ଟଙ୍କା : ମୁହଁ କରିଦିଏ ବଙ୍କା

ଆମ ଦେଶ ହେଉଛି ବିଶ୍ୱର ଦ୍ୱିତୀୟ ଜନବହୁଳ ରାଷ୍ଟ୍ର । ଏଠାରେ ପ୍ରାୟ ୧୩୦ କୋଟି ଲୋକ ବସବାସ କରନ୍ତି । ୨୦୧୯-୨୦ ଆର୍ଥିକ ବର୍ଷରେ ଆମ ଭାରତବର୍ଷର ଅର୍ଥନୈତିକ ଅଭିବୃଦ୍ଧି ହାର ସନ୍ତୋଷଜନକ ରହିଥିଲା ବେଳେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଅର୍ଥନୈତିକ ଅବସ୍ଥା ଠିକ୍ ନଥିବା ଭଳି ଜଣାପଡୁଛି । ବିଶେଷତଃ ମହାମାରି କରୋନା ଚଳିତ ଅର୍ଥିକ ବର୍ଷ ଆରମ୍ଭରୁ ଭାରତରେ ପ୍ରବେଶ କରିବା ସହିତ ଏହାର କାୟା ବୃଦ୍ଧି କରିଚାଲିଛି । ସମ୍ପ୍ରତି ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅତି କମ୍ରେ ୫ ହଜାର ହେଉଥିବାରୁ ଏହା ସୁଚାଇ ଦେଉଛି ଯେ ଆଗକୁ ଆମ ଦେଶ କରୋନା ତାଲିକାରେ ଆଉ କେତେକ ଦେଶକୁ ଟପିଯିବା ଅସମ୍ଭବ ନୁହେଁ । ତେବେ ଏଠାରେ ଆମେ ଏହା କହିବାର ଅର୍ଥ ହେଲା ଯେ ସମ୍ପ୍ରତି ସାରା ଦେଶ କରୋନା ବିରୋଧରେ ଲଢେଇ ଜାରି ରଖିଥିବାରୁ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳ ଗୁଡିକରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ ଲାଗୁ ରହିଛି । ବର୍ଷ ଆରମ୍ଭରୁ କରୋନା ପାଇଁ ଦେଶର ଅର୍ଥନୈତିକ କାରବାର ସମ୍ପୁର୍ଣ୍ଣ ଠପ୍ ହୋଇଯାଇଛି । ଏପରି ଅବସ୍ଥାକୁ ଲକ୍ଷ୍ୟ କରି ବହୁ ପୂର୍ବରୁ ଆନ୍ତର୍ଜାତିକ ମୁଦ୍ରାପାଣ୍ଠି (ଆଇଏମଏଫ)ଓ ବିଶ୍ୱବ୍ୟାଙ୍କ ଆଦି ଏକାଧିକ ସଂସ୍ଥା ଆକଳନ କରିଥିଲେ ଯେ ଚଳିତ ଆର୍ଥିକ ବର୍ଷ ଦେଶର ଅଭିିବୃଦ୍ଧି ହାର ବିଶେଷ କ୍ଷତିଗ୍ରସ୍ତ ହେବାର ଆଶଙ୍କା ରହିଛି । ଏପରିକି ମୃଦ୍ରାସ୍ପିତି ଆକଳନ ନେଇ କିଛି କହିନଥିଲେ ମଧ୍ୟ ସାମଗ୍ରିକ ଭାବେ ଭାରତୀୟ ଅର୍ଥନୀତିରେ ସୁଧାର ଆସିବା ସଂମ୍ପର୍କରେ ନିରାଶା ଭାବ ପୋଷଣ କରିଥିଲେ । ଏହି ସବୁ ଆକଳନକୁ ପରୋକ୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଠିକ୍ ବୋଲି ଦର୍ଶାଇବା ସରକାରଙ୍କ ଚିନ୍ତାକୁ ବଢେଇ ଦେଉଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଶୁକ୍ରବାର ପ୍ରକାଶ କରିଛନ୍ତି ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଦେଶରେ ଅଭିବୃଦ୍ଧି ହାର ବଢିବା ତ ଦୁରର କଥା, ଏହା ବହୁତ ତଳକୁ ଖସିଯିବ । ଏପରିକି ଏହା ଶୂନ୍ୟଠାରୁ କମ୍ ହୋଇପରେ ବୋଲି ପ୍ରଥମ ଥର ତାଙ୍କଠାରୁ ସୁଚନା ନିଳିଛି । ସେ କହିବାନୁଯାୟୀ ଲକ୍ଡାଉନ ଲାଗୁ ହୋଇଥିବାରୁ ଏହା ରାଷ୍ଟ୍ରୀୟ ଅର୍ଥନୀତିକୁ ଗୃରୁତର ଭାବେ ପ୍ରଭାବିତ କରିଛି । ମାହାମରି କରୋନା ମୂକାବିଲା ଚାଲିଥିବାରୁ ଅର୍ଥନୀତିକ କାର୍ଯ୍ୟକଳାପ ଏବଂ ଏହାର ଗତିଶୀଳତା ଏଥରକ ଠପ୍ ହୋଇପଡିଛି । ତେଣୁ ପ୍ରଥମ ଛ’ମାସ ମଧ୍ୟରେ, ଅର୍ଥାତ୍ ର୍ମାଚ୍ଚରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ଅଭିବୃଦ୍ଧି କୌଣସିମତେ ଘଟିବ ନାହିଁ । ୨୦୨୦ ସେପ୍ଟେମ୍ବରରୁ ୨୦୨୧ ର୍ମାଚ୍ଚ ମଧ୍ୟରେ କିଛିଟା ଅଭିବୃଦ୍ଧି ହାର ବୃଦ୍ଧି ପାଇପାରେ । ତେବେ ମୁଦ୍ରାସ୍ପିତିକୁ ନେଇ ସେ କହିଛନ୍ତି ଯେ ଏ ସମ୍ପର୍କରେ ଆକଳନ କରାଯାଇ ନପାରେ । ତାର କାରଣ ହେଲା, ଦେଶର ଅର୍ଥନୈତିକ ଅବସ୍ଥା ଓ ବ୍ୟବସ୍ଥା ସମ୍ପୁର୍ଣ୍ଣ ମାନ୍ଦାବସ୍ତା ଆଡକୁ ଗତି କରୁଛି । ଏହା ସୂଚାଇ ଦେଉଛି ଯେ ଆମ ଦେଶର ଅର୍ଥନୀତି ଚଳିତ ବର୍ଷ ଦିଗହରା ହେବନି ତ?

Leave A Reply

Your email address will not be published.

twenty + fifteen =