‘ମୋ’ ସାଇକେଲ୍ ଗୋଟାକୁ ୨୫ ହଜାର!

ଭୁବନେଶ୍ୱର: ରାଜଧାନୀ ରାସ୍ତାରେ ବିଭିନ୍ନ ଛକ, ବସ୍ କୁ୍ୟ ସେଲ୍ଟର ନିକଟରେ ଯେଉଁ ‘ମୋ ସାଇକେଲ୍’ ରଖାଯାଇଛି ତାହାର ଦାମ୍ କେତେ ଜାଣିଛନ୍ତି? ଆଶ୍ଚର୍ଯ୍ୟର ବିଷୟ ଏହି ସାଇକେଲ୍ ଦାମ୍ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍) ର ମାତ୍ର କିଛି ହାତଗଣତି ଅଧିକାରୀଙ୍କୁ ଛାଡ଼ିଦେଲେ କେହି ଜାଣିନାହାନ୍ତି । ଜାଣିବେ ବା କାହିଁକି? ମୋ ସାଇକେଲ୍ ରାଜଧାନୀରେ ଗଡ଼ିବା ଦିନରୁ କୁହାଯାଇଛି ଯେ, ତିନିଟି ଘରୋଇ ସଂସ୍ଥା ହେକ୍ସି, ଯୋନୋ, ୟୁଲୁ ନିଜ ଖର୍ଚ୍ଚରେ ସାଇକେଲ୍ କିଣିକି ଚଲାଇବେ । ଯାହା ଭଡା ପାଇବେ ତାହା ତାଙ୍କର ରୋଜଗାର । ଅସଲରେ ଏହି ‘ମୋ ସାଇକେଲ’କୁ ବିଏସ୍ସିଏଲ୍ କର୍ତୃପକ୍ଷ କିଣିଛନ୍ତି । ସାଇକେଲ୍ ଦାମ୍ ଶୁଣିଲେ ଅପାଣଙ୍କ ହାଲକ୍ ଶୁଖିଯିବ । ସାଇକେଲ୍ ଗୋଟାକୁ ୫ ହଜାର କି ୧୦ ହଜାର ନୁହେଁ । ଗୋଟିଏ ସାଇକେଲ୍ ପିଛା ଘରୋଇ ସଂସ୍ଥାକୁ ୨୫ ହଜାର ଟଙ୍କା ଲେଖାଏଁ ଦେଇଛନ୍ତି । ଅର୍ଥାତ୍ ରାଜଧାନରେ ଯେଉଁ ୨ ହଜାର ‘ମୋ ସାଇକେଲ୍’ ଚଲାଇବାକୁ ଆସିଥିଲା ତାକୁ ବିଏସ୍ସିଏଲ୍ କର୍ତୃପକ୍ଷ ୫ କୋଟି ଟଙ୍କା ଦେଇ କିଣିଛନ୍ତି । ତିନି ଘରୋଇ ସଂସ୍ଥା ଯଥା ହେକ୍ସିକୁ ହଜାରେ ସାଇକେଲ୍ ପାଇଁ ଅଢେ଼ଇ କୋଟି, ୟୋନୋକୁ ୫୦୦ ସାଇକେଲ୍ ପାଇଁ ୧ କୋଟି ୨୫ ଲକ୍ଷ ଏବଂ ୟୁଲୁକୁ ୫୦୦ ସାଇକେଳ୍ ପାଇଁ ୧ କୋଟି ୨୫ ଲକ୍ଷ ଲେଖାଏଁ ଦେଇ ସାଇକେଲ୍ କିଣିଛନ୍ତି । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ବିଏସ୍ସିଏଲ୍ କର୍ତୃପକ୍ଷ ମୋ ସାଇକେଲ୍ ପାଇଁ ୫ କୋଟି ପୁଞ୍ଜିନିବେଶ କରିବା ପରେ ବି ଏହାର ରୋଜଗାରର ସବୁ ପ୍ରାପ୍ୟ ଘରୋଇ ସଂସ୍ଥା ହାତକୁ ଟେକିଦେଲେ । ଅର୍ଥାତ୍ ଯେଉଁ ସଂସ୍ଥା ମୋ ସାଇକେଲ୍ ଚଲାଇବ ସେ ଲୋକଙ୍କ ଠାରୁ ସଦସ୍ୟତା ବାବଦକୁ ଯେତିକି ଟଙ୍କା ପାଇବ, ଭଡା ବାବଦକୁ ଯେତିକି ଟଙ୍କା ପାଇବ ବା କୌଣସି ସଂସ୍ଥାକୁ ମୋ ସାଇକେଲ୍ ଭଡ଼ା ଦେଇ ଯେଉଁ ଟଙ୍କା ପାଇବ ତାହା ସେ ନେବା ଏଭିତି ଚୁକ୍ତି କଲେ ଯେ, ନିଜ ଖାତାକୁ ଟଙ୍କାଟେ ଆସିବାର ବାଟ ନାହିଁ । ବିଏସ୍ସିଏଲ୍ କର୍ତୃପକ୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରି ମୋ ସାଇକେଲ୍ କିଣିଲେ ଅଥଚ ସେଗୁଡିକ କେଉଁଠି ଡ୍ରେନ୍ ଭିତରେ ଗଡିଲା ତ କେଉଁଠି ଅଳିଆ ଗଦାରେ ପଡ଼ିଥିବା ଦେଖିବାକୁ ମିଳିଲା । ଏପରିକି କିଏ ସିଟ୍ ଖୋଲି ନେଇଗଲେ ତ କିଏ ବେଲ୍ ଖୋଲି ନେଇଗଲେ । କିନ୍ତୁ କର୍ତୃପକ୍ଷ ଚୁପ୍ ସବିଲେ । ଯାହାର ଫାଇଦା ନେଇ ଘରୋଇ ସଂସ୍ଥା ନିଜ ଇଚ୍ଛାରେ ସାଇକେଲ୍ ଚଳାଉଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି ବିଏସ୍ସିଏଲ୍ କର୍ତୃପକ୍ଷ ୫ କୋଟି ଟଙ୍କା ଖର୍ଚ୍ଚ କରି ସାଇକେଲ୍ କିଣିବା ପରେ ଏମିତି କଣ ହେଲା ଯେ, ତାହାକୁ ଆଡ଼ ଆଖିରେ ଚାହିଁଲେ ନାହିଁ । ଯେଉଁ ବାବୁମାନେ ଟଙ୍କା ଦେଇଥିଲେ ସେମାନଙ୍କୁ ‘ମୋ ସାଇକେଲ୍’ ଅବସ୍ଥା ଦେଖି ଟିକିଏ ବି କଷ୍ଟ ଲାଗିଲାନି । ରାଜଧାନୀରେ ‘ମୋ ସାଇକେଲ୍’ ପରିଚାଳନା ଦାୟିତ୍ୱରେ ଥିବା କ୍ରୁଟ୍ କର୍ତୃପକ୍ଷ କଣ ‘ମୋ ବସ୍’ ଯୋଜନାକୁ ସଫଳ କରିବା ଭଳି ଏହି ଯୋଜନାକୁ ସଫଳ କରିପାରିନଥାନ୍ତେ । ଏହି ପ୍ରଶ୍ନର ଉତର ବି ଅଛି । ବିଏସ୍ସିଏଲ୍ କର୍ତୃପକ୍ଷ ‘ମୋ ସାଇକେଲ୍’ କିଣିଥିଲେ ବି ଏହାର ପରିଚାଳନା ଦାୟିତ୍ୱ କ୍ରୁଟ୍ ବା କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟକୁ ଦେଇଦେଲେ । କ୍ରୁଟ୍କୁ ଏମିତି ଢଙ୍ଗରେ ଦାୟିତ୍ୱ ହସ୍ତାନ୍ତର କରାଗଲା ଯେ, ନା ଏହି ସଂସ୍ଥା ତାଗିଦ୍ କରିପାରିବ ନା ଯେଉଁ ସଂସ୍ଥା ଖରାପ ସେବା ଯୋଗାଇବ ତା ଉପରେ କାର୍ଯ୍ୟାନୁÂାନ ନେଇପାରିବ । କ୍ରୁଟ୍ କେବଳ ଘରୋଇ ସଂସ୍ଥା ସହ ମିଶି ରାଜଧାନୀରେ ‘ମୋ ସାଇକେଲ୍’ କିପରି ଚାଲିବ, କେଉଁଠି ଡକିଂ ସେଂଟର ହେବ ସେ କାର୍ଯ୍ୟ କରିବ । ‘ମୋ ସାଇକେଲ୍’ରୁ କେତେ ଟଙ୍କା ମିଳିଲା, କେତେ ଦିଆଗଲା ସେ ହିସାବ କିଛି ରଖିବନି । ଚୁକ୍ତି ଠାରୁ ଆରମ୍ଭ କରି ଗାଇଡଲାଇନ୍ ପର୍ଯ୍ୟନ୍ତ ସବୁ ବିଏସ୍ସିଏଲ୍ କରିଥିବେଳେ କ୍ରୁଟ୍କୁ କିପରି ସାଇକେଲ୍ ଗଡ଼ିବ ତାହାକୁ ତଦାରଖ କରିବାକୁ ଦିଆଯାଇଛି । ଜରଙ୍କର ଦୁଇ ଗୋଡ଼ ବାନ୍ଧି ଦଉଡ଼ିବାକୁ କହିବା ଯାହା କ୍ରୁଟ୍କୁ କିଛି କାର୍ଯ୍ୟାନୁଷ୍ଠାନ ନେବାର ଅଧିକାର ନଦେଇ ପରିଚାଳନା ଦାୟିତ୍ୱ ଦେବା ସେହି ସଙ୍ଗେ ସମାନ । ଆସନ୍ତା ନଭେମ୍ବରକୁ ରାଜଧାନୀରେ ‘ମୋ ସାଇକେଲ’ ଗଡ଼ିବାର ଦୁଇବର୍ଷ ବିତିବ । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ (ବିଏସ୍ସିଏଲ୍)ର ଅନ୍ୟତମ ବିଫଳ ପ୍ରକଳ୍ପ ପାଲଟିଥିବା ମୋ ସାଇକେଲ୍ ପଛରେ କେତେ ବଡ଼ କେଳେଙ୍କାରୀ ଚପି ରହିଥିଲା ତାହା ଏବେ ଜଣାପଡ଼ିଛି ।

Leave A Reply

Your email address will not be published.

one × 4 =