ଗଲୱାନ ଉପତ୍ୟକାରେ ନିକଟ ଅତିତରେ ବିନା ଗୁଳିଗୋଳାରେ ଯେପରି ଭାବେ ରକ୍ତାକ୍ତ ସଂଘର୍ଷ ଘଟି ଉଭୟ ପକ୍ଷର କିଛି ସୈନ୍ୟ ମୃତାହତ ହେଇଥିଲେ, ତାହା ଚୀନ ଏକ ସୁଚିନ୍ତିତ ଯୋଜନା ଥିଲା ବୋଲି ଏବେ ଜଣା ପଡୁଛି । ୧୯୬୦ର ଭାରତ – ଚାଇନା ଯୁଦ୍ଧ ପରେ ଆମ ଦେଶର ବ୍ୟାପକ ସ୍ଥଳଭାଗ ଚୀନ୍ କବ୍ଜାକୁ ଚାଲିଯାଇଥିଲା, ଯାହା ଆଜି ପର୍ଯ୍ୟନ୍ତ ଫେରିନାହିଁ । ବାରମ୍ବାର ଅତିତରେ ଉଭୟପକ୍ଷ ମଧ୍ୟରେ ଏଥିନେଇ କଥାବାର୍ତା ଚାଲିଥିଲା ବେଳେ ସମସ୍ୟାର ସମାଧାନ ପରିବର୍ତେ ଏହା ଭାରତ ଅଜାଣତରେ ଚୀନ୍କୁ ଲାଭବାନ କରୁଥିଲା ବୋଲି କହିଲେ ଏହା ଠିକ୍ ନହେଲେ ମଧ୍ୟ ଭୁଲ୍ ହେବ ନାହିଁ । ସୀମାନ୍ତରେ ଅନୁପ୍ରବେଶ ନାମରେ ୫ କିଲୋମିଟର ମାଡିଆସି କଥାବାର୍ତା ପରେ ଅଧାବାଟ ପଛକୁ ଘୁଂଚି ବାକି ଜାଗା ନିଜ ନିୟନ୍ତ୍ରଣରେ ରଖିବା ଚୀନ ଏକ ପଲିସି, ଯାହା ଏବେ ଜଣାପଡ଼ୁଛି । ନିଙ୍ଗସିଆଠାରେ ଏକ ଜନମାନବଶୂନ୍ୟ ଅଂଚଳରେ ବାଲିରେ ଯେଉଁ ନକ୍ସା ଚୀନ୍ ତିଆରି କରିଥିଲା ତାହାକୁ ବିଶ୍ୱର ସବୁଠାରୁ ବଡ଼ ନକ୍ସା ବୋଲି ବେଜିଂ ପକ୍ଷରୁ ଦାବି କରାଯାଉଥିଲା । ତେବେ ଭାରତକୁ ଉପଗ୍ରହ ମାଧ୍ୟମରୁ ଏହି ନକ୍ସା ମିଳିଛି । ଏହାର ଆକାର ୭ ଶହ ମିଟର ଗୁଣନ ୯ ଶହ ମିଟର ବୋଲି ଆକଳନ କରାଯାଉଛି । ଲାଦାଖର ୨୫ ଶହ କିଲୋମିଟର ଅଂଚଳକୁ ନେଇ ୨୦୦୪ରେ ଚୀନ୍ କରିଥିବା ନକ୍ସାର ପ୍ରକୃତ ଜାଗା ଭାରତର ହୋଇଥିବାରୁ ଏହି ଅଂଚଳ ଗୁଡ଼ିକ ଫେରାଇବାକୁ ସଦାସର୍ବଦା ଭାରତ ସରକାର ଦାବି କରିଆସୁଛନ୍ତି, ଯାହା ନିରର୍ଥକ ହୋଇଆସୁଛି । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାର ସମୀକ୍ଷା କରିବା ପରେ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ପୁନର୍ବାର ଲାଦାଖ ଯାଇ ସେଠାରେ ଥିବା ଭାରତୀୟ ସୈନ୍ୟଙ୍କୁ ଉଦବୋଧନ ଦେବା ଛଳରେ ସାରା ବିଶ୍ୱକୁ ଜଣାଇ ଦେଇଛନ୍ତି ଯେ, ଲାଦାଖ ହେଉଛି ଭାରତର ମସ୍ତକ । ଏହି ବିବୃତି ଜଣାଇ ଦେଉଛି ଯେ, କୌଣସି ପରିସ୍ଥିତିରେ ମଧ୍ୟ ଲାଦାଖରୁ ଇଂଚେ ଜାଗା ଛାଡିବା ତ’ ଦୁରର କଥା, ଏବେ ଦେପସାଙ୍ଗ ଅଂଚଳରେ ଯେଉଁ ଚୀନ୍ ସୈନ୍ୟମାନେ ଅଛନ୍ତି, ସେଠାରୁ ଯଥାଶୀଘ୍ର ସେମାନେ ପଛକୁ ହଟିବା ଆବଶ୍ୟକ । ଆଗକୁ ସମୟହିଁ କହିବ, ଭାରତ ଓ ଚୀନ୍ ସମ୍ପର୍କ ଏହାକୁ ନେଇ କେଉଁଆଡେ଼ ଗତି କରୁଛି, ଆଗକୁ ନା’ ପଛକୁ!