ଜିନ୍ଦଲ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ


ଯୋଡ଼ା/ବଡ଼ବିଲ: ଜିନ୍ଦଲ ଷ୍ଟିଲ ପକ୍ଷରୁ ବଡ଼ବିଲ ପେଲେଟ ପ୍ଲାଣ୍ଟ, କାଶିଆ ଓ ଟେନସା ମାଇନ୍ସରେ ବେଶ ଉତ୍ସାହର ସହ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବ୍ୟାପକ ବୃକ୍ଷରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ୱ ପରିବେଶ ଦିବସ ଅବସରରେ ଜିନ୍ଦଲ ଷ୍ଟିଲର ଅଧ୍ୟକ୍ଷ ତଥା ମାନ୍ୟବର କୁରୁକ୍ଷେତ୍ର ସାଂସଦ ଶ୍ରୀ ନବୀନ ଜିନ୍ଦଲ ସୋସିଆଲ ମିଡିଆରେ ଶୁଭେଚ୍ଛା ଜଣାଇବା ଅବସରରେ କହିଛନ୍ତି, “ଭବିଷ୍ୟତ ପିଢ଼ି ପାଇଁ ଆମେ କେମିତି ପୃଥିବୀ ଛାଡ଼ିଯିବୁ, ତାହା କେବଳ ଆମେ କଣ ନିର୍ମାଣ କରିଛୁ ତାହା ଦ୍ୱାରା ନୁହେଁ, ବରଂ ଆମେ କଣ ସଂରକ୍ଷଣ କରିଛୁ ତାହା ଦ୍ୱାରା ମଧ୍ୟ ନିର୍ଦ୍ଧାରିତ ହେବ। ଦେଶ ଯେପରି ନିରନ୍ତର ଉନ୍ନତି ଓ ଅଗ୍ରଗତିର ପଥରେ ଆଗେଇ ଚାଲିଛି, ସେହିପରି ଆମ ବିକାଶର ଯାତ୍ରା, ଜୀବନ ଓ ଜୀବିକାର ଆଧାର ଥିବା ପ୍ରାକୃତିକ ସମ୍ପଦ ଏବଂ ପରିବେଶ ବ୍ୟବସ୍ଥା ପ୍ରତି ସଚେତନ ଓ ଦାୟିତ୍ୱଶୀଳ ହେବା ଆବଶ୍ୟକ। ଆସନ୍ତୁ, ଆମେ ଆଜି ଯେଉଁ ବିଶ୍ୱ ଗଢ଼ୁଛୁ, ତାହାର ଉତ୍ତରାଧିକାରୀ ହେବାକୁ ଯାଉଥିବା ଆଗାମୀ ପିଢ଼ିଙ୍କ ପ୍ରତି ଆମର କର୍ତ୍ତବ୍ୟ ଓ ଦାୟିତ୍ୱକୁ ସମ୍ମାନ ଜଣାଇ ସଚେତନମୂଳକ ପଦକ୍ଷେପ ନେବା। ”ବଡ଼ବିଲ ପେଲେଟ ପ୍ଲାଣ୍ଟ ପରିସରରେ ୟୁନିଟ ହେଡ୍ ଶ୍ରୀ ସତୀଶ ସିନ୍ଦୁରିଆଙ୍କ ନେତୃତ୍ୱରେ ଏକ ମିନି ମାରାଥନର ଆୟୋଜନ ହୋଇଥିଲା। ଏହା ସହିତ ବ୍ୟାପକ ବୃକ୍ଷରୋପଣ ମଧ୍ୟ ହୋଇଥିଲା। ଏଥିରେ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସାମିଲ ହୋଇଥିଲେ। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁରସ୍କୃତ କରାଯାଇଥିଲା। ସେହିପରି କାଶିଆ ମାଇନ୍ସରେ ୟୁନିଟ ହେଡ୍ ଶ୍ରୀ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ‘ଏକ ପେଡ୍ ମା କେ ନାମ’ ଅଭିଯାନରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ସହିତ ପରିବେଶ ଶପଥ ଗ୍ରହଣ ଉତ୍ସବ ଓ ପଥପ୍ରାନ୍ତ ନାଟକ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ପରିଚାଳନା ଅଧିକାରୀ ଶ୍ରୀ ରାଜୀବ କୁମାର ଏବଂ ବିକେଟି- ବିଜନେସ ହେଡ୍ ଶ୍ରୀ ଆଶିଷ ପାଣ୍ଡେ ଯୋଗଦେଇଥିଲେ। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ କୁମାର ଏକ ଆମ୍ବୁଲାନ୍ସର ଶୁଭାରମ୍ଭ କରିଥିଲେ। ଏହା ପାର୍ଶ୍ୱବର୍ତ୍ତୀ ଗ୍ରାମବାସୀଙ୍କ ସେବାରେ ନିୟୋଜିତ ରହିବ। ଟେନସା ମାଇନସରେ ମଧ୍ୟ ବିଶ୍ୱ ପରିବେଶ ଦିବସ ବେଶ ଉତ୍ସାହରେ ପାଳିତ ହୋଇଛି। ମାଇନ୍ସ ମୁଖ୍ୟ ଶ୍ରୀ ରାଜେଶ ପଟେଲ ଓ ମାଇନ୍ସ ମ୍ୟାନେଜର ଶ୍ରୀ ଭରଦ୍ୱାଜ ରାଉତଙ୍କ ତତ୍ତ୍ୱାବଧାନରେ ବୃକ୍ଷରୋପଣ, ଶପଥ ଗ୍ରହଣ ଓ ସଫେଇ ଭଳି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ପରିବେଶ ପରିଚାଳନା ବିଭାଗର ସକ୍ରିୟ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିଲା। ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ପାର୍ଶ୍ୱବର୍ତ୍ତୀ ଗ୍ରାମଗୁଡ଼ିକରେ ଫଳ ବୃକ୍ଷ ରୋପଣ କରାଯାଇଥିଲା। ସ୍କୁଲ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ସହ ସଚେତନତାମୂଳକ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଥିଲା। ସନ୍ଧ୍ୟାରେ ଦେଓଝର ଜିନ୍ଦଲ ନଗରରେ ପ୍ରକୃତି ସୁରକ୍ଷା ଏବଂ ପ୍ଲାଷ୍ଟିକ ବ୍ୟବହାର ବର୍ଜନ ଆଧାରିତ ଏକ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା।

Comments (0)
Add Comment