ବଜ୍ରପାତରେ ତାଜମହଲ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶୁକ୍ରବାର ରାତିରେ ଆଗ୍ରା ସହରରେ ଘନଘନ ବଜ୍ରପାତ ସହିତ ପ୍ରବଳ ଝଡ଼ବର୍ଷା ହୋଇଛି । ଏଥିରେ ବିଶ୍ୱପ୍ରସିଦ୍ଧ ଐତିହାସିକ କୀର୍ତିରାଜୀ ତାଜମହଲ କ୍ଷତିଗ୍ରସ୍ତ ହୋଇଛି । ମାର୍ବଲ ଓ ଲାଲ ବାଲୁକାପଥରରେ ନିର୍ମାଣ ହୋଇଥିବା ତାଜମହଲର ରେଲିଂର କିଛି ଅଂଶ ଖସିପଡ଼ିଥିବା ବେଳେ ମୁଖ୍ୟ କାଠ ଫାଟକ ବି ଢଳିଯାଇଛି । ସହରରେ ପବନର ଘଂଟା ପ୍ରତି ବେଗ ୧୨୪ କିଲୋମିଟର ରହିଥିଲା । ଏଥିଯୋଗୁ ସହରରେ ଅନେକ ଗଛ ଉପୁଡ଼ିବା ସହିତ ପାଚେରି ଭାଙ୍ଗିଯାଇଛି । କାନ୍ଥ ଏବଂ ଗଛ ପଡ଼ିବା ଯୋଗୁ ଅନେକ କାର୍ ଭାଙ୍ଗିରୁଜି ଯାଇଛି ।
ପ୍ରାୟ ୨୦ଟି ଘର ଭାଙ୍ଗିଥିବା ବେଳେ ଭଗ୍ନାଂଶ ତଳେ ଜଣେ ୬ ବର୍ଷର ଶିଶୁର ଜୀବନ ଯାଇଛି । ତାଜମହଲ ପରିସରରେ ୧୦ଟି ଗଛ ଭାଙ୍ଗିଯାଇଛି । କ୍ଷୟକ୍ଷତି ଆକଳନ ପରେ ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଏଏସଆଇର ସଂରକ୍ଷଣ ସହାୟକ ଅଙ୍କିତ ନାମଦେବ କହିଛନ୍ତି । ତାଜମହଲ ପ୍ରଥମଥର ପାଇଁ ବଜ୍ରପାତ ଓ ଝଡ଼ବର୍ଷାରେ କ୍ଷତିଗ୍ରସ୍ତ ହୋଇନାହିଁ । ପୂର୍ବରୁ ୨୦୧୮ ଏପ୍ରିଲ ୧୧ ଓ ମେ’ ୨ରେ ଏଭଳି ଝଡ଼ବର୍ଷା ଓ ବଜ୍ରପାତରେ ମଧ୍ୟ ତାଜମହଲରେ କ୍ଷତି ପହଂଚିଥିଲା ।

Leave A Reply

Your email address will not be published.

five + 10 =