ଭୁବନେଶ୍ୱର: ଜୁଲାଇ ୩୧ ତାରିଖ ଭିତରେ ପ୍ରକାଶ ପାଇପାରେ ଯୁକ୍ତ ଦୁଇ ରେଜଲ୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ପୂର୍ବରୁ ଆମେ ଅଗଷ୍ଟ ଦ୍ୱିତୀୟ ସପ୍ତାହ ସୁଦ୍ଧ ଯୁକ୍ତ ଦୁଇର ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଥିଲୁ । କିନ୍ତୁ ସୁପ୍ରିମକୋଟ ଜୁଲାଇ ୩୧ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ କହିଛନ୍ତି । ତେଣୁ ଜୁଲାଇ ୩୧ ତାରିଖ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ଆମେ ଚେଷ୍ଟା କରୁଛୁ । ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଛନ୍ତି, ମୁଁ ଆଶାବାଦୀ ଯେ ଆମେ ଜୁଲାଇ ୩୧ ଭିତରେ ରେଜଲ୍ଟ ପ୍ରକାଶ କରି ଦେବୁ । ଯଦି କିଛି ସମସ୍ୟା ହେଲା, ତା’ହେଲେ ଦିନେ ଦୁଇ ଦିନ ବିଳମ୍ବ ହୋଇପାରେ । କରୋନା ଯୋଗୁ ଏଥର ମାଟ୍ରିକ୍ ଭଳି ଯୁକ୍ତ ଦୁଇର ମଧ୍ୟ ପରୀକ୍ଷା ହୋଇନାହିଁ । ମାଟ୍ରିକ୍ ଭଳି ବିକଳ୍ପ ବ୍ୟବସ୍ଥା ଯୋଗେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ କରାଯିବ ।ସୂଚନାଯୋଗ୍ୟ, ଗତ ମାସରୁ ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇ ସାରିଛି । ରେଜଲ୍ଟକୁ ନେଇ ଅନେକ ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ରେଜଲ୍ଟରେ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀମାନେ ଅଫ୍ଲାଇନ୍ରେ ପରୀକ୍ଷା ଦେବା ଲାଗି ବିଜ୍ଞପ୍ତି ବି ପ୍ରକାଶ ପାଇସାରିଛି । ଏଥିପାଇଁ ଜୁଲାଇ ୫ ତାରିଖରୁ ଫର୍ମଫିଲ୍ଅପ୍ ଚାଲିଛି, ଯାହା ୧୪ ତାରିଖରେ ଶେଷ ହେବ । ଏହା ପରେ ଜୁଲାଇ ୩୦ରୁ ଅଗଷ୍ଟ ୫ ତାରିଖ ଯାଏଁ ପରୀକ୍ଷା ହେବ ।