କଟକ: କ୍ରାଇମବ୍ରାଂଚ ଏସଟିଏଫ୍ ହାତରେ ଆଫଗାନିସ୍ତାନ୍ ବ୍ରାଉନସୁଗାର ଲିଙ୍କ୍ ଲାଗିଛି । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ବାଲେଶ୍ୱର ଜିଲ୍ଲା ଜାମଲପୁର ଅଂଚଳରେ ବ୍ରାଉନସୁଗାର ମାଫିଆଙ୍କ ଆଡ୍ଡାରେ ବୁଧବାର ରାତିରେ ଚଢ଼ଉ ହୋଇଥିଲା । ତଦନ୍ତରୁ ଅନ୍ତର୍ଜାତୀୟ ବ୍ରାଉନସୁଗାର କାରବାର ସାମ୍ନାକୁ ଆସିଛି । ଏସଟିଏଫ ଦୁଇ ବ୍ରାଉନସୁଗାର ମାଫିଆ ଗିରଫ କରିଛି । ମାଫିଆ ଚାଲାଣ କରୁଥିବା ୪ କେଜି ୨୫ ଗ୍ରାମ ଓଜନ ବ୍ରାଉନସୁଗାର ଜବତ କରାଯାଇଛି । ଜବତ ବ୍ରାଉନସୁଗାର ମୂଲ୍ୟ ୪ କୋଟି ଅଢେ଼ଇ ଲକ୍ଷ ଟଙ୍କା ହେବ ବୋଲି କ୍ରାଇମବ୍ରାଂଚ ଆକଳନ କରୁଛି । ଚଳିତ ବର୍ଷ ଲକ୍ଡାଉନ୍ ସମୟରେ ଏସଟିଏଫ ହାତରେ ୨୦ କୋଟି ୭୫ ଲକ୍ଷ ଟଙ୍କାର ବ୍ରାଉନ ସୁଗାରର ଧରାପଡ଼ିଲାଣି । ଯାହକି ବିଗତ ୮ ବର୍ଷ ଭିତରେ ରାଜ୍ୟରେ ସର୍ବାଧିକ ବୋଲି କୁହାଯାଉଛି । ସୂଚନା ଅନୁଯାୟୀ, କ୍ରାଇମବ୍ରାଂଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନିର୍ଦେଶକ୍ରମେ କ୍ରାଇମବ୍ରାଂଚ ଏସଟିଏଫର ଏକ ସ୍ୱତନ୍ତ୍ର ଟିମ୍ ବୁଧବାର ରାତିରେ ବାଲେଶ୍ୱର ଜିଲ୍ଳା ଜଳେଶ୍ୱର ଥାନା ଅଧିକ ଜମଲପୁର ନିକଟରେ ବ୍ରାଉନସୁଗାର କାରବାର ଚାଲିଥିବା ଖବର ପାଇ ଚଢ଼ଉ କରିଥିଲା । ୨ ବ୍ରାଉନସୁଗାର ମାଫିଆଙ୍କୁ ଘଟଣା ସ୍ଥଳରୁ ଗିରଫ କରାଯାଇଛି । ଆଫଗାନିସ୍ତାନରୁ ବ୍ରାଉନସୁଗାର କଲିକତା ଚାଲାଣ ହେଉଥିବା କୁହାଯାଉଛି । ସେଠାରୁ ଓଡ଼ିଶାର ବିଭିନ୍ନ ଜିଲ୍ଲାକୁ ଆସୁଛି । ଆଫଗାନିସ୍ଥାନରେ ବ୍ରାଉନସୁଗାର କେଜି ପିଛା ଅଢେ଼ଇ ଲକ୍ଷ ଟଙ୍କାରେ ଆମଦାନୀ ହେଉଥିବା ବେଳେ ଓଡ଼ିଶା ବଜାରରେ କୋଟିଏ ଟଙ୍କାରେ ବିକ୍ରି ହେଉଥିବା ଏସଟିଏଫ ତଦନ୍ତରୁ ଜାଣିବାକୁ ପାଇଛି । ପୋଲିସ ଡିଜି ଅଭୟ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ ୨୦୨୦ରେ ଲକ୍ଡାଉନ ସମୟରେ ଏସଟିଏଫ ମୋଟ ୨୦ କେଜି ୭୩୬ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨୦ କୋଟି ୭୫ ଲକ୍ଷ ଟଙ୍କା ବର୍ତମାନ ସୁଦ୍ଧାର ୨୨ଟି ମାମଲା ରୁଜୁ କରାଯାଇଛି । ୪୩ ଜଣ ବ୍ରାଉନସୁଗାର ମାଫିଆଙ୍କୁ ଏସଟିଏଫ୍ ଗିରଫ କରିଛି । ୨୦୨୦ ମାର୍ଚ୍ଚ ତାରିଖରେ ୧ କେଜି ୭୪୯ ଗ୍ରାମ ବ୍ରାଉନସୁଗାର ଜବତ କରିଥିଲା । ମାର୍ଚ୍ଚ ୧୯ ତାରିଖରେ ୨ କେଜି ୭୨୯ ଗ୍ରାମ, ଜୁନ ୨ ତାରିଖରେ ୧ କେଜି ୮ ଗ୍ରାମ, ଜୁନ ୧୯ ତାରିଖରେ ୪ କେଜି ୪୫୮ ଗ୍ରାମ, ଜୁଲାଇ ୧୯ ତାରିଖରେ ୩ କେଜି ୨୮୫ ଗ୍ରାମ, ଅଗଷ୍ଟ ୧୭ ଓ ୧୮ ତାରିଖରେ କେଜି ୩୨୦ ଗ୍ରାମ ଓ ୪ କେଜି ୨୫ ଗ୍ରାମ ଜବତ କରାଯାଇଛି ।
ଏବେ ଗିରଫ ଦୁଇ ବ୍ରାଉନସୁଗାର ମାଫିଆଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ସେମାନଙ୍କୁ ଏସଟିଏଫ ରିମାଣ୍ଡରେ ଆଣି ଅନ୍ତର୍ଜାତୀୟ ବ୍ରାଉନସୁଗାର ଲିଙ୍କ୍ ଖୋଳତାଡ କରିବାକୁ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।