୪ ଡକାୟତ ଗିରଫ, ଜଣେ ଫେରାର

ଯୋଡା: କେନ୍ଦୁଝର ଜିଲ୍ଲା ଯୋଡା ଥାନା ବନେଇକଳା ବସ୍ତିରେ ହୋଇଥିବା ଡକାୟତି ଘଟଣାରେ ପୋଲିସ ୪ଜଣଙ୍କୁ ଡତାୟତକୁ ଗିରଫ କରିବା ସଙ୍ଗେ ସଙ୍ଗେ ସୁନା ଜିନିଷ କିଣିଥିବା ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି । ଅନ୍ୟଜଣେ ଫେରାର ହୋଇଯାଇଛି । ବୃଦ୍ଧ ଦମ୍ପତି ଶୋଇଥିବା ଅବସ୍ଥାରେ ଚୋରି ହୋଇଥିବା ଘଟଣା ପୋଲିସ ଜାଣିବା ପରେ ଅପରାଧୀ ମାନେ କୌଣସି ନଶ୍ଚେତକ ବ୍ୟବହାର କରି ଉଭୟଙ୍କ ଅଚେତ କରିଥିବାର ସନେ୍ଦହ କରିଥିଲା । ବିଭିନ୍ନ ସ୍ଥାନରେ ଲଗାତାର ଯୋଡା ପୋଲିସର ଚଢାଉ ପରେ ଅପରାଧୀ ମାନଙ୍କ ମଧ୍ୟରୁ ଯୋଡା ଥାନା ମୁଖାର୍ଜୀ ହାଟିଂ ଅଞ୍ଚଳର ଆକାଶ ତନ୍ତୀ (୨୫) ନାମକ ଅଭିଯୁକ୍ତକୁ ବାମେବାରୀ ଥାନା କାଳିମାଟି ଅଞ୍ଚଳରୁ ପୋଲିସ ଧରିବାରେ ସଫଳ ହୋଇଥିଲା । ପାଣି ପାଇପ ସାହାଯ୍ୟରେ ଉପରମହଲାକୁ ଚଢି ଚୋରି କରିଥିଲୁ ଏବଂ ଅନ୍ୟ କେଉଁମାନେ ଏଥିରେ ସମ୍ପୃକ୍ତ ଥିବା ଆକାଶ ସ୍ୱୀକାର କରିବା ପରେ ଯୋଡା ପୋଲିସ ବିଭିନ୍ନ ସ୍ଥାନରେ ଚଡାଉ କରି ଯୋଡା ଥାନା ଜାହିରା ହାଟିଂର ମହମ୍ମଦ ଛୋଟୁ ଓରଫ ସାଜିଦ (୨୮)କୁ ବଡବିଲ ଏବଂ ଯୋଡା ନେପାଳୀ ହାଟିଂରେ ରହୁଥିବା ଟିପିଲି ଓରଫ ରୁପେଶ ନାଏକ (୧୯)କୁ ଗିରଫ କରିବାରେ ସକ୍ଷମ ହୋଇଥିବା ବେଳେ ଚୋରି ଘଟଣାରେ ଅନ୍ୟଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ଚୋରା ସୁନା କିଣିଥିବା ଅଭିଯୋଗରେ ଯୋଡା ଥାନା ଆଜାଦବସ୍ତି ଅଞ୍ଚଳର କାଳୀଚରଣ ମାଝୀ ଓରଫ କାଣ୍ଡେ (୩୧) ସମେତ ୪ ଅଭିଯୁକ୍ତକୁ ଗୁରୁବାର କୋର୍ଟ ଚାଲାଣ କରାଯାଇଥିବା ଖବର ହସ୍ତଗତ ହୋଇଛି । ଚୋରି ହୋଇଥିବା ନଗଦ ଟଙ୍କାକୁ ଅଭିଯୁକ୍ତ ମାନେ ଆପସରେ ବାଛି କରି ଖର୍ଚ୍ଚ କରି ଦେଇଥିବାରୁ ଟଙ୍କା କିଛି ଜବତ ହୋଇନଥିବା ବେଳେ ୨ଟି ସୁନାଚେନ,୨ଟି ସୁନା ମୁଦୀ,୨ ହଳ ସୁନା ଚୁଡି,୩ଟି ମଙ୍ଗଳସୂତ୍ର,୨ ହଳ ରୂପା ଚୁଡି,୪ ହଳ ପାଉଁଜ,ଗୋଟିଏ ରୂପାଚେନ,୫ଗୋଟି ଗୋଡ ମୁଦି,୨ଟି ରୂପା କଏନ,ଗୋଟିଏ ମହିଳା ହାତଘଂଟା ଓ ଗୋଟିଏ ମୋବାଇଲ ଫୋନ ପୋଲିସ ଜବତ କରିଛି । ଏହାବ୍ୟତୀତ ଅଭିଯୁକ୍ତ ମହମ୍ମଦ ଛୋଟୁ ପାଖରେ କିଛି ସୁନାଗହଣା ଥିବା ନେଇ ପ୍ରମାଣ ମିଳିବା ସତ୍ୱେବି ସେ ମାନୁନଥିବାରୁ ଆବଶ୍ୟକ ସ୍ଥଳେ ତାକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚୁରା କରାଯିବ ବୋଲି ଯୋଡା ଥାନା ଅଧିକାରୀ ରାଇସେନ ମୁର୍ମୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗିରଫ ଅଭିଯୁକ୍ତ ମାନେ ପେଶାଦାର ଅପରାଧୀ ହୋଇଥିବା ବେଳେ ଯୋଡା ଥାନା ସମେତ ବିଭିନ୍ନ ଥାନାରେ ଏମାନଙ୍କ ନାମରେ ଏକାଧିକ ଅପରାଧୀକ କେସ ଅଛି ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments (0)
Add Comment