କଟକ: ନିଯୁକ୍ତି ଆଶାରେ ସାଇନ୍ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍ରେ ଆପଣ ନାମ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ । ସାଇବର ଅପରାଧିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍ ସବୁ ଲୁଟିନେବ । ଆଉ ପ୍ରାର୍ଥୀଙ୍କ ବ୍ୟାଙ୍କ ଆକାଉଂଟରୁ କୌଶଳକ୍ରମେ ଟଙ୍କା ଲୁଟି ନେଉଛନ୍ତି ସାଇବର ଠକା କ୍ରାଇମବ୍ରାଂଚ ଏଭଳି ଏକ ନକଲି ୱେବସାଇଟ୍ ଠାବ କରିଥିବା ବେଳେ ରାଜ୍ୟର କୌଣସି ନିଯୁକ୍ତି ଆଶାୟୀ ଏହି ୱେବସାଇଟ୍ରେ ନାଁ ପଞ୍ଜୀକରଣ ନ କରିବାକୁ ସତର୍କ କରି ଦେଇଛି । ଜିଲ୍ଳା ଏସ୍ପିମାନଙ୍କୁ ମଧ୍ୟ ଏଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦେଶ ଦିଆଯାଇଛି । ସୂଚନା ଅନୁଯାୟୀ, ସାଇବର ଅପରାଧୀ ଗ୍ୟାଙ୍ଗ ଏକ ନକଲି ୱେବସାଇଟ୍ ପ୍ରସ୍ତୁତ କରିଛନ୍ତି । ପରିଚୟ, କ୍ରେଡିଟ୍ କାର୍ଡ ଏବଂ ସିଭିଭି ନମ୍ବର ଦାଖଲ କରିବାକୁ ଏଥିରେ ନିଦେ୍ର୍ଧଶ ଆସୁଛି । ଏଥିପାଇଁ ୧୦ ଟଙ୍କା ଦେୟ ଲାଗୁଛି । ଏହାପରେ ଫୋନ୍ ନମ୍ବର ଦେବା ପାଇଁ ଆଉ ଏକ ୱେବପେଜ୍ ଲିଙ୍କ ଖୋଲୁଛି । ଶେଷରେ ୱେବ୍ ପେଜ୍ରେ ପେମେଂଟ ଗେଟ୍ୱେ ଏରର୍ ଲେଖୁଛି । ତେବେ ଏହି ଠକ ୱେବସାଇଟ୍ କ୍ରାଇମବ୍ରାଂଚ ନଜରକୁ ଆସିବା ପରେ କ୍ରାଇମବ୍ରାଂଚ ଟିମ୍ ତଦନ୍ତ ଆରମ୍ଭ କରିଦେଇଛି । ତଦନ୍ତ ପରେ ଏହି ୱେବସାଇଟ୍ ଆଇପି ଆଡ୍ରେସ ଜର୍ମାନିର ବୋଲି ଜଣାପଡ଼ିଛି । ବିଦେଶୀ ମୁଦ୍ରା ୱେବସାଇଟ୍ ମାଧ୍ୟମରେ ସଂଗ୍ରହ କରାଯାଉଛି । ୱେବସାଇଟ୍ରେ ପେମେଂଟ ଗେଟ୍ୱେ ଏରର୍ ଲେଖୁଥିଲେ ହେଁ ଏହି ସମୟ ଭିତରେ ଉକ୍ତ ୱେବସାଇଟ୍ ଗ୍ରାହକଙ୍କ ସମ୍ପୂର୍ଣ୍ଣ ପରିଚୟ, କ୍ରେଡିଟ୍ କାର୍ଡ ତଥ୍ୟ ଏବଂ ସିଭିଭି ନମ୍ବର ସହିତ ପେଟିମ୍ ପିନ୍ ବ୍ୟବହାର କରି ନିଯୁକ୍ତି ଆଶାୟୀଙ୍କ ଜମାଖାତାରୁ ଟଙ୍କା ଉଠାଇ ନେଉଛି । ବାସ୍ତବରେ ୱେବସାଇଟ୍ ଅସଲି । ମାତ୍ର ଉପରେ ଉଲ୍ଳେଖ ହୋଇଥିବା ନକଲି ୱେବସାଇଟ୍ ମାଧ୍ୟମରେ ସାଇବର ଅପରାଧୀ ନିଯୁକ୍ତି ଆଶାୟୀଙ୍କ ଟଙ୍କା ଲୁଟି ନେଉଛନ୍ତି । ତେଣୁ କୌଣସି ନିଯୁକ୍ତି ପ୍ରଦାନକାରୀ ସଂସ୍ଥାର ୱେବସାଇଟ୍କୁ ଭଲ ଭାବେ ଯାଂଚ କରି ଆବେଦନ କରିବାକୁ କ୍ରାଇମବ୍ରାଂଚ ପକ୍ଷରୁ ପରାମର୍ଶ ଦିଆଯାଇଛି । ୱେବ୍ ଆଡ୍ରେସକୁ ଅତି ଚତୁରତାର ସହିତ ସାଇବର ଅପରାଧୀ ନକଲି କରୁଛନ୍ତି । ତେଣୁ କୌଣସି ୱେବସାଇଟ୍ରେ ଏଟିଏମ୍ କାର୍ଡ, ଡେବିଟ୍ କାର୍ଡ ତଥ୍ୟ, ସିଭିଭି ନମ୍ବର, ପେଟେମ ପିନ୍ ନମ୍ବର ନ ଦେବାକୁ କ୍ରାଇମବ୍ରାଂଚ ସାଇବର ସେଲ୍ ଜନସାଧାରଣଙ୍କୁ ପରମର୍ଶ ଦେଇଛି ।