ତୈଳଦର ବୃଦ୍ଧି ବୋଝ ଉପରେ ଲଳିତା ବିଡ଼ା : ନିରଞ୍ଜନ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଆଜି ଏକ ପ୍ରେସ୍ ବିବୃତି ମାଧ୍ୟମରେ କହିଛନ୍ତି ଯେ, ଯେତେବେଳେ ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳର ମୂଲ୍ୟ ୧୧୦ ଡଲାର ଥିଲା, ତେଲ ଦର ବର୍ତମାନ ଦରଠୁ କମ୍ ଥିଲା । କିନ୍ତୁ ଏବେ ବ୍ୟାରେଲ୍ ପିଛି ଅଶୋଧିତ ତୈଳର ମୂଲ୍ୟ ୩୦ ଡଲାର ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଭାଟ୍ ବଢେ଼ଇ ତେଲ ଦର କ୍ରମାଗତ ଭାବେ ବଢେ଼ଇ ଚାଲିଛନ୍ତି । କିଛିଦିନ ତଳେ କେନ୍ଦ୍ର ସରକାର ଦର ବଢ଼ାଇଥିବା ବେଳେ, ଆଜିଠାରୁ ରାଜ୍ୟ ସରକାର ପେଟ୍ରୋଲ ଲିଟର ପିଛା ୩ ଟଙ୍କା ୧୧ ପଇସା ଓ ଡିଜେଲ ଲିଟର ପିଛା ୧ ଟଙ୍କା ୩ ପଇସା ବଢ଼ାଇଛନ୍ତି । ପ୍ରକୃତରେ ତେଲର ମୂଳ ମୂଲ୍ୟ ଲିଟର ପିଛା ୨୦ ଟଙ୍କା ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ପାଖାପାଖି ୪୮ରୁ ୫୨ ଟଙ୍କା ଜନସାଧାରଣଙ୍କଠାରୁ ଲୁଟି ଚାଲିଛନ୍ତି । ପେଟ୍ରୋଲ ଲିଟର ପିଛା କେନ୍ଦ୍ର ସରକାର ୩୩ ଟଙ୍କା ଭାଗ ପାଉଥିଲା ବେଳେ ରାଜ୍ୟ ସରକାର ୧୭ ଟଙ୍କା ଭାଗ ପାଉଛନ୍ତି ।ସେହିପରି ଡିଜେଲରେ ଲିଟର ପିଛା କେନ୍ଦ୍ରସରକାର ୩୨ ଟଙ୍କା ପାଉଥିବା ବେଳେ ରାଜ୍ୟ ସରକାର ୧୪ ଟଙ୍କା ପାଉଛନ୍ତି । ଏହା ଲୋକଙ୍କ ଉପରେ ବୋଝ ଉପରେ ଲଳିତା ବିଡ଼ା ସଦୃଶ । ବୋଝ ହେଉଛନ୍ତି କେନ୍ଦ୍ର ସରକାର, ଲଳିତା ବିଡ଼ା ହେଉଛନ୍ତି ରାଜ୍ୟ ସରକାର । ଏହାଦ୍ୱାରା ଦରଦାମ୍ ବୃଦ୍ଧି ପାଇବ ଏବଂ ଯେଉଁମାନେ ଗ୍ରାହକ, ସେମାନେ ହଇରାଣ ହେବେ । ଏବେ କରୋନା ମହାମାରୀ ସମୟରେ ଲୋକ ଆର୍ଥିକ ଦୂରାବସ୍ଥା ଦେଇ ଗତି କରି ହଇରାଣ ହେଉଥିବା ବେଳେ ସେମାନେ ଆହୁରି ହୀନସ୍ତା ହେବେ । ଏହା ଲୋକମାନଙ୍କୁ ସାହାଯ୍ୟ କରାଯାଉଛି ନା ତାଙ୍କର ଆର୍ଥିକ ଅବସ୍ଥାକୁ ତଳିତଳାନ୍ତ କରିବାକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଚେଷ୍ଟା ଚଳାଇଛନ୍ତି, ବୁଝି ହେଉନାହିଁ । ଏହାଦ୍ୱାରା ସାଧାରଣ ଲୋକ ଓ ଖାଉଟିଙ୍କର ମଙ୍ଗଳ ହେବନାହିଁ । ଲୋକ ଆହୁରି ଦୁଃଖ ଦୁର୍ଦ୍ଧଶା ମଧ୍ୟକୁ ଠେଲି ହୋଇଯିବେ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଛନ୍ତି ।

Leave A Reply

Your email address will not be published.

four − three =