ଉହାନରୁ ଶିକ୍ଷା : ଲମ୍ବା ଯୁଦ୍ଧର ଅୟମ୍ଭାରମ୍ଭ ଡାକ୍ତର ନୀଳମାଧବ ପୃଷ୍ଟି

ଅଦ୍ଭୁତ୍ପୂର୍ବ ଜନତା କର୍ଫୁ୍ୟର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଭାରତ ବର୍ଷ ସହ ଓଡ଼ିଶା ବିପୁଳ ଜନସମର୍ଥନ ଜଣାଇ ଏହାକୁ ସଫଳ କରାଇଛି । ଓଡ଼ିଶାରେ ନବୀନ ସରକାରଙ୍କ ଲକ୍ଡାଉନ ଘୋଷଣା ଜନତା କର୍ଫୁ୍ୟକୁ ଆହୁରି ଅଧିକ ସଫଳ କରିଦେଇଥିଲା ଦେଖିବାକୁ ମିଳିଛି । ଗତ ୨୦ବର୍ଷ ଭିତରେ ଓଡ଼ିଶାର ଅଧିକାଂଶ ରାଜନୈତିକ ଦଳ ଓ ସଙ୍ଗଠନ ଡାକରାରେ ଅନେକ ବନ୍ଦ ପାଳନ ହୋଇଛି । କିନ୍ତୁ ସବୁ ରେକଡର଼୍କୁ ଭାଙ୍ଗି ଦେଇଛି ମୋଦିଙ୍କ ଡାକରାରେ ଦିଆଯାଇଥିବା ଜନତା କର୍ଫୁ୍ୟ । ସେହିପରି ସମଗ୍ର ଭାରତବାସୀ ପାଂଚମିନିଟ ପାଇଁ ଏହି କରୋନା ରାକ୍ଷସ ବିରୁଦ୍ଧରେ ଲଢ଼ୁଥିବା ଲୋକଙ୍କୁ ସମ୍ମାନ ଜଣାଇବା ପାଇଁ ଶଙ୍ଖ, ଘଂଟି, ତାଳି, ହୁଳହୁଳି ଆଦିର ଶବ୍ଦରେ ଯେଉଁ କୃତଜ୍ଞତା ଜ୍ଞାପନ କରିଥିଲେ କହିବାକୁଗଲେ ପୁରା ଆକାଶ ଗୁଞ୍ଜୁରି ଉଠିଥିଲା । ସମଗ୍ର ଭାରତବାସୀ ଅପୂର୍ବ ଭାଇଚାରା ଓ ଏହି ଭୟାବହ ବିରୁଦ୍ଧରେ କିପରି ଏକଜୁଟ ହୋଇପାରନ୍ତି ଏହାର ବଡ଼ ସ୍ମରଣୀୟ ଉଦାହରଣ ଯୁଗ ଯୁଗ ପାଇଁ ସୃଷ୍ଟି କରିଦେଲେ । କରୋନା ବା କୋଭିଡି-୧୯ କୌଣସି ଦେଶର ସୀମା, ସାମାଜିକ ବନ୍ଧନକୁ ସମ୍ମାନ ଦେଇନି । ଏହାର ପ୍ରକୋପ କୌଣସି ରାଜନୈତିକ କିମ୍ବା ସାଂସ୍କୃତିକ ବ୍ୟବସ୍ଥାକୁ ରକ୍ଷାତ କରିନି ବରଂ ଏହା ଆମକୁ ଅତି କଠୋର ଯନ୍ତ୍ରଣା ଦେଇଛି କିନ୍ତୁ ଏହି ମର୍ମାନ୍ତକ ଯନ୍ତ୍ରଣା ସମଗ୍ର ବିଶ୍ୱକୁ ଏକଜୁଟ କରିଦେଇଛି । ଭାରତର ସନାତନ ସଂସ୍କୃତିର ମହାମନ୍ତ୍ର ହେଉଛି – “ବସୁଧୈବକ କୁଟୁମ୍ବକମ୍’ ଏହି ବସୁଧାର ସମସ୍ତେ ଗୋଟିଏ କୁଟୁମ୍ବ ବା ଗୋଟିଏ ପରିବାରର । ଏହି ମହାମାରୀ ସମଗ୍ର ବିଶ୍ୱ ସହ ଆମ ଭାରତମାଟିକୁ ଦୋହଲାଇ ଦେଇଛି । ଏଠାରେ ସହୃଦୟ ପାଠକବର୍ଗଙ୍କୁ ମନେକରିଦେଉଛି କି ଯେ, ସୁଦୀର୍ଘ ଏକମାସ ପୃଥିବୀର ଶକ୍ତିଶାଳୀ ଓ ପ୍ରଯୁକ୍ତି ଚିକିତ୍ସା ବିଜ୍ଞାନରେ ଆଗୁଆ ଥିବା ଚୀନର ଉହାନରେ ଦୀର୍ଘ ଏକମାସ ଧରି କ୍ଷତାକ୍ତ କରିଦେଲା ଅନେକ ଆକ୍ରାନ୍ତଙ୍କୁ । କିନ୍ତୁ ଏବେ ଚୀନର ସ୍ଥିତି ବଦଳିଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ଅନୁଯାୟୀ ଜଣେ କରୋନା ସଂକ୍ରମିତ ବ୍ୟକ୍ତି ହାରାହାରି ୨.୬ଜଣଙ୍କୁ ସଂକ୍ରମିତ କରିଥାଏ । ଦଶଟି ପର୍ଯ୍ୟାୟ ପରେ ଏହି ସଂକ୍ରମଣ ପ୍ରତି ବ୍ୟାପକ ରୂପ ନେଇ ମାତ୍ର କିଛିଟା ଦିନ ପରେ ୩୫୦୦ ଲୋକଙ୍କୁ ସଂକ୍ରମିତ କରି ଏହାକୁ ଆଗକୁ ମାଡି ମାଡି ନେଇଥାଏ । ଚୀନ ଏ ସଂକ୍ରମଣକୁ ରୋକିବା ପାଇଁ ଯେଉଁ ଅବିଶ୍ୱାସନୀୟ ଆକ୍ରମଣାତ୍ମକ ଓ ନିଷ୍ଠୁର ଅତ୍ୟାଚାରୀ ପଦକ୍ଷେପକୁ ଆପଣାଇ ଥିଲା ସେ ସମୟରେ ସମଗ୍ର ବିଶ୍ୱ ଏକ ପ୍ରକାର ହତ୍ଚକିତ ହୋଇଯାଇଥିଲା । ଏହି ତଥାକଥିତ “ଲକ୍ଡାଉନ’ ଗୋଟିଏ ସହରକୁ ଏକ ପ୍ରକାର ଘେରାବନ୍ଦୀ କରି ସମସ୍ତ ଯୋଗାଯୋଗକୁ ବିଚ୍ଛିନ୍ନ କରିଦେଇଥିଲା । ସେ ସମୟରେ ବ୍ୟକ୍ତି ଅଧିକାର, ମାନବିକ ଅଧିକାରକୁ ନେଇ ଅନେକ ପ୍ରଶ୍ନ ଉଠିଲା । ତେବେ ଜନସାଧାରଣଙ୍କ ନିରାପତ୍ତା ଓ ସ୍ୱାସ୍ଥ୍ୟ କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏହାକୁ ସମସ୍ତେ ମନେରଖିବା କଥା । ଏହି କରୋନା ସଂକ୍ରମଣକୁ ରୋକିବା ପାଇଁ ଚୀନ ଅତି କଠୋର ଭାବେ କ୍ୱାରେନ୍ଟାଇନ୍ ବ୍ୟବସ୍ଥା ଗ୍ରହଣ କରିଥିଲା ।
ଚୀନର ଏହି କଠୋର ବ୍ୟବସ୍ଥା ଓ ପଦକ୍ଷେପ ସଂକ୍ରମଣସ୍ତରକୁ କେବଳ ଅଟକାଇ ନଥିଲା ବରଂ ଲକ୍ଷାଧିକ ନୂଆ ସଂକ୍ରମଣକୁ ଏକ ପ୍ରକାର ଅଟକାଇବାକୁ ସକ୍ଷମ ହୋଇ ସଂଖ୍ୟାଧିକ ମୃତୁ୍ୟକୁ ସେମାନଙ୍କ ମୃତୁ୍ୟପଥରୁ କହିବାକୁ ଗଲେ ଫେରାଇ ଆଣିବାରେ ସକ୍ଷମ ହୋଇଥିଲା । ସମସ୍ତଙ୍କୁ ସୁରକ୍ଷା ଯୋଗାଇବାରେ ଏହି ପ୍ରକ୍ରିୟା ସକ୍ଷମ ହେଲା । ଏହି ପଦକ୍ଷେପ କଠୋର ହୋଇପାରେ ସତ କିନ୍ତୁ ଏହା ପାଇଁ ସରକାର ନୁହଁନ୍ତି ଆମେ ଜନସାଧାରଣ ଏହି ନୀତି ପାଇଁ ସହମତି ପ୍ରଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିତି ନିର୍ଦ୍ଧାରକ ଓ ନିତି ଗ୍ରହଣକାରୀଙ୍କ ଭିତରେ ସମନ୍ୱୟ ଅତ୍ୟନ୍ତ ଜରୁରୀ । କଠୋର କ୍ୱାରେନଟାଇନ୍ ବ୍ୟବସ୍ଥା ଓ ଲକ୍ଡାଉନ୍ କାର୍ଯ୍ୟକାରୀ କରିବା ଏକ ଜଟିଳ ବ୍ୟବସ୍ଥା ନିଶ୍ଚୟ କିନ୍ତୁ ଆମ ମାନଙ୍କର ସହଯୋଗ ସବୁଠାରୁ ପ୍ରଥମ । ଉହାନ୍ର ଜନସାଧାରଣ ଏକ ବ୍ୟତିକ୍ରମ ଭାବେ ଯାହାକରି ଦେଖାଇଲେ ସେଥିରେ ସେମାନଙ୍କର ଅପୂର୍ବ ଧୈର୍ଯ୍ୟ ଓ ଦୃଢ଼ତାକୁ ମାନିବାକୁ ପଡ଼ିବ । ସାମାଜିକ ଦାୟିତ୍ୱ ଭାବେ ସେହି ବାସିନ୍ଦାମାନେ ଏହାକୁ ଗ୍ରହଣ କରିବା ଦ୍ୱାରା ଅତ୍ୟନ୍ତ ଚମକ୍ରାର ପରିଣାମ ଅବିଶ୍ୱସନୀୟ ଭାବେ ଆଗେଇ ଆସିଲା । ପୃଥିବୀର ଭିନ୍ନ ଭିନ୍ନ ଦେଶର ସାମାଜିକ ବ୍ୟବସ୍ଥା, ଲୋକଚଳଣି, ଅର୍ଥନୈତିକ ଚିତ୍ର ଅଲଗା ହୋଇପାରେ କିନ୍ତୁ ମହାମାରୀ ବ୍ୟାପିଲେ ଏ ବିପଦ ସମସ୍ତଙ୍କ ଭିତରେ ଖେଳାଇ ଦିଏ । ଲୋକଙ୍କ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଧାନ୍ୟ ଦେଇ କାମ କରିବାକୁ ଥିବାବେଳେ ବିଭିନ୍ନ ବିଚାରଧାରାକୁ ନେଇ ଥିବା ମତଭେଦ କିଛି ତ ମଙ୍ଗଳ କରିନଥାଏ ବରଂ କ୍ଷତି କରିଥାଏ । ଛୋଟିଆ ସିଙ୍ଗାପୁର ଭଳି ରାଷ୍ଟ୍ର କରୋନା ନିୟନ୍ତ୍ରଣ ପାଇଁ ଅତି ଚମକ୍ରାର ପଦକ୍ଷେପ ନେଇଥିଲା । ଆଜି ଇଟାଲୀ ଓ ଇରାନରେ ଏହି କରୋନା ହା ହା କାର ସୃଷ୍ଟିକରିଛି । ମୃତୁ୍ୟର ତାଣ୍ଡବ ଖିନିଭିନ୍ କରିଦେଇଛି ଲୋକମାନଙ୍କ ଜୀବନ, ସାମାଜିକ ବ୍ୟବସ୍ଥା ଓ ଅର୍ଥନୀତିକୁ । ସମଗ୍ର ଭାରତ ଏହି ଅଦ୍ଭୁତ୍ପୂର୍ବ ଜନତା କର୍ଫୁ୍ୟକୁ ପାଳୁଥିବାବେଳେ ଅନେକ ଉଲଂଘନକାରୀ ମଧ୍ୟ ସେମାନଙ୍କ କାରନାମା ଘଟାଇଛନ୍ତି । ଯାହାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ଦ୍ୱିତୀୟ ଭଗବାନ ଡାକ୍ତର, ପୋଲିସ ବନ୍ଧୁ, ସ୍ୱଚ୍ଛପରିମଳ କର୍ମୀ ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କର ଯେଉଁ ଅପୂର୍ବ ତ୍ୟାଗ ଦେଖାଇଛନ୍ତି ତାହାକୁ ଯେତେ ପ୍ରଶଂସା କଲେ ମଧ୍ୟ କମ ହେବ । ସଂପ୍ରତି ବିଶ୍ୱବ୍ୟାପୀ ୧୦୦କୋଟିରୁ ଅଧିକ ଲୋକ ଲକ୍ଡାଉନରେ ରହିଛନ୍ତି । ୧୮୬ଟି ରାଷ୍ଟ୍ରରେ କାୟା ବିସ୍ତାର କରିଥିବା କରୋନା ଭାଇରସ ଦିନକୁ ଦିନ ଭୟାନକ ପରିସ୍ଥିତି ସୃଷ୍ଟି କରିଛି । ଏହି ଲେଖା ପ୍ରସ୍ତୁତ ହେବା ବେଳକୁ ବିଶ୍ୱବ୍ୟାପୀ କରୋନାରେ ୩ଲକ୍ଷ ୩୮ହଜାର ଲୋକ ସଂକ୍ରମିତ ହୋଇଥିବାବେଳେ ସମଗ୍ର ବିଶ୍ୱରେ ମୃତୁ୍ୟ ସଂଖ୍ୟା ୧୪ହଜାର ୫୦୦ ଛୁଇଁଛି । ମୋଦିଜୀ ଆହ୍ୱାନ ଦେଇଛନ୍ତି ଆରମ୍ଭ ହେଲା ଲମ୍ବା ଯୁଦ୍ଧ । ଏହି ଯୁଦ୍ଧ କେବଳ କରୋନା ରାକ୍ଷସ ବିରୁଦ୍ଧରେ ନୁହେଁ ଅସ୍ୱଚ୍ଛତା, ଅପରିଷ୍କାର ଓ କୁସଂସ୍କାର ବିରୁଦ୍ଧରେ । ଏଭଳି ପରିସ୍ଥିତି ଏହାପୂର୍ବରୁ କେବେ ଦେଖିବାକୁ ମିଳିନଥିଲା । ଭାରତବାସୀଙ୍କ ସହ ଓଡ଼ିଶାବାସୀ ଅନେକ ଅଘଟଣକୁ ସାମ୍ନା କରିଛନ୍ତି କିନ୍ତୁ ସବୁଥିରେ ଏହି ବିଜୟୀ ଉକ୍ରଳ ସବୁବେଳେ ବିଜୟର ଟୀକା ପିନ୍ଧିଛି । ସବୁଠାରୁ ସୁଖର କଥା ଭାରତୀୟ ମେଡ଼ିକାଲ ଗବେଷଣା ପରିଷଦ ସୂଚୀତ କରିଛିକି ଯେ, ଏ ପର୍ଯ୍ୟନ୍ତ କରୋନା ବା ଗୋଷ୍ଠି ସଂକ୍ରମଣ ପରିଣତ ହୋଇନି । ସରକାରଙ୍କ ତ୍ୱରିତ ପଦକ୍ଷେପ, ଆଗୁଆ ସତର୍କତା ଓ ଜନସାଧାରଣଙ୍କ ଭିତରେ ସଚେତନତା ହେଉଛି ମୂଳ କଥା ।

ପାଣିକୋଇଲି, ଯାଜପୁର, ଦୂରଭାଷ:୯୪୩୯୪୮୨୫୨୬

Leave A Reply

Your email address will not be published.

4 × 1 =