ରାସ୍ତାରେ ଆମେ ଚାଲି ଚାଲି ଯାଉଥିଲା ବେଳେ ଆଗରେ ବା ନିକଟରେ ଯଦି କୌଣସି ଜଣା ବା ଅଜଣା ପଥଚାରୀ କୌଣସି କାରଣରୁ ଝୁଂଟିପଡନ୍ତି, ତେବେ ଆମେ ତାଙ୍କୁ ହାତ ଧରି ପୁଣି ଛିଡା କରାଇବା ସହ ଚାଲିବାରେ ଆବଶ୍ୟକ ପଡ଼ିଲେ ସାହାଯ୍ୟ କରିଥାଉ । ଏହାକୁ ଉପକାର କୁହାଯାଇପାରେ ଓ ଏକ ପ୍ରକାର ସାହାଯ୍ୟ କହିଲେ ଦୋଷ ନାହିଁ । ଉକ୍ତ ପ୍ରସଙ୍ଗ ଆମେ ଏଠାରେ ଏଥିପାଇଁ ଉଲ୍ଳେଖ କରୁଛୁ ଯେ, ମହାମାରୀ କରୋନା ଏବେ ଆମ ଦେଶରେ ମାଡି ଚାଲିଥିଲା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରିସ୍ଥିତି ସମ୍ପର୍କରେ ଦୈନିକ ସୂଚନା ଦିଆଯାଉଛି । ଯେପରି ଭାବେ ଏହି ସଂଖ୍ୟା ଆମ ରାଜ୍ୟରେ ୧୦୦ ଛୁଇଁବାକୁ ଦୀର୍ଘ ଦୁଇ ମାସ ସମୟ ନେବା ସହିତ ଜୁନ୍ ଓ ଜୁଲାଇରେ ଦୈନିକ ହାରାହାରି ୫ ଶହ ପଜେଟିଭ ଓ ପ୍ରାୟ ୫ରୁ ୬ ଜଣଙ୍କ ମୃତୁ୍ୟ ଘଟିବା ସହିତ ଆକସ୍ମିକ ଭାବେ ଜୁଲାଇ ଶେଷ ସପ୍ତାହ ସମେତ ଅଗଷ୍ଟର ପ୍ରଥମ ଦୁଇ ସପ୍ତାହ ମଧ୍ୟରେ ପଜେଟିଭ ସଂଖ୍ୟା ୪ ଅଙ୍କ ବିଶିଷ୍ଟ ହେବା ସହିତ ଦୈନିକ ହାରାହାରି ୧୦ ଜଣଙ୍କ ମୃତୁ୍ୟ ଘଟୁଥିବା ଜାଣିବାକୁ ମିଳିଲା, ତାହା ସ୍ପଷ୍ଟ କରିଦେଲା ଯେ, କୋଭିଡ ଏବେ ରାଜ୍ୟରେ ଆଗକୁ ଦୌଡିବାରେ ବ୍ୟସ୍ତ ଏପରିକି, ଅଗଷ୍ଟ ୧୩ ଗୁରୁବାର ଦିନ ପଜେଟିଭ ସଂଖ୍ୟା ୩୦ ଜିଲ୍ଳାରୁ ୧୯୦୦ରୁ ଅଧିକ ଚିହ୍ନଟ ହୋଇଛନ୍ତି । ଏହା ଜଣାଇ ଦେଉଛି, ଗୋଷ୍ଠୀ ସଂକ୍ରମଣ ନେଇ ଜିଏ ଯାହା କହୁପଛେ, ଏହା ଆମ ରାଜ୍ୟରେ ଏବେ ଆରମ୍ଭ ହୋଇଛି । ଆଗକୁ ଆଉ ୧୫ ଦିନ ଏହି ବର୍ଦ୍ଧିତ ସଂଖ୍ୟା ଆହୁରି ବଢ଼ିବା ବା ସ୍ଥିର ରହିବା ଅସମ୍ଭବ ନୁହେଁ । କିନ୍ତୁ ଏକାଧିକ ଡାକ୍ତର ଗଣମାଧ୍ୟମରେ ଦୃଢତାର ସହ କହୁଛନ୍ତି ଯେ, ପଜେଟିଭ ସଂଖ୍ୟା ଯେଉଁ ସ୍ଥିତିରେ ରହିଛି, ତାହା ଆଉ ବଢିଲେ ମଧ୍ୟ ଯେତେଦୁର ସମ୍ଭବ, ସେପ୍ଟେମ୍ବର ଦ୍ୱିତୀୟ ସପ୍ତାହ ଆଡକୁ କମିଯିବା ବିଚିତ୍ର ନୁହେଁ । ଡାକ୍ତରମାନଙ୍କ କଥା ସତ ହେଉ ଓ ଓଡ଼ିଶାରେ କରୋନାର ଚେନ୍ ଭାଙ୍ଗିବା ସହିତ ଆଗକୁ ଆକ୍ରାନ୍ତ ଓ ମୃତ୍ୟୁସଂଖ୍ୟା କମୁ । ସେପରି ନହେଲେ, ସ୍ୱାଧିନତା ପାଇବା ପରଠାରୁ ଓଡ଼ିଶାକୁ ସବୁଠାରୁ ଦରିଦ୍ର ରାଜ୍ୟ ରୂପେ ଅଭିଭିତ କରାଯାଇ ଆସୁଥିଲା ବେଳେ ଏବଂ ୨୦୧୯ରେ ଫନି ଓ ୨୦୨୦ରେ କରୋନା ଯୋଗୁ ରାଜ୍ୟ ଏକ ପ୍ରକାର ଆର୍ଥିକ ଅଭାବ ନହେଲେ ମଧ୍ୟ ‘ଟାଇଟ୍’ ଅବସ୍ଥାରେ ରହିଥିବାରୁ ପଜେଟିଭ ସଂଖ୍ୟା ଚିହ୍ନଟ ଯେତେ ଡେରି ହେବ ଏବଂ ସେମାନଙ୍କୁ ଚିକିସôା ପ୍ରଦାନ ଯେତିକି ବିଳମ୍ବିତ ହେବ, ରାଜ୍ୟରୁ ମହାମାରୀ ଲୋପ ପାଇବା ସମୟ ସେତିକି ଗଡିଗଡି ଚାଲିବା ସହିତ ଆର୍ଥିକ ଅବସ୍ଥା ସେତିକି ନିମ୍ନଗାମୀ ହେବା ଅସମ୍ଭବ ନୁହେଁ ।