ରାୟଗଡା: ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ତରଫରୁ ରାୟଗଡା ଜିଲ୍ଲାରେ ଆରମ୍ଭ ହେଲା ଇ-ସୁବିଦ୍ୟା । କଲ୍ୟାଣ ବିଭାଗ ଶିକ୍ଷକ, ଶିକ୍ଷୟତ୍ରୀମାନେ ଶିକ୍ଷାଦାନ ପୂର୍ବକ ଇ-ସୁବିଦ୍ୟା ଅଭିଯାନର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ମେ’ ୧୫ରୁ ଜୁନ ୧୭ ଯାଏ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗର ୧୧ଟି ବ୍ଲକରେ ଥିବା ୫୬୦ଟି ହଷ୍ଟେଲର ୬୪ ହଜାର ପିଲା ଏହି ଯୋଜନା ମାଧ୍ୟମରେ ଉପକୃତ ହେବେ । କାର୍ଯ୍ୟକ୍ରମ ମୁତାବକ ପ୍ରତି ଶିକ୍ଷକ ସୋମବାରରୁ ଶୁକ୍ରବାର ପାଂଚଟି ଗାଁକୁ ଯାଇ ଗାଁରେ ଥିବା ପିଲାଙ୍କୁ ୩ ଘଂଟା ବିଭିନ୍ନ ବିଷୟରେ ଶିକ୍ଷାଦାନ କରିବେ । ଏଥିରେ ଗାଁରେ ଥିବା ଅନ୍ୟ ବିଭାଗୀୟ ବିଦ୍ୟାଳୟରେ ପଢୁଥିବା ପିଲାମାନଙ୍କୁ ବି ଶିକ୍ଷକମାନେ ଶିକ୍ଷାଦାନ ଦେବେ । ଶୁକ୍ରବାର ଜିଲ୍ଲାର ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର କର୍ମରତ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ନିଜ ବିଦ୍ୟାଳୟ ଆଖପାଖରେ ଚିହ୍ନଟ ହୋଇଥିବା ଗାଁକୁ ଯାଇ ପ୍ରଥମେ ପିଲାଙ୍କ ତାଲିକା ପ୍ରସ୍ତୁତ କରିବା ସହ କରୋନା ମହାମାରୀର ଭୟଭୟତା ଓ ତାର ପ୍ରତିକାର ସଂପର୍କରେ ଉଭୟ ପିଲା ଓ ଅଭିଭାବକ ମାନଙ୍କୁ ବୁଝାଇ ଥିଲେ । ପ୍ରଥମରୁ ପଂଚମ ଏବଂ ଷÂରୁ ସପ୍ତମ ଶ୍ରେଣୀ ଅନୁଯାୟୀ ପ୍ରସ୍ତୁତ କନିÂ ଓ ବରିÂ ବର୍ଗର ପିଲାଙ୍କୁ ଭାଷା, ଗଣିତ, ବିଜ୍ଞାନ ଓ ସାମାଜିକ ବିଜ୍ଞାନ, ଇଂରାଜୀ ଆଦି ବିଷୟରେ ଶିକ୍ଷାଦାନ ସହ ପ୍ରକଳ୍ପ କାର୍ଯ୍ୟ ସଂପାଦନ କରିଥିଲେ । ପ୍ରଥମ ଦିନରେ ୨୦୩ ଜଣ ଶିକ୍ଷକ ଜିଲ୍ଲାର ୨୦୩ଟି ଗ୍ରାମକୁ ଯାଇ ୩୦୦୯ ଜଣ ପିଲାଙ୍କୁ ଶିକ୍ଷାଦାନ ପ୍ରଦାନ କରିଛନ୍ତି । ଅପରପକ୍ଷେ ବିଭାଗୀୟ ପ୍ରତି ବିଦ୍ୟାଳୟ ସ୍ତରରେ ଶ୍ରେଣୀ ଅନୁଯାୟୀ ହ୍ୱାଟସ ଆପ୍ ଗ୍ରୁପ କରାଯାଇ ଇ-ପାଠ୍ୟକ୍ରମ ମଧ୍ୟ ପ୍ରଦାନ କରାଯାଇଛି । ଏଥିପାଇଁ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନେତୃତ୍ୱରେ ଆଠ ଜଣିଆ ଦକ୍ଷତା ସଂପନ୍ନ ଶିକ୍ଷକଙ୍କୁ ନେଇ ଜିଲ୍ଲା ସାଧନ ମଣ୍ଡଳୀ ଗଠନ କରାଯାଇଛି । ଏହି କମିଟି ଇ-ପାଠ୍ୟକ୍ରମ ସହ କାର୍ଯ୍ୟକ୍ରମର ସୁପରିଚାଳନା କରିବେ । ସେହିପରି ୨୭ ଜଣ ଦକ୍ଷ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ନେଇ ପ୍ରସ୍ତୁତ ବିଷୟଗତ ସାଧନ କମିଟି ପ୍ରସ୍ତୁତ କରାଯାଇ ଇ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଉଛି । ପ୍ରଥମ ଦିନରେ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି ଓ ଶିକ୍ଷା ମଣ୍ଡଳାଧୀଶ ଶ୍ୟାମଘନ ଭୂୟାଁ ଜିଲ୍ଲାର କୋଲନରା ଓ କଲ୍ୟାଣସିଂହପୁର ବ୍ଲକର ବିଭିନ୍ନ ଗ୍ରାମକୁ ଯାଇ ସାମାଜିକ ଦୂରତା ଏବଂ ମାସ୍କ ପରିଧାନ କରି ଶିକ୍ଷାଦାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ । ଇ-ଶିକ୍ଷାଦାନ ଆରମ୍ଭ ହେବା ପରେ ଗାଁରେ ଥିବା ପାଠ ପଢୁଆ ପିଲାଙ୍କ କ୍ଷେତ୍ରରେ ପାଠ ପଢା ପ୍ରତି ଉତ୍ସାହ ଦେଖାଦେଇଛି । ଯଦି ବିଦ୍ୟାଳୟ ଜୁନ ୧୭ରେ ନ ଖୋଲେ ତେବେ ଏହି ଇ-ସୁବିଦ୍ୟା କାର୍ଯ୍ୟକ୍ରମର ଅବଧି ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶତପଥୀ ପ୍ରକାଶ କରିଛନ୍ତି ।