ଯାଜପୁର: ଦୀର୍ଘ ବର୍ଷ ହେଲା ସ୍ୱାମୀ ଆରପାରିକୁ ଗଲେଣି । ମୂଲ ମଜୁରୀ ଲାଗି କଷ୍ଟେ ମଷ୍ଟେ ଦିନ କଟୁଛି । ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କାଘରଟିଏ ନଥିବାରୁ ନୂଆଣିଆ ଚାଳ ଘର ହିଁ ଏକମାତ୍ର ଭରଷା । ତଥାପି ବିଧବା ଭତା ହେଉ କିମ୍ବା ସରକାରୀ ଆବାସ ଭଳି ସରକାରୀ ଯୋଜନା ସବୁ ସାତସପନ ପାଲଟିଛି । ଏଭଳି ସ୍ଥିତିରେ ଦଶରଥପୁର ବ୍ଲକ୍ ଖଣ୍ଡରା ପଂଚାୟତ ବାଲିପଦା ଗ୍ରାମର ୨ ଜଣ ବିଧବା ଅତି ଦୟନୀୟ ସ୍ଥିତିରେ କାଳ କାଟୁଥିବା ଦେଖିବାକୁ ମିଳିଛି । ବାଲିପଦା ଗ୍ରାମର ସ୍ୱର୍ଗତ ବିଶ୍ୱରଂଜନ ନାୟକଙ୍କ ପତ୍ନୀ ଲକ୍ଷ୍ମୀପ୍ରୀୟା ନାୟକ (୩୪) ୩ ବର୍ଷର ପୁଅ ସହ ଝାଟିମାଟି ବଖରାଏ ଘରେ ରହୁଛନ୍ତି । ସ୍ୱାମୀ ବିଶ୍ୱରଂଜନ ୩ ବର୍ଷ ତଳେ ମାରତ୍ମକ କର୍କଟ ରୋଗରେ ପ୍ରାଣ ହରାଇଥିଲେ । ଘରେ ଥିବା କଂସାବାସନ ଓ ଅଳଙ୍କାର ବିକି ସ୍ୱାମୀଙ୍କ ଚିକିତ୍ସାରେ ସବୁ ହରାଇଥିବା ଲକ୍ଷ୍ମିପ୍ରୀୟାଙ୍କ ପାଇଁ ଏବେ ଦୁଇଓଳି ଦୁଇମୁଠା ଖାଦ୍ୟ ସଂଗ୍ରହ କରିବା କାଠିକର ପାଠ ହୋଇପଡ଼ିଛି । ୭୫ ବର୍ଷର ବୃଦ୍ଧ ଶଶୁର ବହୁ କଷ୍ଟରେ ବୋହୁ ଓ ନାତି ପାଇଁ ପର ଘରେ ମୂଲମଜୁରୀ ଲାଗି ଖାଦ୍ୟ ଯୋଗାଉଛନ୍ତି । ଘରର ଛପର ଉଡ଼ି ଗଲାଣି । ଛପର କରିବା ତ ଦୂରର କଥା ଜରିପାଲ ଖଣ୍ଡେ ପକାଇବାକୁ ଲକ୍ଷ୍ମିପ୍ରୀୟାଙ୍କ ପାଖରେ ସମ୍ବଳ ନାହିଁ । ବିଧବା ଭତା ଓ ରେସନ କାଡର଼୍ ଖଣ୍ଡେ ପାଇଁ ଥରେ ନୁହେଁ କି ଦୁଇ ଥର, ଅନେକ ଥର ପଂଚାୟତଠାରୁ ଆରମ୍ଭ କରି ବ୍ଲକ୍ କାର୍ଯ୍ୟାଳୟରେ ଆବେଦନ କରିଛନ୍ତି । ମାତ୍ର ଅସହାୟ ଲକ୍ଷ୍ମୀପ୍ରିୟାଙ୍କୁ ମିଳୁନି ବିଧବା ଭତା ଓ ରେସନ ସାମଗ୍ରୀ । ଅନୁରୂପ ଭାବେ ସେହି ବାଲିପଦା ଗ୍ରାମ ଦଳିତ ସାହିରେ ରହୁଥିବା ସ୍ୱର୍ଗତ ମଙ୍ଗୁଳି ଯେନାଙ୍କ ପତ୍ନୀ କବିତା ଯେନା (୪୫) ସ୍ୱାମୀଙ୍କ ମୃତ୍ୟୁ ପରେ ଦୁର୍ବିସହ ଜୀବନ ଜିଉଁଥିବା ଦେଖିବାକୁ ମିଳିଛି । ୬ ବର୍ଷ ତଳେ ସ୍ୱାମୀ ମଙ୍ଗୁଳି ପ୍ରାଣ ହରାଇବା ଯୋଗୁ କବିତା ଶାଶୁ ଘରେ ବେସାହାରା ହୋଇପଡ଼ି ବାପ ଘରେ ଆଶ୍ରୟ ନେଇଥିଲେ । ହେଲେ ବାପ ଘରେ ରହିବାର ମାତ୍ର ଗୋଟିଏ ବର୍ଷ ବିତିଛି କି ନାହିଁ ବୃଦ୍ଧ ବାପା ମଧ୍ୟ ଆର ପାରିକୁ ଚାଲିଗଲେ । ତା ପର ଠାରୁ ସତେ ଯେପରି କବିତାଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି । ଏକମାତ୍ର ୧୬ ବର୍ଷର ଝିଅ ପେଟକୁ ଦାନା ଗଣ୍ଡେ ଦେବାକୁ କବିତା ଗାଁ ଗାଁ ବୁଲି ମୁଲ ଲାଗୁଛନ୍ତି । ସରକାରୀ ଯୋଜନାରେ ମିଳୁଥିବା ୧୦ କେଜି ଚାଉଳ ହିଁ ତାଙ୍କର ଏକମାତ୍ର ଭରଷା ପାଲଟିଛି । ବିଧବା ଭତା ଗଣ୍ଡିଏ ପାଇଁ ଅନେକ ବାର ସ୍ଥାନୀୟ ପଂଚାୟତ କାର୍ଯ୍ୟାଳୟଠାରୁ ଆରମ୍ଭ କରି ବ୍ଲକରେ ଦରଖାସ୍ତ କରିଛନ୍ତି । ହେଲେ ଦିନ ପରେ ଦିନ ବିତି ଯାଉଥିଲେ ମଧ୍ୟ ତାଙ୍କୁ ବିଧବା ଭତା ତାଙ୍କୁ ମିଳି ପାରିନାହିଁ ବୋଲି ସେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ସରକାର ଗ୍ରାମାଂଚଳ ଗରୀବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ମାତ୍ର ଉକ୍ତ ଯୋଜନାର ସୁଫଳ ଅସହାୟ ବ୍ୟକ୍ତିଙ୍କ ନିକଟରେ ପହଂଚି ନ ପାରିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।