ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି  । ବିଶେଷକରି ସୁରତ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ କରେନାରେ ଆକ୍ରାନ୍ତ ହୋଇଛନ୍ତି  । ଆଜି ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  । ଏହାସହିତ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି  ।
ଏହି ୧୭ଟି ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଟି ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଦୁଇଟି ଭଦ୍ରକ, ମୟୂରଭଞ୍ଜ ଦୁଇଟି ଏବଂ ଆଉ ଗୋଟିଏ ସୁନ୍ଦରଗଡ଼ର  । ଏହା ସହିତ ଗଞ୍ଜାମରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୪ରେ ପହଂଚିଯାଇଛି  । ସେହିଭଳି ଭଦ୍ରକରେ ଏହି ସଂଖ୍ୟା ୨୫ରେ ପହଂଚିଥିବା ବେଳେ ସୁନ୍ଦରଗଡ଼ରେ ୧୩ ହୋଇଛି  । ମୟୂରଭଞ୍ଜରେ ଆକ୍ରାନ୍ତଙ୍କ ସଂଖ୍ୟା ୭ରେ ପହଂଚିଛି  ।
ସୂଚନାଯୋଗ୍ୟ ଯେ ଗତ ଦୁଇଦିନ ତଳେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ସର୍ବନିମ୍ନ ସ୍ତରରେ ଥିଲା  । ଗତ ଦୁଇଦିନ ମଧ୍ୟରେ ୧୦୭ ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ ଏବେ ସେମାନଙ୍କ ସଂଖ୍ୟା ୨୮୭ରେ ପହଂଚିଛି  । ଇତିମଧ୍ୟରେ ୪୦ ହଜାରରୁ ଉଦ୍ଧ୍ୱର୍ ପ୍ରବାସୀ ଓଡ଼ିଆ ଶ୍ରମିକ ରାଜ୍ୟକୁ ଫେରିଆସିଛନ୍ତି  । ସେମାନଙ୍କ ମଧ୍ୟରୁ ସୁରତରୁ ଫେରିଥିବା ଶ୍ରମିକମାନଙ୍କ ମଧ୍ୟରୁ ବହୁ କରୋନା ଆକ୍ରାନ୍ତ ଠାବ ହୋଇଛନ୍ତି  । ଗଞ୍ଜାମ ଜିଲ୍ଲାରେ ଗତ ଦୁଇଦିନ ମଧ୍ୟରେ ୫୭ ଜଣ ନୂତନ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି  । ପ୍ରବାସୀ ଓଡ଼ିଆ ଶ୍ରମିକଙ୍କ ଫେରସ୍ତ ପରେ ଗଞ୍ଜାମ, ଖୋର୍ଦ୍ଧା, ଯାଜପୁର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବୃଦ୍ଧି ପାଇଛି  । ଯାହାକି ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି  ।
ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି ଯେ, ନୂଆ ଚିହ୍ନଟ କରୋନା ଆକ୍ରାନ୍ତଙ୍କ ଘର ତିହିଡ଼ି ବ୍ଲକରେ  । ସେ ସୁରତରୁ ଫେରିଥିଲେ  ।
ସେହିପରି ସୁନ୍ଦରଗଡ଼ରେ ଚିହ୍ନଟ ଆକ୍ରାନ୍ତ ଜଣେ ପୁରୁଷ  । ସେ ରାଉରକେଲାର  । ତାଙ୍କୁ ରାଉରକେଲା କୋଭିଡ୍ ହସ୍ପିଟାଲରେ ଭର୍ତି କରାଯାଇଛି  । ଏହା ସହିତ ତାଙ୍କର କଂଟାକ୍ଟ ଟ୍ରେସିଂ କାର୍ଯ୍ୟ ଆରମ୍ଭ କରାଯାଇଛି  । ସୁନ୍ଦରଗଡ଼ ଜିଲ୍ଲାପାଳ ଏହି ସୂଚନା ଦେଇଛନ୍ତି  ।
ଗଞ୍ଜାମରେ ୮୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସମସ୍ତେ ଚିକିତ୍ସାଧୀନ ଅଛନ୍ତି  । ଭଦ୍ରକର ୨୫ ଜଣଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ୧୩ ଜଣ ଚିକିତ୍ସାଧୀନ ଅଛନ୍ତି  । ସୁନ୍ଦରଗଡ଼ର ୧୩ ଆକ୍ରାନ୍ତଙ୍କ ମଧ୍ୟରୁ ୭ ଜଣ ସୁସ୍ଥ ହୋଇସାରିଥିବା ବେଳେ ୭ ଜଣ ଚିକିତ୍ସାଧୀନ ରହିଛନ୍ତି  ।
୮୪ ଆକ୍ରାନ୍ତଙ୍କ ସହିତ ଗଞ୍ଜାମ ଏବେ ରାଜ୍ୟରେ ତାଲିକାର ଶୀର୍ଷରେ ରହିଛି  । ଏହା ପଛକୁ ରହିଛି ଯାଜପୁର  । ଏଠାରେ ୫୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମାତ୍ର ଜଣେ ସୁସ୍ଥ ହୋଇଛନ୍ତି  । ଖୋର୍ଦ୍ଧାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ରେ ପହଂଚିଥିବା ବେଳେ ୩୨ ଜଣ ସୁସ୍ଥ ହୋଇସାରିଛନ୍ତି  । ୧୬ ଜଣ ଚିକିତ୍ସାଧୀନ ଥିବାବେଳେ ୨ ଜଣଙ୍କ ମୃତୁ୍ୟ ଘଟିସାରିଛି  । ବାଲେଶ୍ୱରରେ ୨୭ ଆକ୍ରାନ୍ତଙ୍କ ମଧ୍ୟରୁ ୫ ଜଣ ସୁସ୍ଥ ହୋଇଛନ୍ତି  । କେନ୍ଦ୍ରାପଡ଼ାରେ ୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣ ସୁସ୍ଥ ହୋଇଛନ୍ତି  । ଜଗତସିଂହପୁରରେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଓ ସମସ୍ତେ ଚିକିତ୍ସାଧୀନ ଅଛନ୍ତି  । ମୟୂରଭଞ୍ଜର ସମସ୍ତ ୪ ଜଣ ଆକ୍ରନ୍ତ ଚିକିତ୍ସାଧୀନ ଅଛନ୍ତି  ।
ବଲାଙ୍ଗିରରେ ୨ ଜଣ (ଚିକିତ୍ସାଧୀନ) କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରେ ୨ (ଜଣେ ସୁସ୍ଥ, ଜଣେ ଚିକିତ୍ସାଧୀନ), ଝାରସୁଗୁଡ଼ଡ଼ାରେ ୨ (ଚିକିତ୍ସାଧୀନ), କଳାହାଣ୍ଡିରେ ୨ (ସୁସ୍ଥ), କେନ୍ଦୁଝରରେ ୨ (ଚିକିତ୍ସାଧୀନ), ଦେବଗଡ଼ରେ ୧ (ଚିକିତ୍ସାଧୀନ), ଢେଙ୍କାନାଳରେ ୧ (ସୁସ୍ଥ), କୋରାପୁଟରେ ୧ (ଚିକିତ୍ସାଧୀନ) ଓ ପୁରୀରେ ୧ (ସୁସ୍ଥ) କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।
ସୂଚନାଯୋଗ୍ୟ ମୋଟ ୨୮୮ ଆକ୍ରାନ୍ତଙ୍କ ମଧ୍ୟରୁ ୬୩ ଜଣ ସୁସ୍ଥ ହୋଇସାରିଛନ୍ତି  । ସେହିପରି ୨୨୩ଟି କେସ୍ ସକି୍ରୟ ଥିବାବେଳେ ୨ ଜଣଙ୍କ ମୃତୁ୍ୟ ଘଟିଛି  ।
 
			