ନୂଆଦିଲ୍ଲୀ: ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ହୋଇଥିଲା ବେଳେ ପ୍ରାଣଘାତୀ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ  । ଗତ ୨୪ ଘଂଟାରେ ପ୍ରଥମଥର ପାଇଁ ୫ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି  । ଗୋଟିଏ ଦିନରେ ୫,୨୪୨ ଜଣ ନୂଆ ରୋଗୀ ଚିହ୍ନଟ ହେବାରୁ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬,୧୬୯ରେ ପହଂଚିଯାଇଛି  । ସେହିପରି ମୃତୁ୍ୟ ସଂଖ୍ୟା ବି ୩ ହଜାର ପାର କରିଛି  । ଗତ ୨୪ ଘଂଟାରେ କରୋନା ୧୫୭ ଜଣଙ୍କ ମୁଣ୍ଡ ନେଇଛି  । ଫଳରେ ଦେଶରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୦୨୯ରେ ପହଂଚିଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରବିବାର କରୋନାରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ମଧ୍ୟରୁ ପ୍ରାୟ ୨ ହଜାରରୁ ଅଧିକ ଲୋକ ସୁସ୍ଥ ହୋଇଛନ୍ତି  । ଏଯାଏ ମୋଟ ୩୬,୮୨୪ ଜଣ ସୁସ୍ଥ ହୋଇଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୫୬,୩୧୬ ଜଣ ଚିକିତ୍ସିତ ହେଉଛନ୍ତି  । ଆଜିଠାରୁ ଦେଶରେ ଲକ୍ଡାଉନ ୪.୦ ଆରମ୍ଭ ହୋଇଛି  । ଜୀବନଯାତ୍ରାକୁ ସ୍ୱାଭାବିକ କରିବା ପାଇଁ କେନ୍ଦ୍ର ସରକାର ଏଥର କିଛି ନିୟମ କୋହଳ କରିଛନ୍ତି  । ହେଲେ ପ୍ରଥମ ଦିନରେ ୫ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିବା ସମସ୍ତଙ୍କ ଚିନ୍ତା ବଢ଼ାଇ ଦେଇଛି  । କରୋନା ଯୋଗୁ ମହାରାଷ୍ଟ୍ର ସ୍ଥିତି ସବୁଠାରୁ ଅଧିକ ଜଟିଳ ହୋଇଛି  ।୨୪ ଘଂଟାରେ ଏଠାରେ ରେକର୍ଡ ୨୩୪୭ ନୂଆ ମାମଲା ସାମ୍ନାକୁ ଆସିଛି  । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩୩,୦୫୩ରେ ପହଂଚିଯାଇଛି  । ସେହିପରି ଏଠାରେ ୬୩ ଜଣଙ୍କ ମୃତୁ୍ୟ ଘଟିଛି  । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୧୧୯୮ରେ ପହଂଚିଯାଇଛି  । ଏଠାରେ ୨୪ ଘଂଟାରେ ୬୦୦ ରୋଗୀ କରୋନାରୁ ମୁକ୍ତି ପାଇ ଘରକୁ ଫେରିଛନ୍ତି  । ଏଯାଏ ମୋଟ ୭,୬୮୮ ଜଣ ସୁସ୍ଥ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି  । ପୁଣି ଥରେ କ୍ଷତିଗ୍ରସ୍ତ ରାଜ୍ୟ ତାଲିକାର ୨ ନମ୍ବର ସ୍ଥାନକୁ ଫେରିଛି ଗୁଜରାଟ  । ବର୍ତମାନ କରୋନା ଦ୍ୱାରା ରାଜ୍ୟର ୧୧,୩୭୯ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୬୫୯ ଜଣ ପ୍ରାଣ ହରାଇଛନ୍ତି  । ୪,୪୯୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି  ।
ତୃତୀୟ ସ୍ଥାନରେ ତାମିଲନାଡୁ ୧୧,୨୨୪ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୮ ଜଣଙ୍କ ମୃତୁ୍ୟ ଘଟିଛି  । ସେହିପରି ୪,୧୭୨ ଜଣ ସୁସ୍ଥ ହୋଇଛନ୍ତି  । ଦିଲ୍ଲୀ ସ୍ଥିତି ମଧ୍ୟ ସଙ୍ଗୀନ ରହିଛି  । ଏଠାରେ ୧୦,୦୫୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୪୪୮୫ ଜଣ ସୁସ୍ଥ ହୋଇଥିବା ବେଳେ ୧୬୦ ଜଣ ପ୍ରାଣ ହରାଇଛନ୍ତି  ।
ଏହାବାଦ ଆନ୍ଧ୍ରପ୍ରଦେଶରେ ୫୦, ଆସାମ ୨, ବିହାର ୮, ଚଣ୍ଡିଗଡ଼ ୩, ହରିୟାଣା ୧୪, ହିମାଚଳ ପ୍ରଦେଶ ୩, ଜମ୍ମୁ-କାଶ୍ଚୀର ୧୩, ଝାଡ଼ଖଣ୍ଡ ୩, କର୍ଣ୍ଣାଟକ ୩୭, କେରଳ ୪, ମଧ୍ୟପ୍ରଦେଶ ୨୪୮, ମେଘାଳୟ ୧, ଓଡ଼ିଶାରେ ୪, ପୁଡୁଚେରୀ ୧, ପଞ୍ଜାବ ୩୫, ରାଜସ୍ଥାନ ୧୩୧, ତେଲେଙ୍ଗାନା ୩୪, ଉତରାଖଣ୍ଡ ୧, ଉତରପ୍ରଦେଶ ୧୦୪ ଓ ପଶ୍ଚିମବଙ୍ଗ ୨୩୮ ଜଣ ପ୍ରାଣ ହରାଇଛନ୍ତି  ।