୭ଟି ଅକ୍ସିଜେନ ପ୍ଲାଂଟର ଭିତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଂଟ ଏବଂ ୭ଟି ପିଏସଏ ବ୍ୟବସ୍ଥାର ଭିତିପ୍ରସ୍ତର ରଖିଛନ୍ତି । ଏହାସହିତ ବାଲେଶ୍ୱରରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ୱାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ ଆରଟିପିସିଆର ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି । ଏହି ସମସ୍ତ ଭିତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି ।
ବାଲେଶ୍ୱରର ଫକୀର ମୋହନ ମେଡିକାଲ କଲେଜ ଓହସ୍ପିଟାଲ, କୋରାପୁଟର ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲ , ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ, ବୁର୍ଲାର ଭୀମସାର, କଟକ ଏସସିବି, ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ଓ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହିସବୁ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରାଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ଦ୍ୱିତୀୟ ଲହରୀରେ ମେଡିକାଲ ଅକ୍‌ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା । ଏହି ସମୟରେ ଓଡିଶାରେ ଅକ୍‌ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ । ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି । ଓଡିଶା ପାଇଁ ଏହା ନିଶ୍ଚିତ ଭାବରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ପ୍ରତ୍ୟେକ ଓଡିଆଙ୍କ ପାଇଁ ଏହା ଆତ୍ମସନ୍ତୋଷର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅକ୍‌ସିଜେନର ଉତ୍ପାଦନ ଠାରୁ ଆରମ୍ଭ କରି ରୋଗୀକୁ ସେବା ଯୋଗାଇ ଦେବା ପର୍ଯ୍ୟନ୍ତ ବ୍ୟବସ୍ଥା ଏକ ଜଟିଳ ପ୍ରକ୍ରିୟା । ଏଥିରେ ବହୁତ ଯନ୍ତ୍ରପାତି, ଯାନବାହାନ, ନିରନ୍ତର ତଦାରଖ ଏବଂ ଅନ୍ୟାନ୍ୟ ବ୍ୟବସ୍ଥାର ଆବଶ୍ୟକତା ଜରୁରୀ । ଓଡିଶାକୁ ଆମେ ଦେଶର ବିଭିନ୍ନ ସ୍ଥାନରୁ ଏପରିକି ଚୀନ୍ ରୁ ମଧ୍ୟ ଅକ୍‌ସିଜେନ ସିଲିଣ୍ଡର ଆଣି ଆମର ବ୍ୟବସ୍ଥାକୁ ସୁଦୃଢ କରିଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କରୋନା ଭୂତାଣୁ ସଂକ୍ରମଣର ଅନିଶ୍ଚିତ ଗତି ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବର୍ତମାନ ଠାରୁ ହିଁ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଏଥିପାଇଁ ଆମର ସ୍ୱାସ୍ଥ୍ୟ ଭିତିଭୂମି, ସ୍ୱାସ୍ଥ୍ୟ କର୍ମଚାରୀ ଓ ପ୍ରଶିକ୍ଷଣ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ କାମ କରାଯାଉଛି । ଆଜିର ନୂଆ ବ୍ୟବସ୍ଥା ଗୁଡିକ ଲୋକଙ୍କୁ ଖୁବଶୀଘ୍ର ସେବା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଥିଲେ । ରାଜ୍ୟର ସମସ୍ତ ପ୍ରମୁଖ ହସ୍‌ପିଟାଲରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଂଟ ନିର୍ମାଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।ରଜ ଓ ସାବିତ୍ରୀ ପରି ଉତ୍ସବ ସମୟରେ ଜନସାଧାରଣ ସତର୍କ ରହି, ସମସ୍ତ କୋଭିଡ ନିୟମ ପାଳନ କରି ପର୍ବ ପାଳନ କରିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଝାରସୁଗୁଡାରୁ ଯୋଗ ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ କହିଲେ ଯେ ଓଡିଶା ବର୍ତମାନ ଅକ୍‌ସେଜେନ କ୍ଷେତ୍ରରେ ସାରା ଦେଶ ପାଇଁ ଓଡିଶା ଏକ ନୂଆ ଆଶା ହୋଇପାରିଛି । ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱର ପରାକାଷ୍ଠାକୁ ପ୍ରଶଂସା କରିଥିଲେ । ଆଜିର ଭିତିଭୂମି ବ୍ୟବସ୍ଥା ଦ୍ୱାରା ଓଡିଶା ତୃତୀୟ ଲହରୀର ସଫଳ ମୁକାବିଲା କରିପାରିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ବଲାଙ୍ଗୀରରୁ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଭୁବନେଶ୍ୱରରୁ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱାସ୍ଥ୍ୟ ଭିତିଭୂମି କ୍ଷେତ୍ରରେ ଓଡିଶାର ଉଲ୍ଲେଖନୀୟ ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱକୁ ପ୍ରଶଂସା କରିବା ସହିତ ଏହାଦ୍ୱାରା ଆଗାମୀ ଦିନରେ ଓଡିଶା କୋଭିଡ ସହିତ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ସମସ୍ୟାର ସଫଳ ମୁକାବିଲା କରିପାରିବ ବୋଲି ଆଶାପ୍ରକାଶ କରିଥିଲେ ।
କାର୍ଯ୍ୟକ୍ରମରେ ଉପମୁଖ୍ୟ ସଚେତକ, ନବରଙ୍ଗପୁର ସାଂସଦ, ବାଲେଶ୍ୱର ବିଧାୟକ, କୋରାପୁଟ ବିଧାୟକ, ବଲାଙ୍ଗୀର ବିଧାୟକ, କଟକ-ଚୌଦ୍ୱାର ବିଧାୟକ, ନବରଙ୍ଗପୁର ବିଧାୟକ ଆଦି ଯୋଗ ଦେଇ ସେମାନଙ୍କର ବକ୍ତବ୍ୟ ରଖିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ ମହାମାତ୍ର କହିଥିଲେ ଯେ ବର୍ତମାନ ନବରଙ୍ଗପୁରକୁ ମିଶାଇ ରାଜ୍ୟର ୧୭ଟି ଜିଲ୍ଲାରେ ଆରଟିପିସିଆର ଟେଷ୍ଟ ଲାବୋରେଟୋରୀ କରାଯାଇଛି । ରାଜ୍ୟର ସବୁ ଜିଲ୍ଲାରେ ଏହି ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଓଡିଶାମେଡିକାଲ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଯାମିନୀ ଷଡଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Comments (0)
Add Comment