କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଟାଉନ ଥାନା ରାଙ୍କି ମୁଣ୍ଡାସାହିରେ ଘରୋଇ କଳିକୁ କେନ୍ଦ୍ରକରି ୫ବର୍ଷର ଝିଅକୁ ହତ୍ୟା କରି ବାପା ଗିରଫ ହେବା ଘଟଣା ଚାଂଚଲ୍ୟ ସୃଷ୍ଟି କରିଛି । ମୃତ ଶିଶୁ କନ୍ୟା ପୂଜାଙ୍କ ମାମୁ ରଞ୍ଜିତ ମୁଣ୍ଡାଙ୍କ ଅଭିଯୋଗକୁ ଭିତିି କରି ପୋଲିସ ଏକ ହତ୍ୟା ମାମଲା (ନଂ.୧୩୮/୨୦୨୦) ରୁଜୁ କରି ଅଭିଯୁକ୍ତ ବାପା ସୋନୁ ମୁଣ୍ଡାଙ୍କୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ, ରାଙ୍କି ମୁଣ୍ଡାସାହିରେ ରହୁଥିବା ସୋନୁ ମୁଣ୍ଡା ଏବଂ ତାଙ୍କ ସ୍ତ୍ରୀ ଗୁରୁବାରୀଙ୍କ ମଧ୍ୟରେ କିଛିଦିନ ପୂର୍ବରୁ ଝଗଡ଼ା ହୋଇଥିଲା । ଫଳରେ ଗୁରୁବାରୀ ତାଙ୍କର ୩ ପିଲାଙ୍କୁ ଧରି ନିକଟସ୍ଥ ବାପ ଘରକୁ ଚାଲି ଯାଇଥିଲେ । ଗୁରୁବାର ସନ୍ଧ୍ୟାରେ ମଝିଆ ଝିଆ ପୂଜା ତାଙ୍କ ବାପାଙ୍କ ପାଖକୁ ଚାଳି ଆସିଥିଲା । ତେବେ ରାତିରେ ପୂଜା ମାଆଙ୍କ ପାଖକୁ ଯିବା ପାଇଁ ଜିଦ୍ ଧରିବା ସହ କାନ୍ଦିଥିଲା । ସୋନୁ ଏଥିରେ ଉତକ୍ଷିପ୍ତ ହୋଇ ମାଡ଼ ମାରିବାରୁ ପୂଜାଙ୍କ ମୃତ୍ୟୁ ହୋଇଯାଥିଲା । ଶୁକ୍ରବାର ସକାଳେ ମୃତଦେହ ଘର ବାରଣ୍ଡାରେ ପଡ଼ିଥିବା ଦେଖି ଗୁରୁବାରୀ ପୋଲିସକୁ ଖବର ଦେଇଥିଲେ । ଏସ୍ଡିପିଓ ପି.ଜେ.ଟପ୍ସା, ଟାଉନ ଥାନା ଦାୟିତ୍ୱରେ ଥିବା ଅଧିକାରୀ ଅମିତ କୁମାର ଭୂୟାଁ ସଦଳବଳେ ପହଂଚି ମୃତଦେହ ଜବତ କରିବା ସହ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ମୃତ ପୂଜାଙ୍କ ପାଟିରୁ ରକ୍ତ ବାହରୁଥିବାରୁ ଅଭିଯୁକ୍ତ ତାଙ୍କୁ ତଂଟି ଚିପି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଥିବା ପୋଲିସ ସୂଚନା ଦେଇଛି ।