ରାୟଗଡା: ପ୍ରବାସୀ ଶ୍ରମିକମାନେ ନିଜ ନିଜ ଜିଲ୍ଲାକୁ ଫେରିଲା ପରେ ପ୍ରଶାସନ ତରଫରୁ ୨୧ ଦିନ ପାଇଁ ସଙ୍ଗରୋଧ କେନ୍ଦ୍ରରେ ଥଇଥାନ କରାଯାଇଥିଲା । ପ୍ରବାସୀ ମାନଙ୍କୁ ସଙ୍ଗରୋଧେ କେନ୍ଦ୍ରରେ ପ୍ରତିଦିନ ରନ୍ଧାଖାଦ୍ୟ ସହ ସ୍ୱାସ୍ଥ୍ୟବସ୍ଥାର ଯାଂଚ କରାଯାଉଛି । ତେବେ ପ୍ରବାସୀମାନେ ଯେପରି ମାନସିକ ଚାପର ସମ୍ମୁଖୀନ ନହୁଅନ୍ତି ସେଥିନିମନ୍ତେ ପ୍ରଶାସନ ତରଫରୁ ଏକ ନିଆରା ଉଦ୍ୟମ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ରାୟଗଡା ବ୍ଲକ ଅନ୍ତର୍ଗତ କୁଟୁଳି ଆଶ୍ରମ ବିଦ୍ୟାଳୟ ଏବଂ ତାଡମା ଆଶ୍ରମ ବିଦ୍ୟାଳୟ ପରିସରରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରର ଅନ୍ତେବାସୀମାନଙ୍କୁ ଯୋଗଭ୍ୟାସ କରାଯାଇଛି । ସକାଳୁ ସକାଳୁ ପ୍ରଶିକ୍ଷକ ଡାକ୍ତର ସୁନିଲ ମହାପାତ୍ର ଅନ୍ତେବାସୀମାନଙ୍କୁ ଯୋଗ ଦ୍ୱାରା ଶରୀର କିପରି ସୁସ୍ଥ ରହିବା ସେ ନେଇ ବୁଝାଇବା ସହ ବିଭିନ୍ନ ପ୍ରକାର ଯୋଗ ପ୍ରଣାଳୀ ଗୁଡିକ ନିଜ କରି ପ୍ରବାସୀ ଶ୍ରମିକମାନଙ୍କୁ କରିବା ପାଇଁ ଉତ୍ସାହିତ କରିଥିଲେ । ପ୍ରତିଦିନ ଯୋଗ ଦ୍ୱାରା ଶ୍ରମିକମାନଙ୍କୁ ସ୍ୱାସ୍ଥ୍ୟବସ୍ଥା ଠିକ ରହିବା ସହ ସେମାନେ କୌଣସି ପ୍ରକାର ମାନସିକ ଅବସାଦର ସମ୍ମୁଖୀନ ହେବା ନାହିଁ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ । ଏଥିସହ ଗୁଣପୁର ବ୍ଲକ ଅନ୍ତର୍ଗତ ଡମ୍ବସରା ଆଶ୍ରମ ବିଦ୍ୟାଳୟ ପରିସରରେ ମଧ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ମଧ୍ୟ ଯୋଗଭ୍ୟାସ କରାଯାଇଥିଲା ।