କୃଷି ଓ କୃଷକଙ୍କ ସମସ୍ୟା ନେଇ ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀଙ୍କୁ ଅଖିଳ ଭାରତ କୃଷକ ସଭାର ଦାବିପତ୍ର

ଭୁବନେଶ୍ୱର : କରୋନା ମହାମାରୀ ସ୍ଥିତି, ସମଗ୍ର ବିଶ୍ୱର ଜୀବନ ଜୀବିକା ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଥିଲାବେଳେ ଓଡ଼ିଶାରେ ନିମ୍ନଲିଖିତ କୃଷି, କୃଷକଙ୍କ ବିଭିନ୍ନ ସମସ୍ୟା ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀଙ୍କୁ ଗତ ୪ ତାରିଖରେ ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶିଭୂଷଣ ସ୍ୱାଇଁ ଓ ସାଧାରଣ ସମ୍ପାଦକ କ୍ଷୀରୋଦ ସିଂହଦେଓ ଅନ୍ଲାଇନ ମାଧ୍ୟମରେ ଦାବିପତ୍ର ପ୍ରଦାନ କରିଛନ୍ତି । ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସ୍ୱାଭାବିକଠାରୁ କମ୍ ବର୍ଷା ଯୋଗୁଁ ଚଳିତ ଖରିଫ ଚାଷ ପାଇଁ କୃଷି ବୀମା କରିବାର ଅବଧିକୁ ଆଗାମୀ ସେପ୍ଟେମ୍ବର ଶେଷ ସପ୍ତାହ ପର୍ଯ୍ୟନ୍ତ ବଢ଼ାଯାଉ । ଖରିଫ ଧାନ ଚାଷ ଅମଳ ପରେ ସରକାରୀ ଭାବେ ଖରିଦ ପାଇଁ ବ୍ୟବସ୍ଥାରେ ପଞ୍ଜୀକୃତ ହେବାକୁ ଥିବା ଚାଷୀଙ୍କ ସମୟସୀମା ସେପ୍ଟେମ୍ବର ଶେଷଯାଏଁ ଧାର୍ଯ୍ୟ କରାଯାଉ । ପଞ୍ଜୀକୃତ ଚାଷୀ କେତେ ଧାନ କେଉଁ ମଣ୍ଡିରେ ବିକି୍ର କରିପାରିବେ, ତା’ର ସମସ୍ତ ବିବରଣୀ ଚାଷୀଙ୍କୁ ଦିଆଯାଉଥିବା ଅନଲାଇନ ବ୍ୟବସ୍ଥାରେ ଉଲ୍ଲେଖ କରାଯାଉ । ଅନିର୍ବାର୍ଯ୍ୟକାରଣରୁ ପଞ୍ଜୀକୃତରୁ ବଞ୍ଚôତ ଚାଷୀଙ୍କ ପାଇଁ ସୁଯୋଗ ବ୍ୟବସ୍ଥା ଦିଆଯାଉ । ଖରିଫ ଚାଷ ପାଇଁ ବିଭିନ୍ନ ଜିଲ୍ଲାର ବ୍ଲକମାନଙ୍କରେ କୃତି୍ରମ ସାର ଅଭାବ (ବିଶେଷକରି ୟୁରିଆ ସାର) ଦେଖାଯିବା ସହ ବହୁ ଚଢ଼ା ଦରରେ କେତେକ ଅସାଧୁ ବ୍ୟବସାୟୀ ବିକି୍ର କରୁଛନ୍ତି । ଏସବୁର ତୁରନ୍ତ ତଦନ୍ତ କରାଯାଇ ସମ୍ପୃକ୍ତ ଅଞ୍ଚଳର ଚାଷୀଙ୍କୁ ସୁଲଭ ମୂଲ୍ୟରେ ସାର ଉପଲବ୍ଧ କରାଯାଉ ଓ ସମ୍ପୃକ୍ତ ଦୋଷୀଙ୍କୁ ଦୃଷ୍ଟାନ୍ତ ମୂଳକ ଦଣ୍ଡ ବିଧାନ କରାଯାଉ । ସମବାୟ ବ୍ୟାଙ୍କ, ବ୍ୟତିରେକେ ସମସ୍ତ ଜାତୀୟକରଣ ବ୍ୟାଙ୍କରେ କୃଷି ଋଣ ଉପଲବ୍ଧ ପାଇଁ ସୁନିଶ୍ଚିତ କରାଯାଉ । କରୋନା ପରିପ୍ରେକ୍ଷୀରେ ଗତ ରବି ଓ ଚଳିତ ଖରିଫ ଚାଷ ପାଇଁ ଏବଂ ବକେୟା ସମସ୍ତ କୃଷି ଋଣ ସମ୍ପୂର୍ଣ୍ଣ ଛାଡ଼ କରାଯାଉ । ସମସ୍ତ କୃଷିଜାତ ଉତ୍ପାଦନ, ପନିପରିବା, ଫଳ, ଦୁଗ୍ଧ ସମେତ ମୂଳ ଖର୍ଚ୍ଚର ୫୦ ପ୍ରତିଶତ ଅଧିକ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ କରାଯାଉ ଓ କେନ୍ଦ୍ର, ରାଜ୍ୟ ସରକାର ସମସ୍ତ କୃଷିଜାତ ଦ୍ରବ୍ୟ କ୍ରୟ ବ୍ୟବସ୍ଥା ସୁନିଶ୍ଚିତ କରିବା ସହ ସରକାରୀ ସହାୟକ ମୂଲ୍ୟରୁ କମ୍ ଦରରେ ଖରିଦ କରୁଥିବା ଦଲାଲ, ବେପାରୀଙ୍କୁ ଧର୍ତ୍ତବ୍ୟ ଅପରାଧରେ ଗିରଫ କରାଯାଉ । କେନ୍ଦ୍ର ସରକାରଙ୍କ ଦ୍ୱାରା ଗତ ତା ୩-୦୬-୨୦୨୦ କୃଷି ଓ କୃଷକ ବିରୋଧି ଘୋଷିତ ତିନୋଟି ଅର୍ଡିନାନ୍ସକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଏହା ଫଳରେ କୃଷିଜାତ ଦ୍ରବ୍ୟର ମୂଲ୍ୟ କମିବ ଓ ଚାଷୀଙ୍କ ଉତ୍ପାଦନ ଖର୍ଚ୍ଚ ବଢ଼ିବ । ବିହନ ପ୍ରତିରୋଧକ ପାଇଁ ରହିଥିବା ଆଇନ ବ୍ୟବସ୍ଥାର ବିଲୋପ ଘଟିବ । ଖାଦ୍ୟ ସୁରକ୍ଷା ପାଇଁ ସରକାରଙ୍କ ଥିବା ନିୟନ୍ତ୍ରଣ ବ୍ୟବସ୍ଥାର ବିଲୋପ ହେବ । କୃଷିକ୍ଷେତ୍ରରେ ଉଦ୍ୟୋଗପତିମାନଙ୍କ ଲୋଭ ଓ ଲାଭର ଚରିତାର୍ଥ ପାଇଁ ସରକାରୀ ପ୍ରୋତ୍ସାହନ ଦିଆଯିବ । ଏହାଦ୍ୱାରା ଉଦ୍ୟୋଗପତିମାନଙ୍କ ହାତରେ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା, ଖାଦ୍ୟ ବଣ୍ଟନ ବ୍ୟବସ୍ଥା, ମହଜୁଦ କରିବା ବ୍ୟବସ୍ଥା, କଳାବଜାର କରିବା ବ୍ୟବସ୍ଥା ଓ ସମଗ୍ର କୃଷିଜାତ ଦ୍ରବ୍ୟର ବଜାର ନିୟନ୍ତ୍ରଣ ବ୍ୟବସ୍ଥା ରହିବ । ଆମ ଦେଶର କୃଷକ କେବେହେଲେ ଗୋଟିଏ ଦେଶ ଗୋଟିଏ ବଜାର ବ୍ୟବସ୍ଥା ସପକ୍ଷରେ ନ ଥିବାବେଳେ ଗୋଟିଏ ଦେଶରେ ଗୋଟିଏ ପ୍ରକାର ସର୍ବନିମ୍ନ ସହାୟକ ମୂଲ୍ୟ ସପକ୍ଷରେ ଦାବି କରିଆସୁଛନ୍ତି । କରୋନା ସମୟର ସମସ୍ତ ବିଦୁ୍ୟତ୍ ବିଲ୍ କୃଷକ ତଥା ଛୋଟ ବ୍ୟବସାୟୀ, ବିପିଏଲ, ଏପିଏଲ ପରିବାରଙ୍କଠାରୁ ଛାଡ଼ କରାଯାଉ । ପ୍ରାକୃତିକ ବିପର୍ଯ୍ୟୟ ଓ କରୋନା ଯୋଗୁଁ କ୍ଷତିଗ୍ରସ୍ତ ସମସ୍ତ କୃଷକ ସମେତ ପନିପରିବା, ଫଳ, ଦୁଗ୍ଧଚାଷୀଙ୍କୁ କ୍ଷୟକ୍ଷତିର ଆକଳନ କରି ତୁରନ୍ତ କ୍ଷତି ପୂରଣ ପ୍ରଦାନ କରାଯାଉ ।କରୋନା ପାଇଁ ମହାତ୍ମା ଗାନ୍ଧୀ, ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନରେ ତୁରନ୍ତ ପରିବର୍ତ୍ତନ କରାଯାଇ ସର୍ବନିମ୍ନ ବାର୍ଷିକ ୨୦୦ ଦିନର କାର୍ଯ୍ୟ ଦିବସ ସୃଷ୍ଟି କରାଯାଇ ସମଗ୍ର କୃଷିକ୍ଷେତ୍ରକୁ ଏହି ଯୋଜନାରେ ସାମିଲ କରାଯାଉ । କରୋନା ସମୟରେ ସମସ୍ତ ପରିବାରଙ୍କୁ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଭୁକ୍ତ କରାଯାଇ ପରିବାର ପ୍ରତି ୧୫ କିଲୋ ଚାଉଳ/ଗହମ, ୧ କିଲୋ ଖାଇବା ତେଲ, ୧ କିଲୋ ଡାଲି ଓ ୧କିଲୋ ଚିନି/ଗୁଡ଼ ପ୍ରଦାନ କରାଯାଉ । ଆଦିବାସୀ, ଦଳିତଙ୍କ ସମେତ ନାମକୁ ମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀ-ପରିବାର ଦଖଲ କରିଆସୁଥିବା ଚାଷ, ବାସ ଜମିରୁ କୌଣସି ପ୍ରକାର ଉଚ୍ଛେଦ ବନ୍ଦ କରାଯାଉ ଓ ତୁରନ୍ତ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଉ ।

Leave A Reply

Your email address will not be published.

20 − two =