ଛାତ୍ରଙ୍କୁ ବାଟବଣା କରୁଛି ବ୍ରାଉନସୁଗାର

ଭୁବନେଶ୍ୱର: ରାଜଧାନୀର ଖଣ୍ଡଗିରି ଅଞ୍ଚଳର ଯୁବକ ମାନସ(ଛଦ୍ମନାମ) । ବାପା, ମାଙ୍କର ଏକମାତ୍ର ପୁଅ । ଆଶା ଥିଲା, ପୁଅ ଇଞ୍ଜିନୟର ହେବ । ଯୁକ୍ତ ଦୁଇ ପରେ ନାମୀ ଇଞ୍ଜିନିୟରିଂ କଲେଜରେ ଆଡମିସନ ମଧ୍ୟ ହୋଇଥିଲା । କିନ୍ତୁ ଧୀରେ ଧୀରେ କୁସଙ୍ଗରେ ପଡ଼ି ବ୍ରାଉନସୁଗାର ଖାଇବା ଆରମ୍ଭ କରିଥିଲା । କେବଳ ସେତିକି ନୁହେଁ, ନିଶା ବେପାରରେ ମଧ୍ୟ ପାଦ ଥାପିଥିଲା ମାନସ । ଶେଷ?ରେ ନିଶା ଯୋଗୁଁ ହିଁ ତା’ର କ୍ୟାରିୟର ବରବାଦ ହୋଇଗଲା । ବାପା, ମା’ଙ୍କର ସବୁ ସ୍ୱପ୍ନ ଚୂରମାର ହୋଇଗଲା ।
ଇଏ କେବଳ ଗୋଟିଏ ଛାତ୍ରର କାହାଣୀ ନୁହେଁ; ରାଜ୍ୟରେ ଏବେ ହଜାର ହଜାର ଛାତ୍ର ନିଶା ଜାଲରେ ପଡ଼ି ନଷ୍ଟ ହୋଇ ଯାଉଛନ୍ତି । ଖାଲି କଲେଜ ଛାତ୍ର ନୁହନ୍ତି, ସହରମାନଙ୍କରେ କିଛି ବଡ଼ବଡ଼ ସ୍କୁଲର ଛାତ୍ରମାନେ ମଧ୍ୟ ନିଶା କବଳରେ ପଡ଼ି ବାଟବଣା ହୋଇ ଯାଉଛନ୍ତି । ଯାହା ଚିନ୍ତାଜନକ ପାଲଟିଛି । ନ୍ୟାସନାଲ ସର୍ଭେ ଅଫ୍ ଡ୍ରଗ୍ ଆଣ୍ଡ ସବଷ୍ଟାଣ୍ଟେସ୍ ଆବ୍ୟୁଜ୍ ୨୦୧୯ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରାୟ ୪ ଲକ୍ଷ ଲୋକ ବ୍ରାଉନସୁଗାର, ହେରୋଇନ୍‌, କୋକେନ୍‌, ଅଫିମ ଓ ସେହିଭଳି ନିଶାଦ୍ରବ୍ୟ ସେବନ କରୁଛନ୍ତି । ୧୮ରୁ ୩୫ ବର୍ଷ ବୟସ୍କଙ୍କ ସଂଖ୍ୟା ୬୫ ପ୍ରତିଶତ ଥିବାବେଳେ ୧୦ରୁ ୧୭ ବର୍ଷ ବୟସ୍କଙ୍କ ସଂଖ୍ୟା ପ୍ରାୟ ୧୫ ପ୍ରତିଶତ । ରାଜ୍ୟରେ ଏହି ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ିବାରେ ଲାଗିଛି । ନିଶା ବିରୋଧୀ ଅଭିଯାନ କ୍ଷେତ୍ରରେ କାମ କରୁଥିବା କମ୍ୟୁନିଟି ଫାଉଣ୍ଡେସନ୍ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଏବେ ସୁଦ୍ଧା ବ୍ରାଉନସୁଗାର ନିଶା ସେବନକାରୀଙ୍କ ସଂଖ୍ୟା ଯେତିକି କୁହାଯାଉଛି, ବାସ୍ତବ କ୍ଷେତ୍ରରେ ତା’ଠାରୁ ଢେର୍ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ସାରା ବିଶ୍ୱରେ ଆଜି ଅନ୍ତର୍ଜାତୀୟ ନିଶା ନିବାରଣ ଦିବସ ପାଳନ ହେଉଥିବାବେଳେ ଏଭଳି ପରିସଂଖ୍ୟାନ ରାଜ୍ୟ ପାଇଁ ଚିନ୍ତାର କାରଣ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ କେବଳ ବ୍ରାଉନସୁଗାର ସେବନକାରୀଙ୍କ ସଂଖ୍ୟା ସାଢ଼େ ୩ ଲକ୍ଷରୁ ଅଧିକ ହେବ । ସାରା ରାଜ୍ୟରେ ସେବନକାରୀଙ୍କ ସଂଖ୍ୟାର ପ୍ରାୟ ୩୫ରୁ ୪୦ ପ୍ରତିଶତ କେବଳ ଖୋର୍ଦ୍ଧା, କଟକ ଓ ପୁରୀର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରୁ ନିଶା କବଳରେ ପଡ଼ିଥିବା ଛାତ୍ରଙ୍କ ସଂଖ୍ୟା ଦେଢ଼ ଲକ୍ଷରୁ ଅଧିକ ହେବ । କେବଳ ରାଜଧାନୀରେ ବ୍ରାଉନସୁଗାର ସେବନକାରୀ ଛାତ୍ରଙ୍କ ସଂଖ୍ୟା ୫୦ ହଜାର ଟପିଯିବ ବୋଲି ଅନୁମାନ କରାଯାଉଛି ।
କମ୍ୟୁନିଟି ଫାଉଣ୍ଡେସନ ଅଫ୍ ଇଣ୍ଡିଆର ନିର୍ଦ୍ଦେଶକ ଶ୍ରୀହର୍ଷ ମହାନ୍ତିଙ୍କ କହିବା ଅନୁସାରେ, ବ୍ରାଉନସୁଗାର ଏବେ ସବୁ ଜାଗାରେ ସହଜରେ ଉପଲବ୍ଧ ହୋଇପାରୁଛି । ଅନ୍‌ଲାଇନ୍‌ରେ ଅର୍ଥ କାରବାର ସହଜ ହୋଇଥିବାରୁ ବ୍ରାଉନସୁଗାଗର ବେପାର ବଢ଼ି ଚାଲିଛି । ଛାତ୍ର ଓ ଯୁବ ଗୋଷ୍ଠୀଙ୍କୁ ନିଶା କବଳରୁ ରକ୍ଷା କରିବାକୁ ହେଲେ ପରିବାର ଓ ଅଭିଭାବକଙ୍କୁ ପ୍ରତ୍ୟକ୍ଷ ଭାବେ ଦାୟିତ୍ୱ ନେବାକୁ ପଡ଼ିବ । କିଛି ବର୍ଷ ହେଲା କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍ ଏକ ଅଭିଯାନ ଆରମ୍ଭ କରି ରାଜ୍ୟରେ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିବା ସହ କିଛି ନିଶା ବେପାରୀଙ୍କୁ ଗିରଫ କରୁଛି । ଏହା ଦ୍ୱାରା କିଛି ମାତ୍ରାରେ ନିଶା କାରବାରର ଚେନ୍ ଭାଙ୍ଗୁଛି । ତେବେ ପୂରା ଚେନକୁ ଭାଙ୍ଗିବା ସହ ବ୍ରାଉନସୁାଗର କାରବାରର ଚେର ଉପାଡ଼ିବାକୁ ହେଲେ ଆହୁରି ଜୋରଦାର ଅଭିଯାନର ଆବଶ୍ୟକତା ରହିଛି ।

Comments (0)
Add Comment