‘ଅମ୍ଫାନ’ ପାଇଁ ଚିନ୍ତାରେ ଚାଷୀ

ଯାଜପୁର(ନି.ପ୍ର): କରୋନା ପାଇଁ ସଟଡାଉନ୍, ଲକ୍ଡାଉନ୍ର ପ୍ରଭାବ ନଜାଉଣୁ ପୁଣି ଏକ ଚିନ୍ତା ଘାରିଚି ଚାଷୀ ମୁଣ୍ଡକୁ । ସମ୍ଭାବ୍ୟ ବାତ୍ୟା ଆଶଙ୍କା “ଆମ୍ପାନ” ପାଇଁ ଚିନ୍ତାରେ ଯାଜପୁର ଜିଲ୍ଲା ବରୀ ଅଂଚଳର ଚାଷୀ । ବାତ୍ୟା ଆସିବା କଥା ଶୁଣି ଚାଷୀ ଭୟଭୀତ ହୋଇପଡିଛନ୍ତି । ସାଧାରଣତଃ ବରୀ ବ୍ଲକରେ ବହୁ ଚାଷୀ ପରିବାର ଗୁଜୁରାଣ ପାଇଁ ପରିବା ଚାଷକୁ ବେଶୀ ଗୁରୁତ୍ୱ ଦେଇଥାଆନ୍ତି । ଏ ଅଂଚଳର ପରିବା ଜିଲ୍ଲା ସମେତ ଜିଲ୍ଲା ବାହାରକୁ ଚାଲାଣ କରାଯାଉ ଥିବାରୁ ପରିବା ଚାଷୀମାନେ ଏହି ପରିବା ଚାଷ କରି ନିଜର ପରିବାର ପରିପୋଷଣ କରିଥାନ୍ତି । ସେହିପରି ମହାମାରୀ କରୋନା ପାଇଁ ଲକ୍ଡାଉନ୍ ହେବା ଫଳରେ ବେପାରୀ ପରିବା କିଣିବାରେ ବହୁତ ଅସୁବିଧା ହେଉଛି । ଏହି ଲକ୍ଡାଉନ୍ ଯୋଗୁଁ ହାଟ ବଜାର ଖୋଲିବାରେ କଟକଣା ଥିବାରୁ ଚାଷୀ ପରିବା ନେଇ ବିକ୍ରୀ କରିବା ପାଇଁ ନିଜକୁ ସୁରକ୍ଷିତ ମଣୁନାହାଁନ୍ତି । ତାପରେ ଗାଡି ଚଳାଚଳ ବନ୍ଦ ଥିବାରୁ ପୋଟଳ ଅମଳ ଅଧିକ ହୋଇଥିଲେ ମଧ୍ୟ ବାହାର ବଜାରକୁ ଚାଲାଣ ହୋଇପାରିଲା ନାହିଁ । ଏହି ପୋଟଳ ଚାଷ କରି ଚାଷୀ ବର୍ଷକୁ ଭଲ ଦୁଇ ପଇସା ରୋଜଗାର କରିଥାଏ କିନ୍ତୁ ଗାଡି ଚଳାଚଳ ବନ୍ଦ ଯୋଗୁଁ ତାହା ମଧ୍ୟ ସମ୍ଭବ ହେଲାନାହିଁ । ତାହା ସହିତ ଭେଣ୍ଡି, କଲରା, ବାଇଗଣ, ଝୁଡଙ୍ଗ, ଜହ୍ନି, ଛଚିଣ୍ଡା, କାକୁଡି, କଖାରୁ, କଦଳୀ ଆଦି ଚାଷ କରିଥିବା ଚାଷୀମାନେ ଏବେ ଚିନ୍ତାରେ । ମହାମାରୀ କରୋନା ଚାଷୀଙ୍କ ନିଦ ହଜାଇ ଦେଇଥିବା ବେଳେ ପୁଣି ବାତ୍ୟା “ଆମ୍ଫାନ” ଆସିବା ଶୁଣି ଚାଷି ମୁଣ୍ଡରେ ଚଡକ ପଡିଛି ।

Leave A Reply

Your email address will not be published.

6 − 3 =