ଭୁବନେଶ୍ବର:ବୁଧବାରଠାରୁ ରାଜଧାନୀର ସମସ୍ତ ତାରକା ଓ ଅଣତାରକା ହୋଟେଲ ଖୋଲିବାକୁ ବିଏମ୍ସି ଅନୁମତି ଦେଇଛି। ଏଥିପାଇଁ ସର୍ତ୍ତ ରଖିଛି ଯେ, ଯେଉଁ ହୋଟେଲ ସଙ୍ଗରୋଧ ଲୋକଙ୍କୁ ରଖୁନାହାନ୍ତି ସେମାନେ ସର୍ବାଧିକ ୭୨ଘଣ୍ଟା ପାଇଁ ଓଡ଼ିଶାକୁ ଆସୁଥିବା ଲୋକଙ୍କୁ ରଖିପାରିବେ। ଏହାବାଦ୍ ବିମାନର କ୍ରିଉ ସଦସ୍ୟଙ୍କୁ ବି ରଖିପାରିବେ। ଏନେଇ ବୁକିଂ ରଖିବାରେ କିଛି ଅସୁବିଧା ନାହିଁ।
ନୂଆ ନିୟମ ଅନୁଯାୟୀ, ପ୍ରତି ହୋଟେଲରେ ଥର୍ମାଲ୍ ସ୍କ୍ରିନିଂ ବ୍ୟବସ୍ଥା କରାଯିବା ସହ ହୋଟେଲକୁ ଆସୁଥିବା ଲୋକ ଏବଂ ତାଙ୍କ ସାମଗ୍ରୀର ବିଶୋଧନ କରିବାକୁ ପଡ଼ିବ। କୌଣସି ରେସ୍ତୋରାଁରେ ଖାଇବା ସୁବିଧା ମିଳିବ ନାହିଁ। ରୁମ୍କୁ ଖାଦ୍ୟ ମଗାଇ ଖାଇବେ। ସମସ୍ତ ଅତିଥି ଓ କର୍ମଚାରୀ ମାସ୍କ ପିନ୍ଧିବା ଧ୍ୟତାମୂଳକ କରାଯାଇଛି। ହୋଟେଲ କର୍ତ୍ତୃପକ୍ଷ ଯାତ୍ରୀଙ୍କ ବୁକିଂ ରଖିବା ବେଳେ ସେମାନଙ୍କ ଫେରିବା ଟିକେଟ୍ ଯାଞ୍ଚ କରିବେ।ଏହାଛଡ଼ା ଅନ୍ୟ ନିୟମ ମଧ୍ୟରେ ହୋଟେଲରେ କୌଣସି ସଭାସମିତି, ବିବାହ, ବ୍ରତ ଉତ୍ସବ ହୋଇପାରିବ ନାହିଁ। ସେହିପରି ରାଜଧାନୀକୁ ଆସୁଥିବା ଲୋକମାନେ ଯଦି ସଙ୍ଗରୋଧରେ ରହିବାକୁ ଚାହୁଁଥିବେ, ତେବେ ସେମାନେ ସେଥିପାଇଁ ନିର୍ଧାରିତ ୬୪ଟି ହୋଟେଲରେ ବୁକିଂ କରି ରହିପାରିବେ। ଏହି ହୋଟେଲରେ କେତେ ଦାମ୍ ଦେବାକୁ ହେବ ତାହା ଧାର୍ଯ୍ୟ ହୋଇଛି। ଯେଉଁ ୬୪ଟି ହୋଟେଲରେ ସଙ୍ଗରୋଧ ସୁବିଧା ଉପଲବ୍ଧ ଅଛି , ସେଥିରୁ ଅଧାରୁ ଅଧିକ ହୋଟେଲ ଏବେ ବୁକିଂ ରଖୁନାହାନ୍ତି। ଯେତିକି ହୋଟେଲ ଖୋଲା ଅଛି , ସେମାନେ ବିଏମ୍ସି ଯେଉଁ ଭଡ଼ା ଧାର୍ଯ୍ୟ କରିଛି ତାହାଠାରୁ ଢେର୍ ଅଧିକ ନେଉଛନ୍ତି। ଏବେ ଅଧିକାଂଶ ହୋଟେଲ ବନ୍ଦ ଥିବାରୁ ଯେତିକି ହୋଟେଲ ଖୋଲା ଅଛି ସେମାନେ ଲୋକଙ୍କୁ ଲୁଟିବାକୁ ପଛାଉନାହାନ୍ତି ବୋଲି ଅଭିଯୋଗ ହେଉଛି।