ବେତନଟୀ: କରୋନା ମଣିଷଠାରୁ ମଣିଷକୁ ଅଲଗା କରି ଦେଇଛି । ସାହି ପଡ଼ିଶା ତ ଦୂରର କଥା , ପରିବାରର ଲୋକ ବି ଶବକୁ ଛୁଇଁବାକୁ ଡ଼ରୁଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଶବ ଘର ଅଗଣାରେ ଧୁ ଧୁ ବର୍ଷାରେ ଭିଜୁଛି । ଅସହାୟ ପରିବାର ଲୋକ ଏ ସମ୍ପର୍କରେ ପ୍ରଶାସନକୁ ଖବର ଦେଇଛନ୍ତି । ମୃତ୍ୟୁର ୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ କେହି ପ୍ରଶାସନିକ ଅଧିକାରୀ ତାଙ୍କ ଘରେ ପହଞ୍ଚି ନ ଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । କିପରି ତାଙ୍କର ଶବ ସତ୍କାର କରିବେ ଏଥିପାଇଁ ପରିବାର ଲୋକଙ୍କୁ ଚିନ୍ତା ଘାରିଛି ।
ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ତାରାଶୋଳ ଗାଁର ପରେଶ ଚନ୍ଦ୍ର ମହାନ୍ତ (୫୫) ନାମକ ଜଣେ ପ୍ରବାସୀ ଓଡ଼ିଶା ଫେରିଥିଲେ । ସରକାରଙ୍କ ବିଧି ବ୍ୟବସ୍ଥା ଅନୁସାରେ ତାଙ୍କୁ ପଞ୍ଚାୟତ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଥିଲା । ତାଙ୍କଠାରେ କୌଣସି ଲକ୍ଷଣ ନ ଥିବାରୁ ତାଙ୍କୁ ୭ ଦିନ ପରେ ଘରକୁ ପଠାଇ ଦିଆଯାଇଥିଲା ଓ ଘରେ ମଧ୍ୟ ସେ ସଙ୍ଗରୋଧରେ ରହିଥିଲେ । ଘର ଅଗଣାରେ ଶୋଇଥିବାବେଳେ ଅକସ୍ମାତ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା ।