ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଛି । ଏହାକୁ ନଜରରେ ରଖି ରାଜ୍ୟ ସରକର ଦଶମ ଓ ଯୁକ୍ତ ଦୁଇ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି । ତେବେ ଆଜି ସଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ବାତିଲ କରିବାକୁ ଦାବି କରି ନବୀନ ନିବାସ ଆଗରେ ପ୍ରତିବାଦ କରିଛନ୍ତି । ଭୁବନେଶ୍ୱରରେ ଥିବା ବିଭିନ୍ନ ସରକାରୀ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ମିଳିତ ହୋଇ ପ୍ରଥମେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟିଥିଲେ । ସେ କୌଣସି ସ୍ପଷ୍ଟ ସୂଚନା ଦେଇ ନ ପାରିବାରୁ, ସେମାନେ ସେଠାରୁ ଫେରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ନବୀନ ନିବାସ ଯାଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ ନଥିବାରୁ ସେମାନେ ସେମାନଙ୍କ ଦାବିପତ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଧଶ୍ୟରେ ପ୍ରଦାନ କରି ଫେରିଛନ୍ତି । ସେମାନଙ୍କର ଦାବି ଥିଲା ଯେ, ସିବିଏସଇ ଓ ଆଇସିଏସଇ ଦଶମ ଶ୍ରେଣୀ ପରୀକ୍ଷା ବାତିଲ୍ ହୋଇ ସାରିଛି । ତେଣୁ ବିଏସଇ (ମାଧ୍ୟମିକ ଶିକ୍ଷା କରିଷଦ)ର ଦଶମ ଶ୍ରେଣୀ ପରୀକ୍ଷା ମଧ୍ୟ ବାତିଲ୍ କରାଯାଉ । ଏଥି ସହ କହିଛନ୍ତି ଯେ, ଯଦି ପରୀକ୍ଷା ହେବ ସମସ୍ତଙ୍କର ହେଉ । ଆଉ ଯଦି ନ ହେବ, ତାହେଲେ କାହାର ନ ହେଉ । ଏଥିରେ ପାତର ଅନ୍ତର କରା ନଯାଉ । ସରକାର ଏନେଇ ଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ସରକାର ଆସନ୍ତା ଦୁଇ ଦିନ ମଧ୍ୟରେ ଯଦି କିଛି ନିଷ୍ପତ୍ତି ନ ନିଅନ୍ତି, ତେବେ ସେମାନେ ମାଷ୍ଟର କ୍ୟାଣ୍ଟିନ ଠାରେ ଆସି ଅନେ୍ଦାଳନ କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ନବୀନ ନିବାସରୁ ଫେରି ଛାତ୍ରଛାତ୍ରୀମାନେ ଫରେଷ୍ଟ ପାର୍କ ରାସ୍ତାରେ ଧାରଣା ମଧ୍ୟ ଦେଇଥିଲେ ।