ଭୁବନେଶ୍ୱର: ସମ୍ବଲପୁର, ସୁନ୍ଦରଗଡ, ଝାରସୁଗୁଡା, ଅନୁଗୁଳ ଆଦି ୪ଜିଲ୍ଲାରେ ୫୫୦ କୋଭିଡ୍ ବେଡ୍ ପ୍ରତିଷ୍ଠା ହେବ । କେବଳ ୫୫୦ଟି ଶର୍ଯ୍ୟା ନୁହେଁ, ତା’ ସହ ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ ଯୁଦ୍ଧକାଳୀନ ଭିତିରେ କରାଯିବ । ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଅନୁରୋଧ କରିଥିବା ବେଳେ ଏହାକୁ ତତ୍କାଳ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ଖଣି ମନ୍ତ୍ରୀ । ଗତ ୭ ତାରିଖରେ କେନ୍ଦ୍ର ଖଣି ମନ୍ତ୍ରୀଙ୍କୁ ଏନେଇ ପତ୍ର ଲେଖିଥିଲେ ଧର୍ମେନ୍ଦ୍ର ପ୍ରଧାନ । ଏହା ପରେ ଏମ୍ସିଏଲକୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଖଣି ମନ୍ତ୍ରୀ । ଏନେଇ ପ୍ରଧାନମନ୍ତ୍ରୀ ଓ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏଯାଏଁ ରାଜ୍ୟରେ କୋଭିଡ-୧୯ ପରିଚାଳନା ପାଇଁ ୧୪୦ କୋଟି ଖର୍ଚ୍ଚ କଲାଣି ଏମସିଏଲ୍ । ସୂଚନାଯୋଗ୍ୟ, ରାଜ୍ୟରେ କୋଭିଡ୍ ପରିଚାଳନା ନେଇ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଗାମୀ ୧୫ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ, ତେଣୁ ତୃଣମୂଳ ସ୍ତରରେ କୋଭିଡ୍ ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସ୍ୱେଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, କୋଭିଡ୍ ମୁକାବିିଲା ତଥା ସଠିକ୍ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ୱାର୍ଡ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତାମାନଙ୍କୁ ନେଇ ଏକ ‘କୋଭିଡ୍ କ୍ରାଇସିସ୍ ମ୍ୟାନେଜମେଂଟ କମିଟି ଗଠନ କରାଯାଉ । ଓଡିଶାରେ କିପରି ଭ୍ୟାକସିନ୍ ଉପଲବ୍ଧ ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଛନ୍ତି । ରାଜ୍ୟକୁ କିପରି ଭ୍ୟାକ୍ସିନ୍, ରେମଡେସିଭର ଡ୍ରଗ୍ସ ଓ ରାପିଡ୍ ଆଂଟିଜେନ୍ ଟେଷ୍ଟ କିଟ୍ ଅଧିକରୁ ଅଧିକ ଯୋଗାଯାଇପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀ ମୋତେ ଜଣାଇଛନ୍ତି । ସୂଚନାଯୋଗ୍ୟ, ଗତ ୨୪ ଘଂଟାରେ ରାଜ୍ୟରେ ୧୦,୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୭୬ ହଜାର ୨୯୭ରେ ପହଞ୍ଚି ଯାଇଛି । ଗତ ୨୪ ଘଂଟାରେ ରାଜ୍ୟରେ ୧୯ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୨୫୧କୁ ବୃଦ୍ଧି ପାଇଛି ।