ ଅପରାହ୍ନ ୫ ଘଣ୍ଟା ସମୟରେ କଳାହାଣ୍ଡି ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଭବାନୀପାଟଣା ପୌରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା , ଅତିରିକ୍ତ ଜିଲ୍ଲାପାଳ ତନ୍ମୟ ଦରଓ୍ବାନ ଓ ତ୍ରିଲୋଚନ ପାତ୍ର , କଳାହାଣ୍ଡି ଏସ ପି ଅଭିଳାଷ ଜୀ ,ଭବାନୀପାଟଣା ଉପଜିଲ୍ଲାପାଳ ଡ. ଜଗନ୍ନାଥ ଦାସ , କଳାହାଣ୍ଡି ବିଶ୍ୱବିଦ୍ୟାଳୟର ଉପ କୂଳପତି ଡ. ସଂଜୟ ଶତପଥୀ , ସିଡିଏମ୍ଓ , ପିଏ ଆଇଟିଡିଏ , ବିଭିନ୍ନ ସରକାରୀ ବିଭାଗର ଅଧିକାରୀ ସମେତ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ପିତା ବେହେରା , ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସମେତ ପରିଷଦର ସମସ୍ତ ସଦସ୍ୟ ସଦସ୍ୟା , ଲୋକ ପ୍ରତିନିଧି ,ବିଭିନ୍ନ ସଂଗଠନର କର୍ମକର୍ତ୍ତା , ଲେଖକ ଓ ଲେଖିକା , ଯୋଗଦେଇଥିଲେ । କଳାହାଣ୍ଡି ଉତ୍ସବର ବିଭିନ୍ନ ଉପକମିଟିର ଅଧ୍ୟକ୍ଷ, ଆବାହକ ଓ ସଦସ୍ୟମାନେ ଯୋଗ ଦେଇଥିଲେ । କଳାହାଣ୍ଡି ଉତ୍ସବ କେବଳ ଉତ୍ସବରେ ପରିଣତ ହୋଇନାହିଁ ଏହି ଉତ୍ସବ ଏକ ଗଣ ଉତ୍ସବ ଭାବରେ ପରିଣତ ହୋଇସାରିଛି । ତେଣୁ ପ୍ରତିବର୍ଷ ଜାନୁୟାରୀ ୧୪ ତାରିଖ (ମକର ସଂକ୍ରାନ୍ତି ଦିନ) କଳାହାଣ୍ଡି ଉତ୍ସବ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ କଳାହାଣ୍ଡି ଉତ୍ସବ ଘୁମୁରାରେ ପ୍ରବଳ ଜନଗହଳି ହେବା ସମ୍ଭାବନା ରହିଛି। ଦୀର୍ଘ ବର୍ଷ ଧରି ବିଭିନ୍ନ କମିଟ ରହିଆସିଥିବା ବ୍ୟକ୍ତିଙ୍କୁ ପରିବର୍ତ୍ତନ କରି ନୂତନ ବ୍ୟକ୍ତିମାନଙ୍କୁ ଉକ୍ତ କମିଟରେ ରଖାଯିବା ଏହି ସବୁ ଉପରେ ଦୀର୍ଘ ସମୟ ଧରି ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ପୂର୍ବ ବର୍ଷ ପରି ଚଳନ୍ତି ବର୍ଷ ୨୫ ତମ କଳାହାଣ୍ଡି ଉତ୍ସବ ଆସନ୍ତା ଜାନୁୟାରୀ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର ହୋଇଥିଲା । ପୂର୍ବ ବର୍ଷ ପରି ଚଳନ୍ତି ବର୍ଷ ମଧ୍ୟ କଳାହାଣ୍ଡି ଉତ୍ସବରେ ଗ୍ରାମ ପଞ୍ଚାୟତ ଓ ବ୍ଳକ ସ୍ତରୀୟ କଳାହାଣ୍ଡି ଉତ୍ସବ , ମଶାଲ ଶୋଭା ଯାତ୍ରା ,ପଲ୍ଲୀଶ୍ରୀ ମେଳା, ହସ୍ତତନ୍ତ ମେଳା, ବୟନଶିଳ୍ପ ମେଳା ସମେତ ବିଭିନ୍ନ ଉନ୍ନୟନ ପ୍ରଦର୍ଶନୀ ଆୟୋଜନ କରିବା ନିମନ୍ତେ ସ୍ଥିର କରାଗଲା । ଇନ୍ଦ୍ରାବତୀ ଜଳଭଣ୍ଡାରରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତା, ରାହାଗିରୀ ,ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, ମହିଳା ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା, କବି ସମ୍ମିଳନୀ, ଆଲୋଚନା ଚକ୍ର, ଜିଲ୍ଲାସ୍ତରୀୟ ଘୁମୁରା ପ୍ରତିଯୋଗିତା, ଜିଲ୍ଲାସ୍ତରୀୟ ଶିଶୁ ଘୁମୁରା ପ୍ରତିଯୋଗିତା ସହିତ ଅନ୍ୟାନ୍ୟ ପ୍ରତିଯୋଗିତା ସହ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆୟୋଜନ କରିବା ସହ ଜିଲ୍ଲା ତଥା ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଦଳ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ନିଷ୍ପତ୍ତି ନିଆଗଲା । ଏହା ସହିତ ଏହି ଉତ୍ସବ ସମୟରେ ଲୋକ ଗହଳି ଅଧିକ ହେବ ତେଣୁ ଟ୍ରାଫିକ ସମସ୍ୟା ଓ ଆଇନଶୃଙ୍ଖଳା ଉପରେ ଆଲୋଚନା ହୋଇଥିଲା । ଏହା ସହିତ ଆଉ କିଛି ନୂତନ କାର୍ଯ୍ୟକ୍ରମ କରାଯିବା ପାଇଁ ଯୋଜନା ଚାଲିଛି ବୋଲି ଜିଲ୍ଲାପାଳ ପି .ଅନ୍ୱେଷା ରେଡି ପ୍ରକାଶ କରିଥିଲେ । ରାହାଗିରି କାର୍ଯ୍ୟକ୍ରମ କଳାହାଣ୍ଡି ଉତ୍ସବ ଉପଲକ୍ଷେ ଆୟୋଜନ କରିବା ପାଇଁ ସ୍ଥିର ହୋଇଥିଲା । ଜିଲ୍ଲା ସଂସ୍କୃତି ଅଧୂକାରୀ ଅର୍ପିତା ବେହେରା ୨୫ ତମ କଳାହାଣ୍ଡି ଉତ୍ସବର ରୂପରେଖ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂମ୍ପର୍କ ଅଧିକାରୀ ମନୋଜ ବେହେରା ବେହେରା ଧନ୍ୟବାଦ ଦେଇଥିଲେ ।

Comments (0)
Add Comment