ଦ୍ୱିତୀୟ ଲହର ଆସୁଛି!

କରୋନରେ ଏବେ ସାରା ଭାରତ ଭାରାକ୍ରାନ୍ତ । ବହୁ ଲୋକଙ୍କ ଜୀବନ ନେଇସାରିଲାଣି ଏହି ମହାମାରୀ । କୋଭିଡ-୧୯ରେ ଲକ୍ଷ ଲକ୍ଷ ଲୋକ ପଜେଟିଭ ଚିହ୍ନଟ ହେଉଥିଲା ବେଳେ ସୁସ୍ଥ ହେବା ସଂଖ୍ୟା ଅଧିକ ହେଲେ ହେଁ ମୃତ୍ୟୁ ସଂଖ୍ୟା ଯେପରି କ୍ରମାଗତ ଭାବେ ଦୈନିକ ଘଟିଚାଲିଛି, ତାହା ପରିବାର, ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ସମେତ ସମାଜକୁ ଦୁର୍ଦ୍ଧଶାଗ୍ରସ୍ତ କରିଛି । ଏପରିକି ମାସ ମାସ ଧରି ମହାମାରୀ ନିୟନ୍ତ୍ରଣ ଲାଗି ବିଭିନ୍ନ ସରକାରି ସ୍ତରରେ ସାଧାରଣ ଭାବେ ମାନିଚଳିବା ନିୟମ (ଏସ୍ଓପି) ଲାଗୁ ହୋଇଥିଲେ ହେଁ ଅବସ୍ଥା ପ୍ରାୟତଃ ସମାନ ରହୁଛି । କୌଣସି ଔଷଧ କୋଭିଡ-୧୯ ଭାଇରସ ଲାଗି ଏପର୍ଯ୍ୟନ୍ତ ଉଦ୍ଭାବନ ହୋଇପାରିନଥିଲା ବେଳେ କରୋନା ଏକ ପ୍ରକାର ଆକୁମାରି ହିମାଚଳ ମାଡିଚାଲିଛି କହିଲେ ଅତୁ୍ୟକ୍ତି ହେବନାହିଁ । ମହାମାରୀ ଯୋଗୁ ବିଭିନ୍ନ ରାଜ୍ୟରୁ ଭିନ୍ନ ଭିନ୍ନ ରାଜ୍ୟକୁ ଯାଇଥିବା ଶ୍ରମିକମାନେ କଳକାରଖାନା ବନ୍ଦ ହେବାରୁ ନିଜ ନିଜ ରାଜ୍ୟକୁ ଫେରିଆସିବା ଯୋଗୁ ଗୋଟିଏ ପଟେ ବେରୋଜଗାରୀ ଓ ବେକାରୀ ସଂଖ୍ୟା ବଢ଼ିଥିଲା ବେଳେ ଅନ୍ୟ ପଟେ ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିରେ ଏହା ଯେ ସହାୟକ ନହୋଇଛି, ତାହା କୁହାଯାଇନପାରେ । ଦୀର୍ଘ ୮ମାସ ଧରି କରୋନା ଲାଗି ଯେଉଁ ଲକ୍ଡାଉନ୍ ପ୍ରକିୟା ଜାରି ରହିବା ସହ ଏହାକୁ କୋହଳ କରିବା ପାଇଁ ଅନ୍ଲକ୍ ଲାଗି ପଦକ୍ଷେପ ନିଆଗଲା ତାହା ସମସ୍ତଙ୍କୁ ମାଲୁମ୍ । କେବଳ ସେତିକି ନୁହେଁ, କରୋନାମୁକ୍ତ ରଖିବା ଲକ୍ଷ୍ୟ ନେଇ ଯେପରିଭାବେ ଚଳିତବର୍ଷ ରଥଯାତ୍ରା କରାଗଲା, ତାହା ସମସ୍ତଙ୍କୁ ବେଶ୍ ମାଲୁମ୍ । ସେ ହିପରି ଦଶହରା ଉତ୍ସବକୁ ମଧ୍ୟ ଚଳିତ ବର୍ଷ ଯେପରି ଏକ ରକମ୍ ଜେଲ ହାଜତ ଭିତରେ ରଖିଲା ଭଳି ନିୟମର କାଠଗଡାରେ ଛିଡା କରାଗଲା, ତାହା କହିବା ଅନାବଶ୍ୟକ । ଏତଦ୍ଭିନ୍ନ ଏହାର ପାରିପାଶ୍ୱିର୍କ ପ୍ରଭାବ ଏତେ ଶକ୍ତିଶାଳି ରହିଥିଲା ଯେ ଏଥିରେ କେବଳ ଓଡ଼ିଶା ନୁହେଁ ଭାରତ ଓ ସାରା ବିଶ୍ୱ ଏବେ ଏକରକମ ଅଣନିଶ୍ୱାସୀ ହୋଇପଡିଛି । ଦ୍ୱିତୀୟ ଥର ଏହି ମହାମାରୀ ଚୀନ୍ ସମେତ ଆମେରିକା ଓ ଫ୍ରାନ୍ସକୁ ଆକ୍ରାନ୍ତ କରିଛି । ସେହି ଦୃଷ୍ଟି କୋଣରୁ ଆମ ରାଜ୍ୟର ସ୍ଥିତି ଖରାପ ନହେଲେହେଁ, କରୋନାର ଦ୍ୱିତୀୟ ଲହର କେବେ ଓ କିପରି ଆସିବ ଏବଂ ତାହାର ମୁକାବିଲା ପାଇଁ ଭାରତୀୟମାନେ କେତେ ଦୁର ସମର୍ଥ ହୋଇପାରିବେ ତାହା ଦେଖିବାର କଥା । କେରଳରେ ଓନାମ ଉତ୍ସବ ପାଳନ ପରେ କରୋନା ମହାମାରୀ ଅନେକଙ୍କୁ ଆକ୍ରାନ୍ତ କରିଛି । ସେହି ଦୃଷ୍ଟି କୋଣରୁ ଏବେ ଯେପରି ଭାବେ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମାଜିକ ଦୁରତ୍ୱ ବଜାୟ ରଖିବା ସହ ମାସ୍କ ପିନ୍ଧିବା ଇତ୍ୟାଦି ଉପରେ ଗୁରୁତ୍ୱ ଦେଉଛନ୍ତି, ତାହା ପାଳନ କରିବା ବିଧେୟ । ତେବେ ଏଠାରେ ଆମର କହିବାର କଥା ହେଲା ଯେ, ଆଗକୁ ଦୀପାବଳୀ ଆସୁଥିବାରୁ ଓ ଏହାର ଆକାର୍ଷଣୀୟ ଦିଗଟି ‘ବାଣଫୁଟା’ ରହିଥିବାରୁ ଏବେ ଦେଖିବାର କଥା ଯେ ବାଣ ନ’ଫୁଟାଇବା ଲାଗି ସରକାର ଯେଉଁ ନିଦେ୍ର୍ଧଶ ଦେଇଛନ୍ତି, ତାହା ସାଧାରଣ ଲୋକ କେତେ ଦୁର ଗ୍ରହଣ କରୁଛନ୍ତି! ଅବଶ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧବାର ଦିନ କୋଭିଡ ମୁକାବିଲା କାର୍ଯ୍ୟକ୍ରମ ରସମିକ୍ଷା ସହିତ ପରୋକ୍ଷରେ ଦୀପାବଳି ପ୍ରସଙ୍ଗ ଉଠାଇ, କେରଳ ଓ ଦିଲ୍ଲୀର ଦ୍ୱିତୀୟ ଲହର କଥା ଜଣାଇବା ସହିତ ଆମ ରାଜ୍ୟରେ ଶୀତ ଆରମ୍ଭ ହୋଇଯାଇଥିବାରୁ ଏବଂ ଏବେବି ୨୫ଟି ଜିଲ୍ଲାରେ ମୃତୁ୍ୟ ଓ ସଂକ୍ରମଣ ପୂର୍ବବତ୍ ପ୍ରାୟତଃ ଜାରିରହିଥିଲା ବେଳେ ରାଜ୍ୟବାସୀଙ୍କୁ ସତର୍କ କରାଇବା ସହ ପ୍ରତି ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପି ଏସ୍ଓପି କଟକଣା ପ୍ରତିଦୃଷ୍ଟି ଦେବା ନିମିତ ନିଦେ୍ର୍ଧଶ ଦେଇଛନ୍ତି, ତାହା ଗୁରୁତ୍ୱପୂର୍ଣ୍ଣ । ଯେପରି ଭାବେ ଶୀତ ପଡିବା ଆରମ୍ଭ କଲାଣି, ତାହା ଯେ, ଦୀପାବଳି ପରେ ହାଡଭଙ୍ଗା ଶୀତରେ ପରିଣତ ହେବା ସହିତ ପୁନରବାର କରୋନା ମହାମାରୀ ରାଜ୍ୟକୁ ଆକ୍ରାନ୍ତ ନକରିବ, ତାହା କିଏ କହିବ? ବିଶେସତଃ ଦ୍ୱିତୀୟ ଭାଗ ସଂକ୍ରମଣ ହେଉଥିବାରୁ ଏଥିପ୍ରତି ଡାକ୍ତର ଓ ସ୍ୱାସ୍ଥ୍ୟକ୍ରର୍ମୀଙ୍କୁ ତାଲିମ ଦେବା ଲାଗି ସେ ଜେପରି କହିଛନ୍ତି, ତାହ ଯଣାଇଦେଉଛି ଯେ, ଏଥର ଶୀତ ଋତୁ ସହିତ ଦୀପାବଳି ପରେ କରୋନା ମହାମାରୀ ପୁଣି ୩୦ଟି ଜିଲ୍ଲାକୁ ବଡ଼ ଧରଣରେ ବ୍ୟାପିବା ଅସମ୍ଭବ ନୁହେଁ । ଏହା ସହିତ କରୋନା ଯୋଗୁ ଅର୍ଥନୈତିକ ଅବସ୍ତା ପ୍ରତ୍ୟେକ ସ୍ଥରରେ ନିମ୍ନଗାମି ନହେବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶ ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ସ୍ପଷ୍ଟ ଭାବେ ସୁଚାଇଦେଉଛି ଯେ, ଲୋକମାନେ କୋଭିଡ-୧୯ ନେଇ ପ୍ରଥମେ ସଚେତନ ହୁଅନ୍ତୁ । ନିଜ ପରିବାର ସଦସ୍ୟମାନଙ୍କୁ ଏହାପରେ ସଚେତନ କରାଇବା ସହ ପଡୋଶୀଙ୍କୁ ସଚେତନ କରାନ୍ତୁ । ଏହା ହୋଇପାରିଲେ କରୋନାର ମୁକାବିଲା ଠିକ୍ ଭାବେ କରାଯାଇପାରିବ ବୋଲି ଆଶାକରିବା ସମୀଚିନ ।

Leave A Reply

Your email address will not be published.

20 − 7 =