ସମୁଦ୍ର ମନ୍ଥନ ସମୟରେ ରତ୍ନ ସହ ବିଷ ମଧ୍ୟ ବାହାରିଥିଲା। ଏହି ବିଷ ହେତୁ ସମସ୍ତ ଦେବଦେବୀ ଓ ପ୍ରାଣୀ ଜଗତ ବ୍ୟାକୁଳ ହୋଇଉଠିଥିଲେ। ଏହି ସମୟରେ ପ୍ରଭୁ ମହାଦେବ ଏହି ବିଷକୁ ପାନ କରି ସଭିଁଙ୍କୁ ଉଦ୍ଧାର କରିଥିଲେ। ସେହି ବିଷ ପାନ କରିବା ଦ୍ୱାରା ଭୋଳାନାଥଙ୍କର କଣ୍ଠ ନୀଳବର୍ଣ୍ଣ ହୋଇଯାଇଥିଲା। ଏହି ବିଷର ଜ୍ୱାଳାକୁ ଶାନ୍ତ କରିବା ନିମନ୍ତେ ପ୍ରଭୁ ମହେଶ୍ୱର କୈଳାସ ପର୍ବତ ଛାଡ଼ି ଏକ ଶୀତଳ ସ୍ଥାନ ଅନ୍ୱେଷଣରେ ଯାଇଥିଲେ। ହିମାଳୟରେ ବିଚରଣ କରୁଥିବା ବେଳେ ସେ ମଣିକୁଟ ପର୍ବତରେ ପହଞ୍ଚିଥିଲେ। ଏଠାରେ ପ୍ରଭୁ ଶିବଶଙ୍କର ମଧୁମତୀ ଓ ପଙ୍କଜା ଜଳ ଧାରାର ସଙ୍ଗମରେ ଅଜ୍ଞାତ ବାସରେ ସମାଧିସ୍ଥ ହୋଇ ବିଷ ଜ୍ୱାଳାକୁ ଶାନ୍ତି କରିଥିଲେ। ସମୟକ୍ରମେ ଏହି ସ୍ଥାନ ଶ୍ରୀନୀଳକଣ୍ଠ ମହାଦେବ ନାମରେ ଖ୍ୟାତି ଲାଭ କଲା। ସ୍କନ୍ଦପୁରାଣ ପୁରାଣ, କେଦାରଖଣ୍ଡ ଓ ଶିବ ପୁରାଣରେ ଏହାର ଉଲ୍ଲେଖ ରହିଛି। ପ୍ରାଚୀନ ନୀଳକଣ୍ଠ ଧାମ ଶିବ ଭକ୍ତ ମାନଙ୍କ ଏକ ପ୍ରମୁଖ ସ୍ଥାନ ପାଲଟିଛି। ଶ୍ରାବଶ ମାସରେ ଏଠାରେ ହେଉଥିବା କାଉଡ଼ି ଯାତ୍ରା (ବୋଲବମ୍)ରେ ଏଠାରେ ବହୁ ଦେଶରୁ ଲକ୍ଷଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ଏଠାକୁ ପାଣି ନେଇ ଯାଇ ବହୁ ଭକ୍ତ ଭଗବାନ ଶିବଙ୍କ ଠାରେ ଜଳାଭିଷେକ କରିଥାଆନ୍ତି।
ଦିଲ୍ଳୀ ଠାରୁ ଏହି ନୀଳକଣ୍ଠ ମନ୍ଦିର ପାଖାପାଖି ୨୫୦ କିଲୋମିଟର ଦୂରରେ ଅବସ୍ଥିତ। ଦିଲ୍ଲୀ ଠାରୁ ତୀର୍ଥନଗରୀ ଋଷିିକେଶ ପର୍ୟ୍ୟନ୍ତ ଯିବାକୁ ବସ୍,ଟ୍ରେନ,ଉଡ଼ାଜାହାଜ ଆଦିର ସୁବିଧା ରହିଛି। ବହୁ ପ୍ରସିଦ୍ଧ ଏହି ଶୈବ ପୀଠରେ ସହତ୍ସାଧିକ ଭକ୍ତଙ୍କ ଭିଡ଼ ଜମିଥାଏ ।