ଭଞ୍ଜନଗର,୧.୬ (ନି.ପ୍ର.): ୪ ଦିନ ତଳେ ସେ ସଙ୍ଗରୋଧ କେନ୍ଦ୍ର ଫେରିଥିଲେ । ସେଠି ୨୧ ଦିନିଆ କ୍ୱାରେଂଟାଇନ୍ ଅବଧି ବିତାଇଥିଲେ । ଫେରିବା ବେଳକୁ ମନରେ ଖୁସି ଥିଲା ଯେ ଦୀର୍ଘ ଦିନ ପରେ ପତ୍ନୀଙ୍କୁ ଭେଟିବେ, ନିଜର ଶିଶୁ କନ୍ୟାକୁ ପ୍ରଥମ ଥର ଦେଖିବେ । ହେଲେ ଶ୍ୱଶୁର ଘରୁ ଫେରିବା ପରେ ରବିବାର ସକାଳୁ ଗାଁ ପୋଖରୀକୁ ଗାଧୋଇ ଯିବା ବାହାନାରେ ନିକଟସ୍ଥ ଆମ୍ବ ତୋଟାରେ ଦଉଡ଼ି ଲଗାଇ ଆତ୍ମହତ୍ୟା କଲେ । ରବିବାର ଗଞ୍ଜମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତର୍ଗତ ଚିକିରିପଡ଼ା ଗ୍ରାମରେ ଏହି ଘଟଣା ଘଟିଛି । ମୃତକ ହେଉଛନ୍ତି ସେହି ଗ୍ରାମର ବିଶ୍ୱନାଥ ଜେନାଙ୍କ ପୁଅ ରାଜେନ୍ଦ୍ର ଜେନା ୨୮ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ୨୦୧୮ରେ ନାୟକପଡ଼ାର କାଶୀ ଦାହୁଙ୍କ ଝିଅ ସୁନୀତାଙ୍କୁ ବିବାହ କରିଥିଲେ ରାଜେନ୍ଦ୍ର । ମାତ୍ର ୬ ମାସ ପରେ ସୁରଟକୁ କାମଧନ୍ଦା ଅନ୍ୱେଷଣରେ ଚାଲି ଯାଇଥିଲେ । ନିକଟରେ ଝିଅ ଜନ୍ମ ଶୁଣି ଖୁସିରେ ବିଭୋର ହୋଇଯାଇଥିଲେ । ଝିଅକୁ ଦେଖିବା ପାଇଁ ମନ ତାଙ୍କର ବେଶ୍ ଖୁସି ଥିଲେ ହେଁ କାମଧନ୍ଦା ଛାଡ଼ି ଘରକୁ ଫେରିପାରି ନଥିଲେ । ଗତ ହୋଲି ପରେ ଘରକୁ ଫେରିବାକୁ ପ୍ରସ୍ତୁତ ହୋଇଥିଲେ ରାଜେନ୍ଦ୍ର । ହେଲେ ସବୁ କିଛି ବିଗାଡ଼ି ଦେଇଥିଲା କରୋନା ସୁରଟରେ ହିଁ ଫସି ରହିଥିଲେ ସେ । କାମ ବନ୍ଦ ଥିବା ବେଳେ ହାତରୁ ଟଙ୍କା ଖର୍ଚ୍ଚ ହେବାରେ ଲାଗିଥିଲେ । ପ୍ରବାସୀଙ୍କ ଘର ବାହୁଡ଼ା ଆରମ୍ଭ ହେବା ମାତ୍ରେ ରାଜେନ୍ଦ୍ର ମଧ୍ୟ ବହୁ କସରତ କରି ପ୍ରଥମ ଦଫାରେ ହିଁ ଓଡ଼ିଶା ଫେରିଥିଲେ । ଜଗନ୍ନାଥପୁର ରେଳ ଷ୍ଟେସନ୍ରୁ ସିଧା ସଙ୍ଗରୋଧ କେନ୍ଦ୍ରକୁ ୨୧ ଦିନ ପାଇଁ ଯାଇଥବଲେ । ୪ ଦିନ ତଳେ ଘରକୁ ଫେରିଥିଲେ । ଏହି ଯୁବକ । ସମସ୍ତଙ୍କୁ ଭେଟିବା ପରେ ବାପଘର ନାୟକପଡ଼ାରେ ଥିବା ସ୍ତ୍ରୀ ସୁନୀତାଙ୍କ ସହ ମଧ୍ୟ ଫୋନ୍ ଯୋଗେ କଥା ହୋଇଥିଲେ । ହସଖୁସି ବାଂଟିଥିଲେ ଦୁହେଁ । ପରେ ନାୟପଡ଼ା ଯାଇ ସୁନାତାଙ୍କୁ ଘରକୁ ଫେରିବାକୁ ମଧ୍ୟ ଡାକିଥିଲେ । ହେଲେ କଣ ହେଲା କେଜାଣି ରାଜେନ୍ଦ୍ର ମନ ଦୁଃଖରେ ଶନିବାର ଘରକୁ ଫେରିଥିଲେ । ରବିବାର ସକାଳୁ ଗାଁ ପୋଖାରୀକୁ ଗାଧୋଇ ଯିବା ବାହାନାରେ ରାଜେନ୍ଦ୍ର ଆତ୍ମହତ୍ୟା କରି ଦେଇଥିବା ଅଭିଯୋଗ ଗହୋଇଛି । ଘଟଣା ଜଣାପଡ଼ି ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି ।