ୱାଶିଂଟନ: ଭାରତ ସହିତ ମିଶି ଚୀନକୁ ଶିକ୍ଷା ଦେବା ଲାଗି ଆମେରିକା ଯୋଜନା କରିଛି ପ୍ଲାନ-୧୮ । ଚୀନ ଦ୍ବାରା ତଥ୍ୟ ଲୁଚାଯିବା ଏବଂ କରୋନାର ଉତ୍ପତ୍ତିସ୍ଥଳ ଜାଣିବା ଲାଗି ଆମେରିକା ପକ୍ଷରୁ ଆରମ୍ଭ ହୋଇଥିବା ତଦନ୍ତରେ ସହଯୋଗ ନ କରିବା ଅଭିଯୋଗରେ ଆମେରିକା ଏହି ପଦକ୍ଷେପ ନେଇଛି। ଆମେରିକାର ବରିଷ୍ଠ ସାଂସଦ ଥୋମ୍ ଟିଲିସ ମହାମାରୀର କାରଣ ସାଜିଥିବା ଚୀନର ମିଛ, ପ୍ରତାରଣା ଏବଂ ତଥ୍ୟଗୁଡ଼ିକୁ ଗୋପନ ରଖିବାକୁ ଉଦ୍ୟମ ପାଇଁ ଚୀନକୁ ଦାୟୀ କରିବା ଲାଗି ପ୍ଲାନ-୧୮ ପ୍ରସ୍ତୁତ କରିଛନ୍ତି। ଏହି ପ୍ଲାନ-୧୮ ହେଉଛି ଏକ ୧୮ ସୂତ୍ରୀ ଯୋଜନା। ଭାରତ ସହିତ ସୈନ୍ୟ ସମ୍ପର୍କ ବଢ଼ାଇବା ଏହି ଯୋଜନାର ମୂଳ ଅଂଶ। ପ୍ଲାନ-୧୮ରେ ଥିବା ପରାମର୍ଶଗୁଡିକ ମଧ୍ୟରେ ଚାଇନାରୁ ଉତ୍ପାଦନ ଶୃଙ୍ଖଳା ହଟାଇବା ଏବଂ ଭାରତ, ଭିଏତନାମ ଏବଂ ତାଇୱାନ ସହିତ ସାମରିକ ସମ୍ପର୍କକୁ ମଜବୁତ କରିବା ଅନ୍ତର୍ଭୁକ୍ତ। ଟିଲିସ ନିଜ ପ୍ଲାନ-୧୮ରେ ଚୀନରେ ଥିବା ସମସ୍ତ ଆମେରିକୀୟ ମାନୁଫାକ୍ଚରିଂ କମ୍ପାନୀକୁ ନିଜ ଦେଶକୁ ଫେରାଇ ଆଣିବାକୁ ପରାମର୍ଶ ଦେଇଛନ୍ତି। କୌଣସି ସାମଗ୍ରୀ ଲାଗି ଚୀନ ଉପରେ ନିର୍ଭରଶୀଳତା ଶେଷ କରିବାକୁ କହିଛନ୍ତି। ଚୀନ ଯେପରି ଆମେରିକାର ପ୍ରଯୁକ୍ତିବିଦ୍ୟା ଚୋରି କରୁଛି ତାହାକୁ ମଧ୍ୟ ରୋକିବାକୁ ହେବ। ଟିଲିସଡୋନାଲ୍ଡ ଟ୍ରମ୍ପଙ୍କୁ ଅନୁରୋଧ କରି କହିଛନ୍ତି ଯେ, ସେ ନିଜର ସହଯୋଗୀ ଦେଶଗୁଡ଼ିକୁ ମଧ୍ୟ ଚୀନ ଉପରେ ଏଭଳି ପ୍ରତିବନ୍ଧକ ଲଗାଇବାକୁ କୁହନ୍ତୁ। ଫଳରେ ଚୀନକୁ ତାର ଭୁଲ୍ ପାଇଁ ଦଣ୍ଡ ମିଳିପାରିବ। ଆମେ ମିଳିମିଶି ଚୀନ ହ୍ୟାକର୍ସଙ୍କୁ ବି ରୋକିବା ଏବଂ ନିଜ ସାଇବର ସୁରକ୍ଷାକୁ ମଜଭୁତ କରିବା ବୋଲି ଟିଲିସ ପ୍ଲାନ-୧୮ରେ ଦର୍ଶାଇଛନ୍ତି।