ଦୁର୍ଗମ ଅଂଚଳରେ ସହାୟତା ପ୍ରଦାନ

ଢେଙ୍କାନାଳ: ଦ୍ୱିତୀୟ ଥର ପାଇଁ ଓଡିଶାର ସବୁଠାରୁ ଦୁର୍ଗମ ଅପହଂଚ ଆଦିବାସୀ ଇଲାକା ଭାବେ ପରିଚିତ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ କଙ୍କଡାହାଡ ବ୍ଲକ୍ କନ୍ତଲ ପଂଚାୟତ ପୁଟିପାଳ, କୋଟ, ଏକୁଲ୍, ସେକୁଲ୍ ଗ୍ରାମରେ ପହଁଚିଥିଲା ଢେଙ୍କାନାଳ ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଙ୍ଗ୍ ହାଣ୍ଡସ୍ ଏସ୍-୨ । ବର୍ତମାନ ମହାମାରୀ କରୋନାର ଜଟିଳ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅନୁଷ୍ଠାନ ପକ୍ଷରୁ ଦ୍ୱିତୀୟ ଗସ୍ତ ହୋଇଥିଲା ଅନୁଷ୍ଠାନର ସଦସ୍ୟମାନେ ଏହି ଆଦିବାସୀ ଅଧୁଷିତ ଅଂଚଳରେ ପହଂଚି ସେଠାକାରେ ବାସକରୁଥିବା ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ, ରାସନ ସାମଗ୍ରୀ, ପନିପରିବା, ସାବୁନ, ମାସ୍କ, ନୂଆ ଶାଢୀ, ଧୋତି ଗାମୁଛା, ଅପପୃଷ୍ଟିରେ ଶୀକାର ହେଉଥିବା ଛୋଟ ଛୁଆମାନଙ୍କ ପାଇଁ ପୃଷ୍ଟିକର ଖାଦ୍ୟ, ନୂଆ ଡ୍ରେସ୍ ଚକୋଲେଟ୍ ଏବଂ ଅଂଚଳର ସମସ୍ତ ଅସହାୟମାନଙ୍କୁ ନୂଆ ଚପଲ ବଂଟନ କରାଯିବା ସହ ଅନୁଷ୍ଠାନର ସଦସ୍ୟମାନେ ଆଗକୁ ଅନୁଷ୍ଠାନ ଦ୍ୱାରା ଯଥା ସମ୍ଭବ ସହାୟତାର ପ୍ରତିଶୃତି ମଧ୍ୟ ଦେଇଥିଲେ । ଏହି ଅପହଂଚ ଗ୍ରାମ ଗୁଡିକରେ ଢେଙ୍କାନାଳର ପ୍ରଥମ ଅନୁଷ୍ଠାନ ଭାବେ ହେଲପିଙ୍ଗ୍ ହାଣ୍ଡସ୍ ଏସ୍-୨ ପ୍ରଥମ ଥର ଭାବେ ଗତ ଜାନୁଆରୀ ମାସରେ ଗସ୍ତ କରି ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲା । ସେହି ସମୟରେ ଅଂଚଳରେ ବାସ କରୁଥିବା ଜୀବନ ଶୈଳୀ ଏହି ଅନୁଷ୍ଠାନର ସଦସ୍ୟମାନଙ୍କୁ ପ୍ରଭାବିତ କରିବା ସହିତ ସେଠାକାର ପରିବେଶ ମଧ୍ୟ ବହୁତ ଆକର୍ଷିତ କରିଥିଲା । ସେଠାକାର ଅତି ଆକର୍ଷିତ ପରିବେଶ ଏବଂ ସେହି ଅପହଂଚ ଅଂଚଳର ଉନ୍ନତିକରଣ ପାଇଁ ସରକାର ଦୃଷ୍ଟି ଦେଇ ଏହି ଅଂଚଳକୁ ଯଦି ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଯାଏ ତେବେ ସେହି ଅଂଚଳ ସହିତ ସମ୍ପୂର୍ଣ୍ଣ ଢେଙ୍କାନାଳ ଜିଲ୍ଲା ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ଅନୁଷ୍ଠାନର ସଦସ୍ୟମାନେ ନିଜ ମତବ୍ୟକ୍ତ କରିଥିଲେ ।
ଓଡିଶାର ଏହି ଦୁର୍ଗମ ଆଦିବାସୀ ଅଂଚଳର ଘଟଣାକୁ ଅନୁଷ୍ଠାନ ଦ୍ୱାରା ସରକାରଙ୍କ ନିକଟରେ ପହଁଚାଇ ସେଠାକାର ଅସହାୟ ଲୋକମାନଙ୍କ ପାଇଁ ଭବିଷ୍ୟତରେ କିପରି ସମସ୍ତ ପ୍ରକାରର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯାଇ ପାରିବ, ଏହି ଦାବି ଜଣାଯିବ ବୋଲି ଅନୁଷ୍ଠାନର ସଦସ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ ।

Leave A Reply

Your email address will not be published.

2 × 1 =