ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଉପରେ ମୋହର ମାରିଲେ ରାଷ୍ଟ୍ରପତି

ଭୁବନେଶ୍ବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । 1987 ବ୍ୟାଚର ଏହି ଆଇଏଫ୍‌ଏସ୍‌ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେବା ପାଇଁ ରାଜ୍ୟ ସରକାର କରିଥିବା ସୁପାରିସ୍‌ ଉପରେ ରାଷ୍ଟ୍ରପତି ମୋହର ମାରିଛନ୍ତି । ଗତ ବର୍ଷ ଏହି ଆଇଏଫ୍‌ଏସ୍‌ଅଫିସର ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ନଜରକୁ ଆସି ଗିରଫ୍‌ ହୋଇଥିଲେ । ଏଥିସହ ତାଙ୍କ ପୁଅ ଆକାଶଙ୍କୁ ମଧ୍ୟ ଠକେଇ ଅଭିଯୋଗରେ ଗିରଫ୍‌ କରାଯାଇଥିଲା । ଫଳସୂରୁପ ଉଭୟ ପାଠକ ବାପ-ପୁଅ ଏବେ ଜେଲ୍‌ରେ ଅଛନ୍ତି । ବରିଷ୍ଠ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହେବା ପରେ ଭିଜିଲାନ୍ସ ଅକ୍ଷରୁ ବିଭିନ୍ନ ସ୍ଥାନରେ ରେଡ୍‌ କରାଯାଇଥିଲା । ସେହି ରେଡ୍‌ରେ ତାଙ୍କ ପୁଅ ମଧ୍ୟ ରାଡାର ମଧ୍ୟକୁ ଆସିଥିଲେ । ଫଳରେ ଉଭୟ ପାଠକ ବାପ-ପୁଅଙ୍କ ଅମାପ ସମ୍ପତ୍ତି, ଭଳିକି ଭଳି ଦାମୀ ଗାଡ଼ି, ଦେଶରେ ବିଭିନ୍ନ ସ୍ଥାନରେ ଫ୍ଲାଟ୍‌, ଚାଟାର୍ଡ ଫ୍ଲାଇଟ୍‌ରେ ଉଡ଼ାଣ ତଥା ସଉକ ଆଦିର ଖୁଲାସା କରିଥିଲା ଭିଜିଲାନ୍ସ ଟିମ୍‌ । ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେଇ ଅଭୟକାନ୍ତଙ୍କ ପୁଅ ଆକାଶ ପାଠକ ଗଞ୍ଜାମ ଜିଲ୍ଲାର ବହୁ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଏହି ଘଟଣାର ତଦନ୍ତ କରୁଛି । ଏଥି ମଧ୍ୟରେ ଗୋପାଳ ପୁର ବିଧାୟକ ପ୍ରଦୀପ ପାଣୀଗ୍ରାହୀଙ୍କ ଝିଅ ସହିତ ଆକାଶ ପାଠକଙ୍କ ବିବାହ ସ୍ଥିର ହୋଇଥିଲା । ହେଲେ ବିବାହ ପୂର୍ବରୁ ଉଭୟ ପାଠକ ବାପପୁଅଙ୍କୁ ଗିରଫ୍‌ କରାଯାଇଥିଲା । ତେବେ ଟାଟା କମ୍ପାନୀରେ ଚାକିରି କରାଇଦେବାକୁ କହି ପ୍ରଦୀପ ପାଣୀଗ୍ରାହୀ ଭାବି ଜ୍ବାଇଁ ଆକାଶ ପାଠକଙ୍କ ପାଇଁ ଟଙ୍କା ଆଦାୟ କରୁଥିଲେ ବୋଲି ଅଭିଯୋଗ ରହିଛି ।ଏହା ସହିତ ଠକେଇ, ଜାଲିଆତି, ଅପରାଧିକ ଷଡ଼ଯନ୍ତ୍ର ଓ ସାଇବର ଅପରାଧ ଅଭିଯୋଗରେ ପ୍ରଦୀପଙ୍କୁ ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଗିରଫ କରିଥିଲା ।

Comments (0)
Add Comment