ଭବାନୀପାଟଣା: କୋଭିଡ କଟକଣା ସମୟରେ ପର୍ଯ୍ୟଟକମାନଙ୍କୁ ଫୁର୍ଲିଝରଣ ଜଳପ୍ରପାତକୁ ବୁଲି ଆସିବା ପାଇଁ ସରକାର ବାରଣ କରାଯାଇଥିଲା । କଟକଣା କୋହଳ ପରେ ରବିବାରଠାରୁ ପାର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି । ସେହିଭଳି କର୍ଲାପାଟ ରେଞ୍ଜ ପକ୍ଷରୁ ଫୁର୍ଲିଝରଣ ନିକଟରେ ଏକ ଡିଅର ପାର୍କ ସ୍ଥାପନ ଓ ଲାବଣ୍ୟସର ଠାରେ ୪ ଟି ଇକୋ କଟେଜ ସ୍ଥାପନ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିବା ଦକ୍ଷିଣ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାର ସୂଚନା ଦେଇଛନ୍ତି । କୋଭିଡ କଟକଣା ଯୋଗୁଁ ଗତ ମାର୍ଚ୍ଚ ୨୮ ତାରିଖରୁ କର୍ଲାପାଟ ଅଭୟାରଣ୍ୟରେ ଥିବା ଫୁର୍ଲିଝରଣ ଜଳପ୍ରପାତକୁ ପର୍ଯ୍ୟଟକମାନଙ୍କୁ ପାଇଁ ବନ୍ଦ କରାଯାଇଥିଲା । କଟକଣା କୋହଳ ହେବା ପରେ ନଭେମ୍ବର ୧ ରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି । ପ୍ରଥମ ଦିନରେ ୩୦ ଜଣ ପର୍ଯ୍ୟଟକ ଆସିଥିଲେ । ସୂଚନା ଅଭାବରୁ ପର୍ଯ୍ୟଟକଜାଣି ପାରିନାହାନ୍ତି । ପର୍ଯ୍ୟଟକମାନଙ୍କ ପାଇଁ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ଫୁର୍ଲିଝରଣ ଗେଟଠାରେ ପ୍ରବେଶ ପୂର୍ବରୁ ସମସ୍ତ ପର୍ଯ୍ୟଟକଙ୍କୁ ଥର୍ମାଲ ସ୍କ୍ରିନିଂ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ କରାଯାଇଛି । ସେହିବଳି ସାମାଜିକ ଦୂରତ୍ୱ ଓ ।ଧିକ ଗହଳି ନକରିବା ପାଇଁ ଗୁରୁତ୍ୱ ଦିଆଯାଇଛି । କର୍ଲାପାଟ ଅଭୟାରଣ୍ୟ ପକ୍ଷରୁ ଲାବଣ୍ୟସର ଠାରେ ସାତକୋଶିଆ ଭଳି ୪ ଟି ଇକୋ କଟେଜ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏଥି ନିମନ୍ତେ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ପ୍ରସ୍ତାବ ରହିଛି । ଏହି କଟେଜ ଗୁଡିକରେ ପର୍ଯ୍ୟଟକ ରହିବା ଓ ଖାଇବା ପାଇଁ ଲାବଣ୍ୟସର ଗ୍ରାମବାସୀଙ୍କୁ ଦାୟିତ୍ୱ ଦିଆଯିବ । ଅନ୍ୟ ପକ୍ଷରେ ଫୁର୍ଲିଝରଣ ଠାରେ ୧ ଏକର ଜାଗାରେ ୭୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ହରିଣ ପାର୍କ ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ଦକ୍ଷିଭ ବନଖଣ୍ଡ ଡିଏଫଓ ଟି. ଅଶୋକ କୁମାର ପ୍ରକାଶ କରିଛନ୍ତି । ଏହି ଦୁଇଟି ପ୍ରକଳ୍ପ ରାଜ୍ୟ ସରକାରଙ୍କ ବିଚାରାଧୀନ ରହିଛି ଓ କୋଭିଡ ଯୋଗୁଁ ଏହାର ଅନୁମୋଦନ ନେଇ ବିଳମ୍ବ ହୋଇଛି । ବୋଲି କହିଥିଲେ । ବର୍ତମାନ ଫୁର୍ଲିଝରଣକୁ ବୁଲିଯିବା ପାଇଁ ପ୍ରତିପର୍ଯ୍ୟଟକଙ୍କୁ ୨୫ ଟଙ୍କା ଟିକଟ ଥିବା ବେଳେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ମାଗଣା ରହିଛି ।