ପୁଅ ରାଜନୀତିକୁ ଆସିଲେ କହିବି ‘ମାଡ଼ିଚାଲ’: ସୁର

ଭୁବନେଶ୍ୱର: ବାପସେ ବେଟା ଜ୍ୟାଦା । ମୋ ପୁଅ ଭବିଷ୍ୟତରେ ମୋଠାରୁ ଭଲ କରିବ । ଏହା ମୋର ଶେଷ ନିର୍ବାଚନ । ପୁଅ ରାଜନୀତି କରିବ କି ପାଇଲଟ୍ ପେଶାରେ ରହିବ, ତା’ ଉପରେ ନିର୍ଭର କରେ । ଯଦି ନିର୍ବାଚନ ପାଇଁ ଠିଆ ହେବ ତାହେଲେ ମୁଁ କହିବି ‘ରେଡି ମାଡି ଚାଲ’ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀ କରିବା ଅବସରରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ତାଙ୍କ ସାନ ପୁଅ ମନ୍ମଥ ରାଉତରାୟଙ୍କ ଉପସ୍ଥିତିରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ଆଗରେ ଏପରି ପରିଚୟ ରଖିଛନ୍ତି । ସେ କହିଛନ୍ତି, କରୋନା ମହାମାରୀରେ ତାଙ୍କ ପାଇଲଟ୍ ପୁଅ ୫୦ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିସାରିଲାଣି । ୫୦ ହଜାର ଲୋକଙ୍କୁ ମାସ୍କ ବାଂଟିଛି, ୨ ହଜାର ଟଙ୍କିଆ ରାସନ୍ ପୁଡ଼ିଆ ଜଟଣୀଠାରୁ ଆରମ୍ଭ କରି ଭୁବନେଶ୍ୱର ପର୍ଯନ୍ତ ବାଂଟିଛି । ସାମ୍ଭାଦିକମାନଙ୍କ ପ୍ରଶ୍ନର ଉତର ଦେଇ ପୁଅ ମନ୍ମଥ କହିଲେ, ସେ ବାପାଙ୍କୁ ସହଯୋଗ କରିବାକୁ ଆସିଛନ୍ତି । ତାଙ୍କ ପାଇଁ ଗର୍ବ ହେଉଛି ସ୍ୱର୍ଗତଃ ରାଜୀବ ଗାନ୍ଧୀ ରାଜନୀତିକୁ ଆସିବା ପୂର୍ବରୁ ଯେଉଁ କମ୍ପାନିରେ ପାଇଲଟ୍ ଭାବେ କାର୍ଯ୍ୟ କରିଥିଲେ ସେହି କମ୍ପାନିରେ ସେ ଏବେ ଚାକିରି କରୁଛନ୍ତି । ବାପାଙ୍କଠାରୁ ରାଜନୀତି ଶିଖୁଛି । ଏବେ ସେ ରାଜନୀତିରେ ପ୍ରଥମ କି ଦ୍ୱିତୀୟ ଷ୍ଟାଣ୍ଡାର୍ଡରେ ଅଛନ୍ତି । ତାଙ୍କୁ ରାଜନୀତିର ଦଶମ ଶ୍ରେଣୀ କଥା ନ ପଚାରିବାକୁ ସେ ସାମ୍ବାଦିକମାନଙ୍କୁ ଅନୁରୋଧ କରିଥିଲେ । ତେବେ ବର୍ତମାନ ରାଜନୀତି ଅପେକ୍ଷା ସେ ସାମାଜିକ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେଇଥିବା କହିଥିଲେ ।

Comments (0)
Add Comment