ଭୁବନେଶ୍ୱର : ରାଜ୍ୟରେ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ସରକାରୀ କାର୍ଯ୍ୟାଳୟଗୁଡ଼ିକ ପୂର୍ବବତ୍? ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ଆଦେଶନାମା ଜାରି ହୋଇଛି । ଯେଉଁ କର୍ମଚାରୀମାନେ ଦ୍ୱିତୀୟ ଡୋଜ୍ ଟିକା ନେଇ ସାରିଛନ୍ତି, ସେମାନେ ଅଫିସ ଆସିବାକୁ ବାଧ୍ୟତାମୂଳକ କରାଯାଇଛି । ସମସ୍ତ ବିଭାଗ ଓ ସବ୍ଅର୍ଡିନେଟ୍ କାର୍ଯ୍ୟାଳୟଗୁଡ଼ିକରେ ଉପ ଶାସନ ସଚିବ(ଡେପୁଟି ସେକ୍ରେଟାରି) କିମ୍ବା ତଦୁର୍ଦ୍ଧ୍ୱ ପାହ୍ୟାର ଅଧିକାରୀମାନେ ନିୟମିତ କାର୍ଯ୍ୟରେ ଯୋଗ ଦେବାକୁ କୁହାଯାଇଛି । ଏହି ବ୍ୟବସ୍ଥା ଆଜିଠାରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି ।
କିଏ କେତେବେଳେ ଡ୍ୟୁଟି କରିବେ, ରୋଷ୍ଟର ଡ୍ୟୁଟିରେ କେଉଁମାନେ ରହିବେ ସେ ନେଇ ବିଭଗୀୟ ମୁଖ୍ୟମାନେ ନିଷ୍ପତ୍ତି ନେବେ । ଜରୁରୀ ସେବା ପାଇଁ ଉଦ୍ଦିଷ୍ଟ କାର୍ଯ୍ୟାଳୟ ଯଥା; ସ୍ୱତନ୍ତ୍ର ରିଲିଫ୍ କମିସନ, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍ଡ୍ମା) ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ମ୍ୟୁନିସିପାଲିଟି ଓ ମହାନଗର ନିଗମଗୁଡ଼ିକ ପୂର୍ଣ୍ଣ କ୍ଷମତା ବା ଶତପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବ ।