୨ଟି ଟ୍ରେନରେ ଫେରିଲେ ରାୟଗଡାର ୫୭ ଶ୍ରମିକ

ରାୟଗଡା: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିଲା । ଫଳରେ ସାରା ଦେଶରେ ଚକ, ଅଖ ସବୁ ଠପ୍ ହୋଇଯାଇଥିଲା । ଲକ୍ଡାଉନ୍ ଯୋଗୁଁ ବିଶେଷ କରି ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ନେଇ ରାଜ୍ୟ ସରକାର ଶ୍ରମିକମାନଙ୍କୁ ନିଜ ନିଜ ଅଂଚଳକୁ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକରାଙ୍କଠାରେ ଦାବୀ କରିଥିଲେ । ଶୁଭଯାତ୍ରା ଟ୍ରେନ ମାଧ୍ୟମରେ କେନ୍ଦ୍ର ସରକାର ପଂଜିକୃତ ହୋଇଥିବା ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ପଠାଇବା ପାଇଁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ଚଳାଚଳ କରିଥିଲେ । ଏହି କ୍ରମରେ ଆଜି ରାୟଗଡା ସହରରେ ୨ଟି ସ୍ୱତନ୍ତ୍ର ଟ୍ରେନ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ପହଂଚିଥିଲା । ୨ଟି ସ୍ୱତନ୍ତ୍ର ଟ୍ରେନ ଗୁରୁବାର ଦିନ ରାୟଗଡାରେ ପହଂଚୁଥିବା ନେଇ ପ୍ରଶାସନ ନିକଟରେ ପୂର୍ବରୁ ସୂଚନା ଥିଲା । ଏ ନେଇ ପ୍ରଶାସନ ତରଫରୁ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଥିଲା । ଏଥି ନିମନ୍ତେ ପ୍ରଶାସନ ତରଫରୁ ଉପଜିଲ୍ଲାପାଳ ତଥ ଉପଖଣ୍ଡ ଦଣ୍ଡାଧିକାରୀ ୧୪୪ ଧାରା ଜାରୀ କରିଥିଲେ । ଫଳରେ ପିତାମହଲଠାରୁ ଜେକେପୁର, ରେଳ ଷ୍ଟେସନ ଏରିଆ, ଜେଏକୋଠାରୁ ରାୟଗଡା ବସଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରାସ୍ତା ଏବଂ ବାସଭବନ ରାସ୍ତାକୁ ସଂପୂର୍ଣ୍ଣ ଭାବେ ଗୁରୁବାର ରାତ୍ର ୭ଟା ଏବଂ ନିଷିଦାଚଂଳ ଘୋଷଣା କରାଯାଇଥିଲା ।
ଗୁରୁବାର ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସ.ପି ଶ୍ରବଣା ବିବେକ ଏମ, ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା, ପିଡି, ଡିଆରଜିଏ ଅମୃତ ଋତୁରାଜ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ଏସଡିପିଓ ତପନ ନାରାୟଣ ରଥଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗ ଟିମ ପ୍ରମୁଖ ଉପସ୍ଥିତ ଥିଲେ । ଅବିଭକ୍ତ କୋରାପୁଟ ଜିଲ୍ଲାର କୋଭିଡ ୧୯ ପର୍ଯ୍ୟବେକ୍ଷକ ରସିଦ ଖାଁ ମଧ୍ୟ ଷ୍ଟେସନ ପରିସରରେ ଉପସ୍ଥିତ ଥିଲେ । ଶାନ୍ତି ଶୃଙ୍ଖଳା ବଜାୟ ରଖିବା ପାଇଁ ଷ୍ଟେସନ ପରିସରରେ ବ୍ୟାପକ ପୋଲିସ ଟିମ ମୁତୟନ କରାଯାଇଥିଲା । ସକାଳ ୭ଟା ସମୟରେ ତାମିଲୁନାଡୁ ତିରୁପୁରଠାରୁ ବାଲେଶ୍ୱର ଅଭିମୁଖେ ବାହାରିଥିବା ଟ୍ରେନ ପହଂଚିଥିଲା । ଏହି ଟ୍ରେନରେଠାରେ ରାୟଗଡା ଜିଲ୍ଲାର ୨୬, କନ୍ଧମାଳର ୫, କୋରାପୁଟର ୬, ଗଜପତିର ୨୮ ଏବଂ ନବରଙ୍ଗପୁରର ୫୬ ଜଣ ଶ୍ରମିକ ଆସିଥିଲେ ।
ପ୍ରଶାସନ ତରଫରୁ ଥର୍ମାଲ ସ୍କ୍ରିନି ଏବଂ ହାତରେ ମୋହର ମରାଯାଇଥିଲା । ପରେ ଏସକର୍ଟ ମାଧ୍ୟମରେ ଶ୍ରମିକ ମାନଙ୍କୁ ନିଜ ନିଜ ଜିଲ୍ଲାକୁ ପଠାଯାଇଥିଲା । ପ୍ରଥମ ଟ୍ରେନରେ ଆସିଥିବା ରାୟଗଡା ଜିଲ୍ଲାର ୨୬ ଜଣଙ୍କ ମଧ୍ୟରୁ ମୁନିଗୁଡା ବ୍ଲକର ୬, ବିଷମକଟକର ୧, କୋଲନରାର ୧, ଗୁଣପୁରର ୬, ରାମନାଗୁଡାର, କାଶିପୁରର ୯ ଏବଂ ରାଗୟଗଡା ସଦର ବ୍ଲକର ୨ ଜଣ ପ୍ରବାସୀ ଫେରାନ୍ତ ଶ୍ରମିକ ଥିଲେ । ସେହିପରୁ ଆନ୍ଧ୍ରପ୍ରଦେଶ ଗୁଂଟୁରଠାରୁ ବାଲେଶ୍ୱର ଅଭିମୁଖେ ବାହାରିଥିବା ଶୁଭଯାତ୍ରା ଟ୍ରେନ ରାୟଗଡାଠାରେ ଦିନ ଗୋଟାଏ ବେଳେ ପହଂଚିଥିଲା । ଏହି ଟ୍ରେନରେ ଗଜପତି ଜିଲ୍ଲାର ଜଣେ, କୋରପୁଟ ଜିଲ୍ଲାର ୩୫, ନବରଙ୍ଗପୁରର ୧୪, କନ୍ଧମାଳର ୭ ଏବଂ ରାୟଗଡା ଜିଲ୍ଲାର ୩୧ ଜଣ ଥିଲେ । ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବସରେ ପ୍ରବାସୀ ଫେରନ୍ତାମାନଙ୍କୁ ନିଜ ନିଜ ଅଂଚଳକୁ ପଠାଇ ଦିଆଯାଇଥିଲା ।
ଏହି ଟ୍ରେନରେ ରାୟଗଡାର ସଦର ବ୍ଲକ ତାଡମା ପଂଚାୟତର ୯, ପିତାମହଲର ୫ ଏବଂ ବଡ ଇରକୁବାଡି ପଂଚାୟତର ୨ ଜଣ ଶ୍ରମିକ ଥିଲେ । ସମସ୍ତ ଶ୍ରମିକମାନଙ୍କ ସ୍ୱାସ୍ଥ୍ୟବସ୍ଥା ଯାଂଚ କରାଯିବା ସହ ଶ୍ରମିକମାନଙ୍କୁ ଖାଦ୍ୟ ଏବଂ ପାନୀୟ ଜଳ ପ୍ରଦାନ କରାଯାଇଥିଲା । ଏଥିସହ ଶ୍ରମିକମାନଙ୍କୁ ସଙ୍ଗରୋଧ କେନ୍ଦ୍ରରେ ସାମାଜିକ ଦୂରତା ବଜାୟ ରଖି ରହିବା ପାଇଁ ପ୍ରଶାସନ ତରଫରୁ ପରାମର୍ଶ ଦିଆଯାଇଥିଲା ।

Comments (0)
Add Comment