ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫୦୦ କୋଟିର ସହାୟତା


ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶମାର୍ଗରୁ ରାଜ୍ୟର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ତକ୍ରାଳ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି ।ମହାବାତ୍ୟା ଅମ୍ଫାନ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ବିମାନବନ୍ଦର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ସେ ଏହି ସହାୟତା ରାଶି ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି ଯେ, ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ଠାରୁ ରିପୋର୍ଟ ମିଳିବା ପରେ ବାତ୍ୟା କ୍ଷୟକ୍ଷତିର ମୁକାବିଲା ନେଇ ପୂର୍ଣ୍ଣାଙ୍ଗ ଯୋଜନା ପ୍ରସ୍ତୁତ କରାଯିବ । ଖୁବ୍ଶୀଘ୍ର ଓଡ଼ିଶାକୁ କେନ୍ଦ୍ରୀୟ ଅନୁଧ୍ୟାନକାରୀ ଟିମ୍ କ୍ଷୟକ୍ଷତି ଆକଳନ ପାଇଁ ଆସିବେ ବୋଲି ସେ କହିଛନ୍ତି । ପୂର୍ଣ୍ଣାଙ୍ଗ ରିପୋର୍ଟ ମିଳିବା ପରେ ରାଜ୍ୟ ସହ କାନ୍ଧ ମିଳାଇ କେନ୍ଦ୍ର ସରକାର ପୁର୍ନଗଠନ କାର୍ଯ୍ୟ ଆଗେଇ ନେବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ବାତ୍ୟା ମୁକାବିଲା ନେଇ ପ୍ରଧାନମନ୍ତ୍ରୀ ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ବାତ୍ୟାର ରୂପରେଖ ନେଇ ସଠିକ୍ ତଥ୍ୟ ମିଳିଥିବାରୁ ରାଜ୍ୟବାସୀ ଏବଂ ଓଡ଼ିଶା ସରକାରଙ୍କ ଟିମ୍ ସଫଳତାର ସହ ମୁକାବିଲା କରିପାରିଛନ୍ତି । କରୋନା ବେଳେ ମହାବାତ୍ୟା ଅମ୍ଫାନ ଚିନ୍ତାଜନକ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଂଚିବା ପରେ ସେଠାରୁ ସିଧାସଳଖ ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟରରେ ରାଜ୍ୟର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ତଥା ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ବାତ୍ୟାଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟପାଳ ଶ୍ରୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କ୍ଷୟକ୍ଷତି ଅନୁଧ୍ୟାନ କରିଥିଲେ । ଦୀର୍ଘ ୨ ଘଂଟା ଧରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆକାଶମାର୍ଗରୁ ରାଜ୍ୟର ୪ ବାତ୍ୟା କ୍ଷତିଗ୍ରସ୍ତ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ଅପରାହ୍ନ ୨.୫୫ ମିନିଟ୍ ସମୟରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ବାୟୁସେନାର ସ୍ୱତନ୍ତ୍ର ବିମାନରୁ ଅବତରଣ କରିଥିଲେ । ବିମାନ ବନ୍ଦରରେ ରାଜ୍ୟପାଳ ଶ୍ରୀ ଲାଲ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ପୋଲିସ ମହାନିଦେ୍ର୍ଧଶକ ଅଭୟ ଏବଂ ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ସ୍ୱତନ୍ତ୍ର ବିମାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡ଼ଙ୍ଗୀ ଏବଂ ବିଭିନ୍ନ ମନ୍ତ୍ରଣାଳୟର ବହୁ ବରିଷ୍ଠ ଅଧିକାରୀ ଆସିଥିଲେ ।ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଜି ସନ୍ଧ୍ୟା ୬.୧୫ ମିନିଟ୍ ସମୟରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତନ କରିଥିଲେ । ବିମାନବନ୍ଦରରେ ତାଙ୍କୁ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଦୁଇ କେନ୍ଦ୍ରମନ୍ତ୍ରୀ ଏବଂ ରାଜ୍ୟର ବରିଷ୍ଠ ଅଧିକାରୀମାନେ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ । ଓଡ଼ିଶାର ବାତ୍ୟାଂଚଳ ଆକାଶମାର୍ଗରୁ ଅନୁଧ୍ୟାନ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପଶ୍ଚିମବଙ୍ଗର ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଆକାଶମାର୍ଗରୁ ସର୍ବେକ୍ଷଣ କରିଥିଲେ ।

Leave A Reply

Your email address will not be published.

18 + 19 =