ଭୁବନେଶ୍ବର : ରାଜ୍ୟ ପର୍ଯ୍ୟଟନ କ୍ଷେତ୍ର ସର୍ବାଧିକ କ୍ଷତିଗ୍ରସ୍ତ । ଟୁର ଆଣ୍ଡ ଟ୍ରାଭେଲ୍ସ ଉପରେ ନିର୍ଭରଶୀଳ ଲୋକେ ହାତ ବାନ୍ଧି ବସିଛନ୍ତି। ଜୀବିକା ଉପରେ ପ୍ରଚଣ୍ଡ ପ୍ରଭାବ ପଡ଼ିଛି। ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ର ଉପରେ ନିର୍ଭର କରୁଥିବା ୫ରୁ ୭ଲକ୍ଷ ଲୋକ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିବାବେଳେ ଏଥିସହିତ ଯୋଡ଼ି ହୋଇ ରହିଥିବା ଆନୁଷଙ୍ଗିକ କ୍ଷେତ୍ର ବିଚାରକୁ ନେଲେ ପ୍ରାୟ ୧୫ ଲକ୍ଷରୁ ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ହୋଟେଲ, ଟୁର ଆଣ୍ଡ ଟ୍ରାଭେଲ୍ସ ସଂସ୍ଥାଗୁଡ଼ିକର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। କଟକଣା କୋହଳ ଭିତରେ ପ୍ରାୟ ୩୦ ପ୍ରତିଶତ ହୋଟେଲ ଚଳାଇବା ପାଇଁ ସରକାର ଅନୁମତି ଦେଇଥିଲେ ହେଁ ବ୍ୟବସାୟ କା ଭାଁ ଚାଲିଛି। ରାଜ୍ୟରେ ପ୍ରାୟ ଛୋଟ ବଡ଼ ମିଶି ୫୦୦୦ ହୋଟେଲ ଥିବାବେଳେ ଭୁବନେଶ୍ବରରେ ୧୦୦୦ ଓ ପୁରୀରେ ପ୍ରାୟ ୭୦୦ରୁ ଅଧିକ ହୋଟେଲ ରହିଛି।