ସଂପତି ମାଲିକ ହେବା ଓ ବିକିବା ସମାନ କଥା କି!

ବ୍ୟକ୍ତିଗତ ସ୍ତରରେ ବା ଘରୋଇ କ୍ଷେତ୍ରରେ ଅଥବା କମ୍ପାନି ମାଲିକାନା ସୁତ୍ରେ କିଣିଥିବା ଜାଗା ବା ଘରକୁ ଅନ୍ୟ ଜଣକୁ କିମ୍ବା ଅନେକଙ୍କୁ ବିକି ଦିଆଯାଇପାରେ । ଘରୋଇ କମ୍ପାନି ବା କୌଣସି ବ୍ୟକ୍ତିବିଶେଷ ଚାହିଁଲେ ସେମାନଙ୍କ ସଂପତିକୁ ଅନ୍ୟକୁ ହସ୍ତାନ୍ତର କରିବା ଆଇନ ସମ୍ମତ । କିନ୍ତୁ କୌଣସି ସରକାରୀ ଜାଗାବାଡି ଅଥବା ସରକାରଙ୍କୁ ଦାନସୂତ୍ରେ ମିଳିଥିବା ଘରବାଡିକୁ କୌଣସି ସରକାରୀ ଅଧିକାରୀ ଯେ କୌଣସି କାରଣରୁ ହେଉନା କାହିଁକି, କୌଣସି ନିର୍ଦ୍ଧିଷ୍ଟ ବ୍ୟକ୍ତି ବା ଏକାଧିକ ବ୍ୟକ୍ତିଙ୍କୁ ଇଚ୍ଛାମୁତାବକ କୌଣସି ନା କୌଣସି କାରଣରୁ ବିକ୍ରିକରିବା କେତେଦୁର ଆଇନସମ୍ମତ, ତାହା ସମୀକ୍ଷାଯୋଗ୍ୟ । ଏଥିନେଇ ଆମେ ଏହା ମଧ୍ୟ ଦର୍ଶାଇବାକୁ ଚାହୁଁ ଯେ, ଦେଶର ମୁଖ୍ୟ ପ୍ରଧାନମନ୍ତ୍ରୀ, ରାଜ୍ୟର ମୁଖ୍ୟ ମୁଖ୍ୟମନ୍ତ୍ରୀ ବା ଜିଲ୍ଲାର ମୁଖ୍ୟ ଜିଲ୍ଲା ମାଜିଷ୍ଟ୍ରେଟ ବା ଜିଲ୍ଳାପାଳ ନିଜର କ୍ଷମତା ବିନିଯୋଗରେ ଯଥାକ୍ରମେ ଦେଶ ବା ରାଜ୍ୟ କିମ୍ବା ଜିଲ୍ଲାର ସାର୍ବଜନୀନ ଉନ୍ନତି କଳ୍ପେ କୌଣସି ଜାଗାବାଡି ବିକ୍ରି ଖରିଦ କରିପାରନ୍ତି । ଆମେ ଏଠାରେ ଏ ସବୁ କହିବାର ଅର୍ଥ ହେଲା ଯେ, ପୁରୀ ଶ୍ରୀକ୍ଷେତ୍ରରେ ବଡ଼ଦାଣ୍ଡ ଉପରେ ଥିବା ବଗଲା ଧର୍ମଶାଳାର ୩୪୦ ଡେସିମିଲ୍ ଜମିକୁ ଭିତର ସେବାୟତ ନିଯୋଗ ସମେତ ୬ ଜଣ ଲଜିଂ ମାଲିକଙ୍କୁ ପୁରୀ ଜିଲ୍ଲାପାଳ ବିକ୍ରି କରିଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ସତ୍ୟ କି ? ଯଦି ସତ୍ୟ ହୋଇଥାଏ ତେବେ ପୁରୀ ଜିଲ୍ଲାପାଳ ନିଜ ନିଷ୍ପତିର ପୂନଃସମୀକ୍ଷା କରିବା ଜରୁରୀ ଭଳି ମନେହୁଏ । ବଗଲା ଧର୍ମଶାଳକୁ ୧୯୦୪ରେ ବାବୁ କହ୍ନେୟାଲାଲ ବଗଲା ନିର୍ମାଣ କରିଥିଲେ, ଯାହାର ମୁଖ୍ୟ ଉଦେଶ୍ୟ ଥିଲା, ଜିଲ୍ଲା ବାହାରୁ, ରାଜ୍ୟ ବାହାରୁ ଓ ଦେଶ ବାହାରୁ ଆସୁଥିବା ପର୍ଯ୍ୟଟକ ଓ ତୀର୍ଥଯାତ୍ରୀଙ୍କୁ ସୁଲଭ ମୁଲ୍ୟରେ ରାତି ରହିବା ସୁବିଧା ଯୋଗାଇ ଦେବା । ୧୯୦୫ ମସିହାରେ ସେ ଏହି ଜମି ସମେତ ବଗଲା ଧର୍ମଶାଳାକୁ ଲଜିଂ ହାଉସ ଫଣ୍ଡ କମିଟି ସଭାପତି ତଥା ପୁରୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ହସ୍ଥାନ୍ତର କରିଥିଲେ, ଜାହା ପୁରୀ ତହସିଲ କାର୍ଯ୍ୟାଳୟର ଓଇଏ କେସ୍ ୩୯/୧୯୯୯ରେ ତତ୍କାଳୀନ ତହସିଲଦାର ଉଲ୍ଲେଖ କରିଛନ୍ତି । ବିହାର ଏବଂ ଓଡ଼ିଶାର ପ୍ଲେସେସ ଅଫ୍ ପିଲିଗ୍ରିମେଜ ଆକ୍ଟ ୧୯୨୦ ଅନୁଯାୟୀ ଏହା ପରିଚାଳିତ ହେଉଥିଲା । ୨୦୧୮ ମସିହାରେ ଏହି ଆଇନ ଉଚ୍ଛେଦ କରାଯିବା ସହିତ ଲଜିଂ ହାଉସ ଫଣ୍ଡକମିଟିକୁ ରାଜ୍ୟସରକାର ଭାଙ୍ଗିଦେଇଥିଲେ । ଏହି ଧର୍ମଶାଳକୁ ଏବଂ କମିଟିର ସମସ୍ତ ସଂପତି ଓ କର୍ମଚାରିଙ୍କୁ ପୁରୀ ପୌରସଂସ୍ଥା ସହ ମିଶାଇ ଦିଆଯାଇଥିଲା ।ତେବେ ଶ୍ରୀମନ୍ଦିର ଚତୁର୍ଦ୍ଧିଗରେ ୭୫ ମିଟର ସୁରକ୍ଷା କଲିଡରରୁ ଯେଉଁ ଲଜିଂ ମାଲିକମାନେ ଉଚ୍ଛେଦ ହେଉଥିଲେ, ସେମାନଙ୍କୁ ବଗଲା ଧର୍ମଶାଳା ଜମିରେ ପ୍ରଟଆବଂଟନ ପାଇଁ ୨୦୧୯ରେ ଜିଲ୍ଲା ପ୍ରଶାସନ ନିଷ୍ପତି ଗ୍ରହଣ କରିଥିଲେ । ସେହିବର୍ଷ ଡିସେମ୍ବର ୨ ତାରିଖରେ ରାଜ୍ୟ ହାଇକୋର୍ଟରେ ଏହାକୁ ବିରୋଧ କରି ସମାଜସେବୀ ଜଗନ୍ନାଥ ବସ୍ତିଆ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ୧୫ ଦିନ ପରେ ଏହା ଶୁଣାଣୀ କରି ହାଇକୋର୍ଟ ରାଜ୍ୟସରକାରଙ୍କୁ ନୋଟିସ ଜାରି କରିଥିଲେ । ତେବେ ଏହି ମୋକଦ୍ଧମା ବିଚାରାଧୀନ ରହିଥିଲା ବେଳେ ୨୦୨୦ ଅଗଷ୍ଟ ୫ ତାରିଖରୁ ୧୨ ତାରିଖ ମଧ୍ୟରେ ଭିତର ସେବାୟତ ନିଯୋଗଙ୍କ ସମେତ କେତେକ ଲଜିଂ ମାଲିକଙ୍କୁ ୨୨୦ ଡିଲେମିଲ ଜମି ବିକ୍ରି କରାଯାଇଥିବା ଘଟଣା ସାରା ରାଜ୍ୟରେ ପ୍ରବଳ ଆଲୋଡନ ସୃଷ୍ଟ କରିଛି । ତେବେ ଆମେ ଏତିକି କହିପାରୁ ଯେ ଦାନ ସୂତ୍ରରେ ହେଉ ବା ପର୍ଯ୍ୟଟକ ଓ ଭକ୍ତମାନଙ୍କ ରହଣୀର ସୁବିଧା ଲାଗି ସରକାରଙ୍କୁ ଜଣେ ବ୍ୟକ୍ତି ବିଶେଷ ଦେଇଥିବା ଜମି ବିକ୍ରିକରିବା ଲାଗି ଜିଲ୍ଳାପାଳ ନେଇଥିବା ନିଷ୍ପତିକୁ ସରକାର ଠିକ୍ ଭାବେ ଗ୍ରହଣ କରିଛନ୍ତି କି? ଏହି ନିଷ୍ପତି ଅତି ସମ୍ବେଦନଶୀଳ ହୋଇଥିବାରୁ ଉଭୟ ଜିଲ୍ଳାପାଳ ଏବଂ ରାଜସ୍ୱ ବିଭାଗ ଏ ସମ୍ପର୍କରେ ପୁନଃସମୀକ୍ଷା କଲେ ତାହା ଅଧିକ ଜନହିତକାରି ନିଷ୍ପତି ହୋଇପାରନ୍ତା ବୋଲି ମନେହୁଏ ।

Leave A Reply

Your email address will not be published.

seven − 7 =