ବାତ୍ୟା ଆସିଲେ ଖୋଜା ପଡେ଼ ରେଡିଓ

ଯାଜପୁର: ସମୟ ଥିଲା ଦେଶ ବିଦେଶରେ କ’ଣ ଟିକେ ଘଟଣା ଘଟିଲେ ଘରେ ଘରେ ରେଡିଓ ମାଧ୍ୟମରେ ଖବର ପହଂଚିଯାଉଥିଲା । ସେ କି୍ରକେଟ୍ ଖେଳ ହେଉ କି ରାଜନୈତିକ ଘଟଣା ସବୁ ପାଇଁ ସମସ୍ତେ କାନ ଡେରୁଥିଲେ ରେଡିଓ ପାଖରେ । ଘଟଣା କ୍ରମେ ଘରେ ଘରେ ଟିଭି ସଂଖ୍ୟା ବଢିବା ସହିତ ମୋବାଇଲର ଜମାନା ଆସିବା ପରେ ଏହି ରେଡିଓର ସ୍ରୋତା ସଂଖ୍ୟା ବର୍ତମାନ ସମୟରେ ବହୁତ ନଗଣ୍ୟ । ତଥାପି କଥାରେ ଅଛି ଓଲଡ୍ ଇଜ୍ ଗୋଲ୍ଡ ବା ପୁରୁଣା ଜିନିଷର ସବୁବେଳେ ଚମକ ନିଆରା । ଯେପରିକି ବର୍ତମାନ ଆଧୁନିକ ଯୁଗର ଲୋକେ ବିଭିନ୍ନ ବୈଦୁ୍ୟତିକ ମାଧ୍ୟମ ଦ୍ୱାରା ଖବର ଦେଖୁଥିଲେ ମଧ୍ୟ ବାତ୍ୟା, ବନ୍ୟା ଜନିତ ପ୍ରାକୃତିକ ଦୈବିପାକ ସମୟରେ ଏହି ରେଡିଓ ହିଁ ଖବର ଜାଣିବାର ଏକମାତ୍ର ସାହା ଭରସା ।ସେହି ପରିପ୍ରେକ୍ଷୀରେ ସମ୍ଭାବ୍ୟ ବାତ୍ୟା ଅମ୍ଫାନର ପ୍ରଭାବରେ ବିଜୁଳି କଟିଯିବା ସହିତ ମୋବାଇଲ, ଟିଭି ନଚାଲିପାରିବାର ଆଶଙ୍କାରେ ଲୋକେ ସେହି ପୁରୁଣା ରେଡିଓକୁ ଖୋଜି ତା ମଧ୍ୟରେ ବ୍ୟାଟେରି ପକାଇ ଚାଲୁ ରଖିବାର ପ୍ରୟାସ ଦେଖିବାକୁ ମିଳିଛି । ବରୀ ବ୍ଲକର ପ୍ରାୟତଃ ଅଂଚଳ ଗୁଡିକ ଗ୍ରାମାଂଚଳ ହୋଇଥିବାରୁ ବାତ୍ୟା ପ୍ରଭାବରେ ଥରେ ବିଜୁଳି କଟିଲେ ପୁନଃ ସଂଯୋଗ କେବେ ହେବ କହିବା ମୁସ୍କିଲ ତେଣୁ ପ୍ରାୟତଃ ଲୋକେ ବାତ୍ୟାର ବିବରଣୀ ହେଉ ବା ଅନ୍ୟ କେଉଁ ଘଟଣା ଜାଣିବା ପାଇଁ ଅଲୋଡା ହୋଇ ପଡି ରହିଥିବା ତାଙ୍କର ପୁରୁଣା ରେଡିଓକୁ ଖୋଜି ତାକୁ ପୁନଃ ଚାଲୁ ରଖିବାର ପ୍ରୟାସ କରୁଥିବାର ଦେଖିବାକୁ ମିଳିଛି । ପୂର୍ବରୁ ଓଡିଶାରେ ଘଟିଥିବା ୯୯ ମହାବାତ୍ୟା ହେଉ ବା ପରେ ଘଟି ଯାଇଥିବା ଛୋଟ ମୋଟ ବାତ୍ୟାରେ ଖବର ଜାଣିବା ପାଇଁ ଏହି ରେଡିଓ ହିଁ ଥିଲା ଏକମାତ୍ର ସାହା ଭରସାର ମାଧ୍ୟମ । ତେଣୁ ଯେତେ ପୁରୁଣା ହେଲେ ମଧ୍ୟ ସବୁ ଜିନିଷର କିଛି ନା କିଛି ମହତ୍ୱ ଥାଏ ତାହା ଏହି ରେଡିଓ ଆମକୁ ଶିକ୍ଷା ଲାଭ କରାଏ । ତେଣୁ ଏହି ସମ୍ଭାବ୍ୟ ବାତ୍ୟା ଅମ୍ଫାନ ଆଣିଦେଇଚି ରେଡିଓର ଚମକ । ବର୍ତମାନର କିଛି ନୂଆ ପଢିର ଯୁବକ ରେଡ଼ିଓ କ’ଣ ଭୁଲିବାକୁ ବସିଥିବା ବେଳେ ପୁଣି ସମସ୍ତଙ୍କୁ ଆକୃଷ୍ଟ କରିଛି ଏହି ରେଡିଓ । ତଥାପି ସହରି ସଭ୍ୟତାରେ ରେଡିଓର ଆଦର ନଥିବା ବେଳେ ଗ୍ରାମାଂଚଳ ହେଉ ବା ଆଦିବାସୀ ବହୁଳ ଇଲାକାରେ ଏବେ ବି ଏହି ରେଡିଓର ଚମକ ଦେଖିବାକୁ ମିଳୁଛି ।

Leave A Reply

Your email address will not be published.

17 + five =